‘ବ୍ଲୁ ଲେକ୍‌’ରୁ ମିଳିବ ରାଜସ୍ବ, ମେଣ୍ଟାଇବ ପାନୀୟ ଜଳର ଆବଶ୍ୟକତା

ନୀଳଗିରି (ଲୋକନାଥ ଦଳେଇ): ପାହାଡ଼ ତଳେ ବିଶ୍ରାମ ନେଇଛି ନୀଳ ଜଳରାଶି। ହ୍ରଦର ପରିଚୟ ତୋଳିଛି। ଅପୂର୍ବ ସୌନ୍ଦର୍ଯ୍ୟ ତା’ର। ଆପଣାର ଆଖିରେ ନ ଦେଖିଲେ କଳ୍ପନା କରିବା ମୁସ୍କିଲ୍‌। ତେଣୁ ଏଠାକୁ ପ୍ରତିଦିନ ଅନେକ ଲୋକ ଆସନ୍ତି ଏବଂ ବିସ୍ତୀର୍ଣ୍ଣ ଶୋଭାରାଜିର ଆନନ୍ଦ ନିଅନ୍ତି। ତେବେ ସେହି ଲୋଭନୀୟ ପରିବେଶର ପ୍ରଚ୍ଛଦରେ ପ୍ରକୃତିର ଗୋଟିଏ ଯନ୍ତ୍ରଣାଦାୟକ କାହାଣୀ ବି ଲୁଚି ରହିଛି। ପ୍ରାକୃତିକ ଓ ମନୁଷ୍ୟକୃତ ସମଷ୍ଟିରୁ ଜନ୍ମ ନେଇଛି ‘ବ୍ଲୁ ଲେକ୍‌’ ବା ‘ନୀଳହ୍ରଦ’। ବାଲେଶ୍ବର ଜିଲ୍ଲା ନୀଳଗିରି ନିକଟ ସ୍ବର୍ଣ୍ଣଚୂଡ଼ ପାହାଡ଼ର ପାଦଦେଶରେ ରହିଛି ଏହି ପର୍ଯ୍ୟଟନ କ୍ଷେତ୍ର।

ନୀଳଗିରି ସହର ଠାରୁ ମାତ୍ର ୬ କିଲୋମିଟର ଦୂର ମିତ୍ରପୁର ଛକ ନିକଟରେ ରହିଛି ବ୍ଲୁ ଲେକ୍‌। ବିସ୍ତୀର୍ଣ୍ଣ ଅଞ୍ଚଳରେ ଜମି ରହିଛି ପାଣି। ଯାହା ଗାଢ଼ ନୀଳ। ଦେଖିଲେ ଇଚ୍ଛା ହେବ ପାଣିରୁ ନୀଳ ରଙ୍ଗତକ କାଢ଼ିଆଣି ଦେହରେ ବୋଳି ହେବାକୁ। ତା’ ସାଥିରେ ନିଜକୁ ମିଶାଇ ଦେବାକୁ। କେବଳ ସେତିକି ନୁହେଁ, ହ୍ରଦ ନିକଟରେ ଶୋଭାପାଉଛି ସ୍ବର୍ଣ୍ଣଚୂଡ଼ ପାହାଡ଼। ହ୍ରଦର ଛାତିରେ ପ୍ରତିବିମ୍ବିତ ହେଉଥିବା ସବୁଜ ବନାନୀର ଆକର୍ଷଣ ଅଦ୍ଭୁତ। ତେଣୁ ଏଠାକୁ ପ୍ରତିଦିନ ବାଲେଶ୍ବର ସହ ଅନ୍ୟ ଜିଲ୍ଲା ତଥା ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି ଏବଂ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି।

‌ତେବେ ଏହି ସୌନ୍ଦର୍ଯ୍ୟ ପଛରେ ପ୍ରକୃତିର ଏକ ଯନ୍ତ୍ରଣାଦାୟକ କାହାଣୀ ଲୁଚିରହିଛି। ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରେ ଅନେକ ପଥର ଖାଦାନ ଅଛି। ଯେଉଁଠାରୁ ପଥର ଉତ୍ତୋଳନ ହୋଇଥାଏ। ବ୍ଲୁ ଲେକ୍‌ ଥିବା ସ୍ଥାନରେ ପୂର୍ବରୁ ପଥର ଖାଦାନ ଥିଲା। ସଂପୃକ୍ତ ଲିଜ୍‌ଧାରୀମାନେ ସରକାରଙ୍କ ନିର୍ଦ୍ଧ‌ାରିତ ନୀତିନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ପଥର ଖୋଳିଲେ। ସମୟ ଏମିତି ଅସିଲା, ତାହା ବିପଦପୂର୍ଣ୍ଣ ଅଞ୍ଚଳରେ ପରିଣତ ହୋଇଗଲା। ତେଣୁ ରାଜସ୍ବ ବିଭାଗ ଉକ୍ତ ଅଞ୍ଚଳର ଲିଜ୍‌ ରଦ୍ଦ କରିବା ସହ ପଥର ଖନନ ବନ୍ଦ କରିଦେଲା। ଆଉ ସେଇ ଖାଦାନ‌ରେ ପାଣି ଜମି ଏବେ ହ୍ରଦର ରୂପ ନେଇଛି। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ବିପଦପୂର୍ଣ୍ଣ ମଧ୍ୟ। ଏଠାରେ ଏଯାଏ ଏକାଧିକ ପର୍ଯ୍ୟଟକ ଗାଧୋଇବା ବେଳେ ଜୀବନ ହରାଇଛନ୍ତି। ତେଣୁ ପର୍ଯ୍ୟଟକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଥିବା ସ୍ଥାନୀୟ ଲୋକ କହନ୍ତି।

କୁହାଯାଏ ପୂର୍ବରୁ ନୀଳଗିରି‌ରେ କାର୍ଯ୍ୟ କରୁଥିବା ଉପଜିଲ୍ଲାପାଳ ଅବଲି ଏସ୍‌ ନରୱଣେ ଏବଂ ତହସିଲଦାର ମନୋରମା ଭୂୟାଁ ଉକ୍ତ ଅଞ୍ଚଳକୁ ପର୍ଯ୍ୟଟନ କ୍ଷେତ୍ରରେ ରୂପାନ୍ତର କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ଉଭୟଙ୍କ ବଦଳି ପରେ ପ୍ରସ୍ତାବ ପ୍ରସ୍ତାବରେ ହିଁ ରହିଯାଇଛି। ଅନ୍ୟପଟେ ସ୍ଥାନୀୟ ଲୋକ ମଧ୍ୟ ବ୍ଲୁ ଲେକ୍‌ର ବିକାଶ ସହ ଏହାକୁ ଏକ ପର୍ଯ୍ୟଟକସ୍ଥଳ କରିବା ପାଇଁ ଜନପ୍ରତିନିଧିଙ୍କୁ ପ୍ରସ୍ତାବ ଦେଇଛନ୍ତି। ଯାହାଦ୍ବାରା ସରକାର ରାଜସ୍ବ ପାଇ ପାରନ୍ତେ। ହେଲେ ପ୍ରସ୍ତାବର କାର୍ଯ୍ୟକାରିତା ନେଇ ଏଯାଏ କିଛି ବି କାମ ହୋଇ ନାହିଁ। ହ୍ରଦ ନିକଟରେ କେପି ମହଲା, ମହିଷାପଟ୍ଟା ଓ ମଛୁଆ ପଞ୍ଚାୟତ ରହିଛି। ଏହି ପଞ୍ଚାୟତର ସର୍ବମୋଟ ଜନସଂଖ୍ୟା ପ୍ରାୟ ୨୦ ହଜାର ହେବ। ଯେଉଁ ଲୋକମାନେ ଖରାଦିନେ ପାନୀୟ ଜଳ ସମସ୍ୟାକୁ ସାମ୍ନା କରନ୍ତି। ତେଣୁ ବ୍ଲୁ ଲେକ୍‌ର ପାଣିକୁ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପଞ୍ଚାୟତବାସୀଙ୍କ ପାଖକୁ ପହଞ୍ଚାଯାଇ ପାରିଲେ ତାହା ବିକାଶ କ୍ଷେତ୍ରରେ ଏକ ବଡ଼ ଉପଲବ୍‌ଧି ହେବ। ବ୍ଲୁ ଲେକ୍‌ ପର୍ଯ୍ୟଟକଙ୍କୁ ଆନନ୍ଦ ଦେବା ସହ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତାକୁ ପୂରା କରିବାରେ ସକ୍ଷମ ହୁଅନ୍ତା ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।

ବ୍ଲୁ ଲେକ୍‌ର ବିକାଶ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦଙ୍କ ପ୍ରତିକ୍ରିୟା ନିଅଯାଇଥିଲା। ସେ ଏହାକୁ ପର୍ଯ୍ୟଟନସ୍ଥଳୀ କରିବା ନେଇ ତତ୍‌କାଳୀନ ଉପଜିଲ୍ଲାପାଳ ଓ ତହସିଲଦାର ଦେଇଥିବା ପ୍ରସ୍ତାବ ବାବଦରେ ଜାଣି ନାହାନ୍ତି। କିନ୍ତୁ ଆଗାମୀ ଜିଲ୍ଲା ପରିଷଦ ବୈଠକରେ ଏନେଇ ଆଲୋଚନା କରିବେ ବୋଲି କହିଛନ୍ତି। ସେହିପରି ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ବୁଦ୍ଧିଜୀବୀଙ୍କ ମତକୁ ବିଚାର କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କଥା ହେବେ ଏବଂ ବ୍ଲୁ ଲେକ୍‌ର ବିକାଶ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର