ଭୁବନେଶ୍ୱର : ମୁଣ୍ଡବିନ୍ଧାର କାରଣ ସାଜିଛି ସାଇବର ଅପରାଧ। କେତେବେଳେ ଓଏଏସ୍‌, ଓପିଏସ୍‌ ଅଫିସର ଆଉ କେତେବେଳେ ଆଇପିଏସ୍‌ ଅଫିସର। ଆଉ କେତେବେଳେ ସାଧାରଣ ଲୋକ। ସାଇବର ଅପରାଧ ସମସ୍ତଙ୍କ ନିଦ ହଜାଇ ଦେଇଛି। ଶହ ଶହ ମାମଲା ଥାନା ଠାରୁ ଆରମ୍ଭ କରି କ୍ରାଇମ୍‌ବ୍ରାଞ୍ଚ ପର୍ଯ୍ୟନ୍ତ ଗଦା ‌ହୋଇ ରହିଥିଲେ ମଧ୍ୟ ପୁଲିସ ଚୋରର ନାମଗନ୍ଧ ପାଉନାହିଁ। ଯୋଜନ ଯୋଜନ ଦୂରରେ ବସି କୋଟି କୋଟି ଟଙ୍କା ଠକି ନେଉଛି ଦୁର୍ବୃତ୍ତ। ବ୍ୟାଙ୍କ୍‌ ଆକାଉଣ୍ଟରୁ ନିମିଷକେ କଳାକନା ବୁଲାଇ ଦେଉଛି। ଫଳରେ କ୍ଷତିଗ୍ରସ୍ତର ନିଦ ହଜିଛି, ଆଉ ଅଚିନ୍ତାରେ ଶୋଇଛି ପୁଲିସ। ଗୋଟିଏ ହେଲେ ମାମଲା‌ରେ ପୁଲିସକୁ ସଫଳତା ମିଳିନାହିଁ। କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଏହି ମାମଲାରେ ଆଖିଦୃଶିଆ ସଫଳତା ପାଇନାହିଁ।

Advertisment

ଏଭଳି ଏକ ପରିସ୍ଥିତିକୁ ଆଖି ଆଗରେ ରଖି କ୍ରାଇମ୍‌ବ୍ରାଞ୍ଚ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଯେଉଁ ସବୁ ଅଭିଯୋଗ ହୋଇଛି ସେ ସବୁର ଏକ ଡାଟାବେସ୍‌ ପ୍ରସ୍ତୁତ କରାଯାଇଛି। ଯେଉଁ ନମ୍ବରରୁ ଫୋନ୍‌ ଆସିବା ପରେ ଆକାଉଣ୍ଟରୁ ଟଙ୍କା କଟି ଯାଇଛି ସେ ସବୁକୁ ଟ୍ରାକ୍‌ କରାଯାଇଛି। ଅଧିକାଂଶ ବାହାର ରାଜ୍ୟରୁ ରହିଛି। ସେହିଭଳି ଯେଉଁ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ହୋଇଛି ସେଗୁଡ଼ିକୁ ମଧ୍ୟ ରେକର୍ଡ କରାଯାଇଛି। ଅନ୍ୟ ରାଜ୍ୟମାନଙ୍କ ସହ ସମନ୍ବୟ ରକ୍ଷା କରାଯାଇ ଚଢ଼ଉ ହେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କ୍ରାଇମ୍‌ବ୍ରାଞ୍ଚ।

ସୂଚନାଯୋଗ୍ୟ, ଏଟିଏମ୍‌ କାର୍ଡ ନବୀକରଣ, କ୍ରେଡିଟ୍‌ କାର୍ଡ ଆକ୍ଟିଭେସନ, ନୂଆ ଗ୍ୟାସ୍‌ ସଂଯୋଗ, ଅନ୍‌ଲାଇନ୍‌ରେ ମଦ ଏଭଳି ବିଭିନ୍ନ ଉପାୟରେ ଦୁର୍ବୃତ୍ତ ଅନ୍‌ଲାଇନ୍‌ରେ କୋଟି କୋଟି ଟଙ୍କା ଠକି ନେଇଛି। ତାଲାବନ୍ଦ ସମୟରେ ଲୋକମାନେ ଅନ୍‌ଲାଇନ୍‌ରେ ଆର୍ଥିକ କାରବାର କରିବାକୁ ଏକରକମ୍‌ ବାଧ୍ୟ ହୋଇଥିବାରୁ ଲୁଟେରା ଏହାକୁ ସୁଯୋଗ ଭାବରେ ନେଇଥିଲେ। କେତେକ ବରିଷ୍ଠ ଅଧିକା‌ରୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌ କରି ବନ୍ଧୁମାନଙ୍କ ଠାରୁ ଦୁର୍ବୃତ୍ତ ଟଙ୍କା ନେଇ ଯାଇଥିଲେ। ଏ ନେଇ ଓପିଏସ୍‌, ଓଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ହତାଶ ହୋଇ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଏପ୍ରିଲରୁ ଜୁନ୍‌ ଭିତରେ କେବଳ ଭୁବନେଶ୍ବରର ୧୩ଟି ଥାନାରେ ୨୭ରୁ ଊର୍ଦ୍ଧ୍ବ ସାଇବର ଅପରାଧ ମାମଲା ରୁଜୁ ହୋଇଛି। ସେହିଭଳି ଏହି ଅପରାଧକୁ ନେଇ ୨୦୧୭ ମସିହାରେ ରାଜ୍ୟରେ ମୋଟ ୭୧୯ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ୭୩୮, ୨୦୧୯ରେ ୮୪୩ ଓ ୨୦୨୦ ଜୁନ୍‌ ସୁଦ୍ଧା ୭୪୦ଟି ମାମଲା ରୁଜୁ ହୋଇଛି। ଯାହା ସାଇବର ଅପରାଧ ବୃଦ୍ଧି ପାଉଥିବା ପ୍ରମାଣିତ କରୁଛି।

ଏ ନେଇ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ସାଇବର ଅପରାଧ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ଆମେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛୁ ବୋଲି ସେ କହିଛନ୍ତି।