ମହାକାଳପଡ଼ା: ଷ୍ଟିଲ୍‌ ପ୍ଲାଣ୍ଟ୍‌ ପାଇଁ ବ୍ଲୁ-ପ୍ରିଣ୍ଟ୍‌

ଭିତ୍ତିଭୂମି ପାଇଁ ୧୦୪ କୋଟିର ଟେଣ୍ତର‌୍‌, ୧୦ହଜାର ୪୪୧ ଏକର ଜମିରେ ପ୍ରତିଷ୍ଠା ହେବ ଶିଳ୍ପ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଆର୍ସେଲ୍‌ ମିତ୍ତଲ ନିପନ ଷ୍ଟିଲ୍‌ ପକ୍ଷରୁ ହେବାକୁଥିବା ଦେଶର ସର୍ବବୃହତ୍‌ ଇସ୍ପାତ ଶିଳ୍ପ ଓ ସିମେଣ୍ଟ୍‌ କାରଖାନା ପ୍ରତିଷ୍ଠା ପାଇଁ ଏବେ ଭିତ୍ତିଭୂମି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରସ୍ତାବିତ ପ୍ରକଳ୍ପସ୍ଥଳକୁ ରାସ୍ତା, ବିଜୁଳି ଆଉ ପାଣି ସ˚ଯୋଗ ଦିଗରେ ତ୍ବରିତ୍‌ ପଦକ୍ଷେପ ନେବାପାଇଁ ବିଭିନ୍ନ ବିଭାଗକୁ ନିର୍ଦେଶ ଦିଆଯାଇଛି। ପୂର୍ତ୍ତ ବିଭାଗ-୨ ମାର୍ଶାଘାଇ-ଜମ୍ବୁ କେନାଲ୍‌ ରାସ୍ତା ପ୍ରଶସ୍ତୀକରଣ ପାଇଁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ମୋଟ ୧୦୪ କୋଟି ଟଙ୍କା ବ୍ୟୟରେ ୨୪ କିଲୋମିଟରର ଏହି କେନାଲ ବନ୍ଧ ରାସ୍ତା ଚଉଡ଼ା କରାଯିବାକୁ ଯୋଜନା ହୋଇଛି।

ଶିଳ୍ପଶୂନ୍ୟ ଜିଲ୍ଲା ରାଜ୍ୟରେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ପ୍ରସ୍ତାବିତ ଏହି ଷ୍ଟିଲ୍‌ ପ୍ଲାଣ୍ଟ୍‌ ଜିଲ୍ଲାବାସୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ମୋଟ ୧୦ହଜାର ୪୪୧ଏକର ପରିମିତ ଅ˚ଚଳରେ ଏହି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ଦୁଇ ପର୍ଯ୍ୟାୟରେ ଜମି ଅଧିଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ୪ହଜାର ୪୪୧ଏକର ଜମି ଅଧିଗ୍ରହଣ ପାଇଁ ତହସିଲ ପ୍ରଶାସନ ନୋଟିସ୍‌ କରିଥିଲା। ବତୀଘର ପ˚ଚାୟତର ବଡ଼ଟୁବି ଗାଁର ୮୩୦ ଏକର, ବରକୋଳିଖଳାରେ ୧୯୧ଏକର, ବତୀଘରରେ ୩୮ଏକର, ଯୋଗୀଧାନକୁଦର ୪୩୬ଏକର, ନିପାଣିଆରେ ୩୧୩ଏକର, ସରଳୀକୁଦରେ ୧୨୦ଏକର, ବନବିହାରୀପୁରରେ ୩୧୬ଏକର, ଖରିନାସୀରେ ୧୮୬୦ଏକର, ରାମନଗର ପ˚ଚାୟତର ରାମନଗର ଗ୍ରାମର ୩୧୦ଏକର ଜମି ଅଧିଗ୍ରହଣ ପାଇଁ ଏହି ନୋଟିସ୍‌ ଜାରି କରାଯାଇ ଜନସାଧାରଣଙ୍କଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଛି। ଅବଶିଷ୍ଟ ୬ହଜାର ଏକର ଜମି ଅଧିଗ୍ରହଣ ପାଇ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

ସ˚ପ୍ରତି ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବା ବେଳେ ଅନ୍ୟପଟେ ମାଟି ପରୀକ୍ଷା ବି ଆରମ୍ଭ ହୋଇଛି। ଖରିନାସୀ ପ˚ଚାୟତର ହରିଆବାଙ୍କରେ ଜମି ମାଟି ପରୀକ୍ଷା କରିବାକୁ ଏକ ଟିମ୍‌ ଆସିଥିବା ବେଳେ ଅ˚ଚଳବାସୀ ଏହାର ବିରୋଧ କରିବାରୁ ମାଟି ପରୀକ୍ଷା ହୋଇପାରିନାହିଁ।

ଏ ସବୁ ବିବାଦ ଭିତରେ ଆଶ୍ବସ୍ତିର ବିଷୟ ହେଉଛି ଯେ ୨୪କିଲୋମିଟର‌୍‌ ମାର୍ଶାଘାଇ-ଜମ୍ଭୁ କେନାଲ୍‌ ରାସ୍ତା ଚଉଡ଼ା ହେବାକୁ ଯାଉଛି। ଏଥିପାଇଁ କେନାଲ ବିପରୀତ ପାର୍ଶ୍ବକୁ ପୋତା ଯିବ। ଅନ୍ୟପଟେ ବଉଳକଣି ପ୍ରଭାକରପୁରଠାରୁ ଖରିନାସୀ ବଡ଼ଟୁବି ପ୍ରକଳ୍ପସ୍ଥଳ ଯାଏ ଅଢେ଼ଇ କିଲୋମିଟର ନୂଆ ରାସ୍ତା ତିଆରି କରାଯିବ। ଏଥିପାଇଁ ୧୪କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସମ୍ବନ୍ଧିତ ଖବର