ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ଆଜି ସବୁ ରାଜ୍ୟର ଶିକ୍ଷା ମନ୍ତ୍ରୀମାନଙ୍କ ସହ କେନ୍ଦ୍ରର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ଚଳିତ ବର୍ଷ କୋଭିଡ ମହାମାରୀ ଭିତରେ ଦ୍ବାଦଶ କିମ୍ବା ଯୁକ୍ତ ଦୁଇ ପରୀକ୍ଷା କିପରି କରାଯିବ। ଏ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀମାନଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ।

ଏଥିପାଇଁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷାମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ଭିଡିଓ କନଫରେନ୍‌ସିଂ ଜରିଆରେ ହେବାକୁ ଥିବା ଏହି ଆଲୋଚନାରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ ଓ ଶିକ୍ଷା ପରିଷଦର ଅଧ୍ୟକ୍ଷମାନେ ସାମିଲ ହେବେ। ଏହି ବୈଠକରେ କେନ୍ଦ୍ର ମହିଳାଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍‌ ଇରାନି ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱଡ଼େକର ଯୋଗଦେବେ ବୋଲି ମନ୍ତ୍ରୀ ଶ୍ରୀ ନିଶଙ୍କ ଜଣାଇଛନ୍ତି।

ସେ ଆହୁରି ଉଲ୍ଲେଖ କରିଛନ୍ତି କି, ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ର ବିଦ୍ୟାଳୟ ଓ ସାକ୍ଷରତା ବିଭାଗ ଓ ସିବିଏସ୍‌ଇ ଏ ନେଇ ରାସ୍ତା ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ବେଳେ ଶିକ୍ଷକ ଓ ପରୀକ୍ଷାର୍ଥୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଯେପରି ସୁନିଶ୍ଚିତ କରାଯିବ, ସେଥିପାଇଁ ସବୁ ପ୍ରକାର ଦୃଷ୍ଟି ଦିଆଯିବ। କୋଭିଡ ମହାମାରୀ ସଂକ୍ରମଣକୁ ଦେଖି ସବୁ ରାଜ୍ୟର ଶିକ୍ଷା ପରିଷଦ, ସିବିଏସ୍‌ଇ ଓ ଆଇସିଏସ୍‌ଇ ୨୦୨୧ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ସେହିପରି ଜାତୀୟ ଟେଷ୍ଟିଂ ଏଜେନ୍‌ସି (ଏନ୍‌ଟିଏ) ଓ ଅନ୍ୟ ଜାତୀୟ ସ୍ତରର ପରୀକ୍ଷା ସବୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏପରିକି ବୃତ୍ତିଗତ ଶିକ୍ଷା ପରୀକ୍ଷା ବି ସ୍ଥଗିତ ରହିଛି। ଏ ନେଇ ରାଜ୍ୟମାନେ ସୁଚିନ୍ତିତ ମତାମତ ଦେବେ। ଏହାସହିତ ଟ୍ବିଟର୍‌ ଯୋଗେ ପିଲାମାନଙ୍କ ବାପା ଓ ମା’, ଅଭିଭାବକ, ଶିକ୍ଷକ ଓ ଅନ୍ୟମାନେ ମତାମତ ଦେବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ନିଶଙ୍କ ଅନୁରୋଧ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରଣାଳୟ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଲାଗି ଦୁଇ ପ୍ରକାରର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିସାରିଛି। ପ୍ରଥମଟି ହେଲା ସ୍ବାଭାବିକ ପରୀକ୍ଷା କରିବା। ସମସ୍ତ ୬ଟି ବିଷୟରେ ପରୀକ୍ଷା ନକରି ଗୁରୁତ୍ବପୂର୍ଣ୍ଣ ବିଷୟକୁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇପାରେ। ଏପିରି ହେଲେ ୩ ମାସ ସମୟ ଆବଶ୍ୟକ। ଦ୍ବିତୀୟଟି ହେଲା ସଂକ୍ଷିପ୍ତ ପରୀକ୍ଷା। ୬ଟି ବିଷୟ ବଦଳରେ ଭାଷାରୁ ଗୋଟିଏ ପେପର ଏବଂ ୩ଟି ପେପର ଇଲେକ୍ଟିଭରୁ ନେଇ ମୋଟ ୪ଟି ବିଷୟରେ ପରୀକ୍ଷା ହେବ। ମଲଟିପୁଲ ଚଏସ, ଅବଜେକ୍ଟିଭ ଓ ସର୍ଟ ଟାଇପ ପ୍ରଶ୍ନ ଆସିବ। ଏହି ୪ଟି ପରୀକ୍ଷାର ନମ୍ବର ଆଧାରରେ ପଞ୍ଚମ ଓ ଷଷ୍ଠ ପେପର ପାଇଁ ମାର୍କ ଦିଆଯିବ। ୩ ଘଣ୍ଟା ବଦଳରେ ଦେଢ଼ ଘଣ୍ଟାର ପରୀକ୍ଷା ହୋଇପାରେ। ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ସରିବାର ୧୫ ଦିନ ଭିତରେ ଫଳ ପ୍ରକାଶ ପାଇବ। ଏପରି କଲେ ବି ୪୫ ଦିନ ସମୟ ଲାଗିବ। ଯେଉଁମାନେ କରୋନା ଆକ୍ରାନ୍ତ ଯୋଗୁ ପରୀକ୍ଷା ଦେଇ ନ ପାରିବେ, ସେମାନଙ୍କୁ ପରବର୍ତ୍ତୀ ସମୟରେ ଆଉ ଏକ ସୁଯୋଗ ମିଳିବ। ତେବେ ଆସନ୍ତାକାଲି ଆଲୋଚନା ଏସବୁ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର