ପୁରୀ ବେଳାଭୂମିରେ ଉଡ଼ିବ ‘ବ୍ଲୁ ଫ୍ଲାଗ୍‌’

‘ଫି’ ଦେଲା ବିଶ୍ୱସ୍ତରୀୟ ମାନ୍ୟତା

ଦେଶର ଆଉ ୭ ବେଳାଭୂମିକୁ ବି ସ୍ବୀକୃତି
ଭାରତକୁ ତୃତୀୟ ବେଷ୍ଟ ପ୍ରାକ୍ଟିସେସ୍‌ ଆୱାର୍ଡ଼
ଟୁଇଟ୍ କରି ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ପୁରୀ ଜିଲ୍ଲାବାସୀଙ୍କ ଉଦ୍ୟମ ପାଇଁ ସମ୍ଭବ ହୋଇଛି: ଜିଲ୍ଲାପାଳ

ପୁରୀ : ପୁରୀର ସୁବର୍ଣ୍ଣ ବେଳାଭୂମିରେ ଉଡ଼ିବ ‘ବ୍ଲୁ ଫ୍ଲାଗ’। ଡେନ୍‌ମାର୍କର ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଫି’(ଫାଉଣ୍ଡେସନ୍‌ ଫର୍ ଏନ୍‌ଭାର୍ଣ୍ଣମେଣ୍ଟ ଏଜୁକେସନ୍‌) ଆଜି ପୁରୀର ସୁବର୍ଣ୍ଣ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’’ ବିଚ୍‌ର ମାନ୍ୟତା ଦେଇଛି। ଓଡ଼ିଶାର ଏକମାତ୍ର ବେଳାଭୂମି ପୁରୀକୁ ଆଜି ଏହି ବିଶ୍ବସ୍ତରୀୟ ମାନ୍ୟତା ମିଳିଛି। ପ୍ରଥମ ଉଦ୍ୟମରେ ହିଁ ପୁରୀ ବେଳାଭୂମି ଏହି ବିଶ୍ବସ୍ତରୀୟ ମାନ୍ୟତା ପାଇବାରେ ସଫଳ ‌ହୋଇଛି। ପୁରୀ ସହ ଦେଶର ୮ ବେଳାଭୂମି ବି ପ୍ରଥମ ଉଦ୍ୟମରେ ‘ବ୍ଲୁ ଫ୍ଲାଗ’ ବିଚ୍‌ର ମାନ୍ୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏହାର ସବୁ ଶ୍ରେୟ ଜିଲ୍ଲାବାସୀଙ୍କୁ ଦେଇଛନ୍ତି। ସେପଟେ ବିଶ୍ବର ତଟବର୍ତ୍ତୀ ଅଞ୍ଚଳ ଭିତରେ ବେଳାଭୂମି ସଫେଇ କ୍ଷେତ୍ରରେ ଭାରତକୁ ତୃତୀୟ ସର୍ବୋଚ୍ଚ ସମ୍ମାନ ‘ବେଷ୍ଟ ପ୍ରାକ୍ଟିସେସ୍‌ ଆୱାର୍ଡ଼’ ମିଳିଛି।

ଅନ୍ତର୍ଜାତୀୟ ସଂସ୍ଥା ‘ଫି’ର ମୁଖ୍ୟ କାର୍ଯ୍ୟାଳୟ ଡେନ୍‌ମାର୍କରେ ଥିବାବେଳେ ବିଶ୍ବର ଅନ୍ୟ ଦେଶରେ ବି ଏହାର ଶାଖା ରହିଛି। ଏହି ସଂସ୍ଥା ପରିବେଶ ଉପରେ କାମ କରୁଛି। ବ୍ଲୁ ଫ୍ଲାଗ୍‌, ଇକୋ ସ୍କୁଲ ଆଦି କାର୍ଯ୍ୟକ୍ରମ ହାତକୁ ନେଇଛି। ଫନି ପରେ ପରେ ଏହି ଅନ୍ତର୍ଜାତୀୟ ସଂସ୍ଥାର ଅଧିକାରୀମାନେ ପୁରୀ ପରିଦର୍ଶନ କରି ବେଳାଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ। ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ଦେବା ପୂର୍ବରୁ ନିର୍ଦ୍ଦିଷ୍ଟ ସର୍ତ୍ତ ତଥା ଆବଶ୍ୟକତା ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ କହିଥିଲେ। ଏଥିପାଇଁ ନିର୍ଦ୍ଦିଷ୍ଟ ସମୟସୀମା ବି ଦିଆଯାଇଥିଲା। ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପରେ ପରେ ପୁରୀ ବେଳାଭୂମିର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା। ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇଁ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରିବାକୁ ଯାଇ ବେଳାଭୂମି ସଫେଇ ସାଙ୍ଗକୁ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକୁ ହାତକୁ ନିଆଯାଇଥିଲା। ଦିଗବାରେଣୀ ଖୁଣ୍ଟିଠାରୁ ହୋଟେଲ୍‌ ମେ ଫେୟାର ପର୍ଯ୍ୟନ୍ତ ବେଳାଭୂମିର ସୌନ୍ଦର୍ଯ୍ୟୀକରଣ କାମ କରାଯାଇଥିଲା। ପୂର୍ବରୁ ଏହି ସ୍ଥାନ ଜବରଦଖଲକାରୀଙ୍କ ଦଖଲରେ ଥିଲା। କିଛି ମତ୍ସ୍ୟଜୀବୀ ଏହି ଅଞ୍ଚଳକୁ ମାଡ଼ି ବସିଥିଲେ। ପ୍ରଶାସନ ବୁଝାଶୁଝା କରି ସମସ୍ତଙ୍କୁ ଏହି ସ୍ଥାନରୁ ହଟାଇବା ପରେ ବିକାଶ କାର୍ଯ୍ୟ ହାତକୁ ନିଆଯ‌ାଇଥିଲା।

Photo: Twitter

ପର୍ଯ୍ୟଟକଙ୍କ ପାଇଁ ବେଳାଭୂମିରେ ବିକଶିତ ତଥା ଅତ୍ୟାଧୁନିକ ଶୌଚାଳୟ, ବିଶ୍ରାମସ୍ଥଳୀ, ଗାଧୁଆ ସ୍ଥାନ ଆଦି ନିର୍ମାଣ କରାଯାଇଥିଲା। ହାଇଦ୍ରାବାଦରୁ ଆସିଥିବା ଦାମୀ ବାଉଁଶରେ ଏସବୁ ନିର୍ମାଣ କରାଯାଇଥିଲା। ଚଲାବୁଲା ପାଇଁ ସୁନ୍ଦର ଓ ପ୍ରଶସ୍ତ ରାସ୍ତା ବି ତିଆରି କରାଯାଇଥିଲା। ଚିଲ୍‌ଡ୍ରେନ୍ ପାର୍କ, ବ୍ୟାୟାମସ୍ଥଳ, ସି ଭ୍ୟୁ ସ୍ଥାନ ଆଦି ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ବି ଖଞ୍ଜାଯାଇଥିଲା। ସିଆରଜେଡ୍ ଅନୁମତି ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟ ଶେଷ ପରେ ଆଜି ‘ଫି’ ପୁରୀ ବେଳାଭୂମିକୁ ଏହି ମାନ୍ୟତା ପ୍ରଦାନ କରିଛି। ଏଠାକୁ ପର୍ଯ୍ୟଟକମାନେ ଆସିଲେ ଅନ୍ତରାଷ୍ଟ୍ରୀୟ ସୁବିଧା ପାଇପାରିବାର ସୁବିଧା ବି କରାଯାଇଛି। ଯଦ୍ବାରା ଏହି ସଂସ୍ଥା ପକ୍ଷରୁ ବେଳାଭୂମିର ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିବ ବୋଲି ସୂଚନା ମିଳିଛି।

ସେପଟେ ବିଶ୍ବସ୍ତରୀୟ ମାନ୍ୟତା ମିଳିଥିବାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ଏହା ପ୍ରମୁଖ ଆକର୍ଷଣ ହୋଇପାରିବ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢ଼ିବ। ପୁରୀ ସହ ଗୁଜୁରାଟର ଶିବରାଜପୁର, ଡିଉର ଘୋଘଲା, କର୍ଣ୍ଣାଟକର କସରକୋଦ ଓ ପଡ଼ୁବିଦ୍ରି, କେରଳର କପ୍ପଡ, ଆନ୍ଧ୍ରପ୍ରଦେଶର ଋଷିକୋଣ୍ଡା ଏବଂ ଆଣ୍ଡାମାନର ରାଧାନଗର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ମିଳିଛି। ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ଶ୍ରୀ ସିଂହ କହିଛନ୍ତି, ପୁରୀ ବେଳାଭୂମିକୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିଥିବାରୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଏଥି ପାଇଁ ପୁରୀ ଜିଲ୍ଲାବାସୀ, ମୋ ବିଚ୍‌ ଟିମ୍ ପ୍ରମୁଖଙ୍କୁ ଧନ୍ୟବାଦ ଜଣାଉଛି। ଆଗକୁ ପୁରୀ ବେଳାଭୂମି କିପରି ସଫାସୁତରା ରହିପାରିବ ସେ ଦିଗରେ ଜିଲ୍ଲାବାସୀ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି। ସୂଚନାଯୋଗ୍ୟ, ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ ଏବେ ପର୍ଯ୍ୟଟକଙ୍କ ପାଇଁ ଖୋଲା ସରିଲାଣି। ରାଜ୍ୟ ତଥା ଦେଶ ବିଦେଶରୁ ପର୍ଯ୍ୟଟକମାନେ ବି ଏଠାକୁ ଆସିବା ଆରମ୍ଭ କରିଛନ୍ତି। ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରବେଶ ଦେୟ ରଖାଯାଇଛି।

ସମ୍ବନ୍ଧିତ ଖବର