ଆସିକା : ଅପରେସନ୍ ‘କ୍ରିମିନାଲ୍ କ୍ଲିନ୍’ ମାଧ୍ୟମରେ ଅପରାଧୀ ଦମନ ଅଭିଯାନ ଓ ୫୦ ପାଖାପାଖି ଏନ୍କାଉଣ୍ଟର୍ କରି ସାରିଥିବା ଗଞ୍ଜାମ ପୁଲିସର କିଛି ବଛା ବଛା ଅଫିସର୍ ଏବେ ଅପରାଧୀଙ୍କ ଟାର୍ଗେଟ୍ରେ। କିଛି ବର୍ଷ ତଳେ ଅପରାଧୀଙ୍କ ହୃତ୍ସ୍ପନ୍ଦନ ବଢ଼ାଇ ଦେଇଥିବା ଶେରଗଡ଼ ଥାନା ଓଆଇସିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିଲା। ଏବେ ଅପରାଧୀଙ୍କ ଟାର୍ଗେଟରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିକାରୀ। ଗତ କିଛି ବର୍ଷ ଭିତରେ ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ଆସିକା ଥାନା ଇଲାକାରେ ଅପରାଧ ନିୟନ୍ତ୍ରଣଠୁ ଆରମ୍ଭ କରି ବେଆଇନ୍ ମଦ କାରବାର ଉପରେ ଅଙ୍କୁଶ ଲଗାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ଥାନା ଅଧିକାରୀ ସନ୍ତୋଷ କୁମାର ଜେନା। ତାଙ୍କୁ ଟ୍ରକ୍ ଚପାଇ ଓ ଟିଫିନ୍ ବୋମା ବିସ୍ଫୋରଣ କରି ହତ୍ୟା କରିବାକୁ ଯୋଜନା ଆରମ୍ଭ ହୋଇଛି। ହାଇ ପ୍ରୋଫାଇଲ୍ ଅପରାଧୀ ଗୋଷ୍ଠୀ ଏଥିଲାଗି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ପୁଲିସ ଗୁଇନ୍ଦା ସୂଚନା ମିଳିବା ପରେ ଖେଳାତାଡ଼ ଆରମ୍ଭ ହୋଇଛି। ଗତ ଏକ ବର୍ଷ ମଧୢରେ ଅଣ୍ତରଗ୍ରାଉଣ୍ତ ଥିବା କିଛି ଦୁର୍ଦ୍ଦାନ୍ତ ଅପରାଧୀ ଆସିକାରେ ଏକାଠି ହୋଇ ଏଭଳି ଗୁପ୍ତ ଯୋଜନାକୁ ରୂପ ଦେବାକୁ ଲାଗି ପଡ଼ିଛନ୍ତି। ଖାଲି ଏତିକି ନୁହେଁ, ଗ˚ଜାମ ଜିଲ୍ଲାର ସବୁଠୁ ସମ୍ବେଦନଶୀଳ ଜେଲ୍ ଭାବେ ପରିଚିତ ଆସିକା ଜେଲ୍ରୁ ବି କିଛି ଅପରାଧୀ ଏଥିପାଇଁ ନିଜ ନେଟଵର୍କ ସକ୍ରିୟ କରି ଦେଇଛନ୍ତି। ଫଳରେ ଏହାକୁ ନେଇ ଚର୍ଚ୍ଚା ବର୍ତମାନ ଜୋର୍ ଧରିଛି।
ଥାନା ଅଧିକାରୀ ଭାବେ ଆସିକାରେ ଶ୍ରୀ ଜେନା ଦାୟିତ୍ବ ନେବା ପରେ ଏକ ବର୍ଷ ମଧୢରେ ୨୦୯ ଅବକାରୀ ମାମଲା ରୁଜୁ ସହ ୨୨୪ଜଣଙ୍କୁ ଗିରଫ କରିଛନ୍ତି। ସେହିପରି ଡକାୟତି ଉଦ୍ୟମ ମାମଲାରେ ୮୯ ଜଣଙ୍କୁ ଗିରଫ କରିବା ସହ ୧୪ଟି ପିସ୍ତଲ, ୧୯ ଗୁଳି ଜବତ ହୋଇଛି। ବଡ଼ଗଡ଼ ଥାନା ଇଲାକାରେ ସ˚ଘଟିତ ସନିଆ ବିଷୋୟୀ ହତ୍ୟା ମାମଲାର ଅଭିଯୁକ୍ତକୁ ଗିରଫ, କବିସୂର୍ଯ୍ୟନଗର ଥାନା ଇଲାକା ବହୁଚର୍ଚ୍ଚିତ ନାବାଳିକଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ, ପ୍ରତାପ ପୋଲାଇ ହତ୍ୟା ମୁଖ୍ୟ ଅଭିଯୁକ୍ତକୁ ଗିରଫ, କର୍ଣ୍ଣୋଳି ଗ୍ରାମରେ ଶାନ୍ତି ପ୍ରତିଷ୍ଠା, ଦାଦାବଟି ଆଦାୟ ମୂଳପୋଛ ସହ ବହୁ ପୁରୁଣା ଅପରାଧରେ ସ˚ପୃକ୍ତ ଅପରାଧୀଙ୍କୁ ଗିରଫ କରିବାରେ ଥାନା ଅଧିକାରୀ ଶ୍ରୀ ଜେନାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଫଳରେ ଅପରାଧୀ ମହଲରେ ଛନକା ପଶିଯାଇଛି। ଗତ ବର୍ଷକ ଭିତରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ବାଳ ଓ ଟୁନା ଗୌଡ଼ ଏବ˚ ଅନ୍ତଃରାଜ୍ୟ ଅପରାଧୀ ଲକ୍ଷ୍ମଣ ରାଜପୁତଙ୍କ ଭଳି ଅପରାଧୀଙ୍କୁ ଏନ୍କାଉଣ୍ଟର ପରେ ଥାନା ଅଧିକାରୀ ଶ୍ରୀ ଜେନା ଅପରାଧୀଙ୍କ ଟାର୍ଗେଟକୁ ଆସି ଯାଇଥିଲେ। ଖାଲି ଏତିକି ନୁହେଁ, ସୋରଡ଼ାରେ ସେ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁ ତାରିଣୀକୁ ଏନକାଉଣ୍ଟର କରିଥିଲେ। ବର୍ତମାନ ଦାଦାବଟି ଓ ବେଆଇନ୍ ମଦ କାରବାରକୁ ରୋକିବାରେ ଥାନା ଅଧିକାରୀଙ୍କ ସଫଳତା ଅପରାଧୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ପରିସ୍ଥିତିରେ ତାଙ୍କୁ ରାସ୍ତାରୁ ହଟାଇବା ଲାଗି ଅପରାଧୀ ଗୋଷ୍ଠୀ ଯୋଜନା ଆରମ୍ଭ କରିଥିବା ସୁରାକ୍ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Aska-Thana.jpg-ff.jpg)