କୁମାରପୂର୍ଣ୍ଣିମାରେ ଆକାଶରେ ଦେଖିବାକୁ ମିଳିଲା ‘ନୀଳ ଜହ୍ନ’ ! ଜହ୍ନ ଧଳା ଦିଶୁଛି, ପୁଣି ନୀଳ ହେଲା କେମିତି ?? ଜାଣନ୍ତୁ କାରଣ
ଭୁବନେଶ୍ବର: ଅକ୍ଟୋବର ୩୧ ତାରିଖ ଶନିବାର ଅର୍ଥାତ ଆଜି କୁମାରପୂର୍ଣ୍ଣିମାରେ ଆକାଶରେ ‘ନୀଳ ଜହ୍ନ’ ଦେଖିବାକୁ ମିଳିଛି। ତେବେ କେହି କେହି ଏହି ଜହ୍ନକୁ ଦେଖି ପ୍ରଶ୍ନ କରିଛନ୍ତି ପ୍ରତିଥର ପରି ଏଥର ବି ତ ଜହ୍ନ ଧଳା ଓ ଉଜ୍ଜ୍ବଳ ଦେଖା ଦେଉଛି ତେବେ ଏହାକୁ କାହିଁକି ନୀଳ ଜହ୍ନ ବୋଲି କୁହାଯାଉଛି ?
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆସନ୍ତୁ ଜାଣିବା ନୀଳ ଜହ୍ନ କ’ଣ ଓ ଏହା କେତେ ବିରଳ ?
ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ବିତୀୟ ପୂର୍ଣ୍ଣିମାର ଜହ୍ନକୁ ‘ନୀଳ ଜହ୍ନ’ ଭାବେ ନାମିତ କରାଯାଇଥାଏ। ଯାହାର ଚନ୍ଦ୍ରର ରଙ୍ଗ ସହିତ କୌଣସି ସମ୍ପର୍କ ନ ଥାଏ। ‘ନୀଳ ଜହ୍ନ’ ନାମକରଣ ଏକ କ୍ୟାଲେଣ୍ଡର ମାସରେ ଦ୍ବିତୀୟ ପୂର୍ଣ୍ଣିମାକୁ ବ୍ୟାଖ୍ୟା କରିବା ପାଇଁ ବ୍ୟବହୃତ ହୋଇଥାଏ। ‘ବ୍ଲୁ ମୁନ’ ଶବ୍ଦଟି ଲୋକପ୍ରିୟ ଇଂରାଜୀ କଥନିକା ‘ୱାନ୍ସ ଇନ ଏ ବ୍ଲୁ ମୁନ’ରୁ ସୃଷ୍ଟି ହୋଇଛି। ତେବେ ଏହା ଏକ ବିରଳ ଘଟଣା ହୋଇଥିବାରୁ ଜହ୍ନର ଏଭଳି ନାମକରଣ କରାଯାଇଛି।
ଏ ପ୍ରସଙ୍ଗରେ ପଠାଣି ସାମନ୍ତ ପ୍ଲାନେଟୋରୟମର ଉପ-ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ନୀଳ ଜହ୍ନ କେବଳ ଏକ ନାମକରଣ। ଗୋଟିଏ କ୍ୟାଲେଣ୍ଡର ମାସରେ ଦ୍ବିତୀୟ ପୂର୍ଣ୍ଣିମାକୁ ବ୍ୟାଖ୍ୟା କରିବା ପାଇଁ ଏହାକୁ ନୀଳ ଜହ୍ନ ବୋଲି ନାମକରଣ କରାଯାଇଛି। ବିରଳ ଘଟଣା ହୋଇଥିବାରୁ ଏପରି ନାମ ବ୍ୟବହୃତ ହୁଏ ବୋଲି ସେ କହିଛନ୍ତି। ଡ. ପଟ୍ଟନାୟକଙ୍କ କହିବା ମୁତାବକ ଦୁଇଟି କ୍ରମାଗତ ପୂର୍ଣ୍ଣିମା ମଧ୍ୟରେ ସମୟ ପ୍ରାୟ ୨୯.୫ ଦିନ। ତେଣୁ ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ହେବା ପାଇଁ, ପ୍ରଥମ ପୂର୍ଣ୍ଣିମା ମାସର ୧ କିମ୍ବା ୨ ତାରିଖରେ ହେବା ଉଚିତ୍। ୩୦ ଦିନିଆ ମାସ ଅପେକ୍ଷା ୩୧ ଦିନିଆ ମାସରେ ଏକ ନୀଳଜହ୍ନ ହେବାର ସମ୍ଭାବନା ଅଧିକ।
୩୧ ଦିନ ଥିବା ମାସରେ ନୀଳଜହ୍ନ ୨ ରୁ ୩ ବର୍ଷ ଅନ୍ତରରେ ଦେଖିବାକୁ ମିଳେ। ଏପରି ନୀଳଜହ୍ନ ଗତ ୨୦୧୮ ମସିହା ମାର୍ଚ୍ଚ ଏବଂ ଜାନୁଆରି ମାସରେ ଦେଖିବାକୁ ମିଳିଥିଲା। ୨୦୨୩ ଅଗଷ୍ଟରେ ଏପରି ପୁନଃ ହେବ। ୩୦ ଦିନର ଏକ ମାସରେ ଶେଷ ବ୍ଲୁ ମୁନ୍ ୨୦୦୭ ଜୁନ୍ ୩୦ ତାରିଖରେ ପଡ଼ିଥିଲା। ପୁନଃ ଏହା ୨୦୫୦ ମସିହା ସେପ୍ଟେମ୍ବର ମାସ ୩୦ ତାରିଖରେ ହେବ। କୌତୁହଳର ବିଷୟ ହେଲା ଏହି ଅକ୍ଟୋବର୍ ମାସର ନୀଳଜହ୍ନ ଖ୍ରୀଷ୍ଟିଆନ୍ ମାନଙ୍କ ହାଲୋଇନ୍ ପର୍ବ ଦିନ ପଡ଼ୁଛି। ଶେଷଥର ହାଲୋଇନ୍ ଦିନ ପୂର୍ଣ୍ଣଚନ୍ଦ୍ର ୧୯୪୪ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପଡ଼ିଥିଲା ।
ବାୟୁମଣ୍ଡଳରେ ଆଗ୍ନେୟଗିରି ପାଉଁଶ, ଧୂଆଁ, ବାୟୁରେ ଜଳ ବୁନ୍ଦା କିମ୍ବା ମେଘର ସ୍ଥିତି ଯୋଗୁଁ କେବେ କେବେ ଏକ ପୂର୍ଣ୍ଣିମା ଜହ୍ନ କିଛି ସମୟ ପାଇଁ ନୀଳ ଦେଖାଯାଇପାରେ। କିନ୍ତୁ ଏହା ଅତି ବିରଳ। ଆସନ୍ତାକାଲି ରାତି ୮.୧୯ ରେ ପୂର୍ଣ୍ଣିମା ଜହ୍ନ ଦେଖାଯିବ। ଏହା ଉଭୟ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା, ଆଫ୍ରିକା, ସମଗ୍ର ୟୁରୋପ ଓ ଏସିଆର ଅନେକାଂଶରେ ଦେଖିହେବ ବୋଲି ସେ କହିଛନ୍ତି।