ଭୁବନେଶ୍ୱର: ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାମାନଙ୍କର ‘ଏସ୍କାଲେସନ ଫି’ ବାବଦକୁ ଶହେକୋଟିରୁ ଊର୍ଦ୍ଧ୍ବ ବକେୟା ରାଶି ଏବେ ବିଏମ୍‌ସି ପୈଠ କରିବାକୁ ଯାଉଛି। ଏଥିପାଇଁ ବିଏମ୍‌ସିର ଝାଳବୁହା ଧନ କୁହାଯାଉଥିବା ବର୍ଷ ବର୍ଷର ଫିକ୍ସଡ୍‌ ଡିପୋଜିଟ୍‌ ଭଙ୍ଗାଯିବ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ରେ ‘ଏଫଡି’ ଆକାରରେ ଥିବା ୧୭୨ (ସୁଧ ସହ ୧୮୯) କୋଟି ଟଙ୍କା ଉଠାଯାଇ ୨ଟି ଠିକାସଂସ୍ଥାଙ୍କୁ ପ୍ରଦାନ କରିବା ପାଇଁ ଯୋଜନା ହୋଇଛି। ଶହେକୋଟିର ଏହି କାରବାରରେ ମୋଟା ଅଙ୍କର ପକେଟ ଗୁଞ୍ଜା ଆଶା ଥିବାରୁ କର୍ତ୍ତୃପକ୍ଷ ସେଥିରେ ଲାଗିଥିବା ଅଭିଯୋଗ ‌ହୋଇଛି। ୨୦୧୩ ମସିହାରୁ ଏହି ବିବାଦ ରହିଥିଲେ ମଧ୍ୟ ସେତେବେଳେ ସମାଧାନ କରାନଯାଇ ୧୦ ବର୍ଷ ପରେ କାହିଁକି କରାଯାଉଛି? ସେତେବେଳେ କରାଯାଇଥିଲେ ହୁଏତ ଏତେ ଟଙ୍କାର ବୋଝ ବିଏମ୍‌ସି ଉପରେ ପଡ଼ିନଥାନ୍ତା। ଯେଉଁ ଅପାରଗ ଅଧିକାରୀଙ୍କ ଯୋଗୁ ଉଚିତ୍‌ ସମୟରେ ଏହାର ସମାଧାନ ହୋଇ ପାରିନଥିଲା, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନଥିବା ବେଳେ କର୍ପୋରେଟର ମଧ୍ୟ ଏ ବାବଦରେ ମୁହଁ ଖୋଲୁ ନାହାନ୍ତି। ଗୋଟିଏ ପଟେ ବଡ଼ବଡ଼ିଆଙ୍କ ଠାରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେଉନଥିବାରୁ ବିଏମ୍‌ସି ବର୍ଷକୁ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରାଜସ୍ବ ହରାଉଛି, ଏଣେ ବର୍ଷ ବର୍ଷର ଜମା ପୁଞ୍ଜିକୁ ଏଭଳି ବରବାଦ କରିଦେବାକୁ ଅନେକ ଗ୍ରହଣ କରିପାରୁ ନାହାନ୍ତି।

Advertisment

୧୦ଟି ପ୍ୟାକେଜ୍‌ ବିଶି‌ଷ୍ଟ ସଫେଇ ଟେଣ୍ଡର ପୂର୍ବରୁ ୩ଟି ସଂସ୍ଥା ଭୁବନେଶ୍ବର ସହର ସଫେଇର ଦାୟିତ୍ବ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜାଗୃତି ୱେଲ୍‌ଫେୟାର ଅର୍ଗାନାଇଜେସନ ଅନ୍ୟତମ। ପ୍ୟାକେଜ୍‌-୨ ଓ ପ୍ୟାକେଜ୍‌-୩ ଏହି ସଂସ୍ଥା ଅଧୀନରେ ରହିଥିଲା। ଟନେଜ୍‌ ଆଧାରରେ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ ପାଇଁ ଦର ଧାର୍ଯ୍ୟ ହୋଇଥିଲା। ସଂସ୍ଥା ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଶ୍ରମିକଙ୍କ ମଜୁରି, ତେଲ ଖର୍ଚ୍ଚ ଏବଂ ମରାମତି ଓ ରକ୍ଷଣାବେକ୍ଷଣ ବାବଦକୁ ଖର୍ଚ୍ଚ ବିଭିନ୍ନ ସମୟରେ ବଢ଼ୁଥିବାରୁ ସଂସ୍ଥାକୁ ‘ଏସ୍କାଲେସନ ଫି’ ବାବଦକୁ ଅର୍ଥ ବ୍ୟବସ୍ଥା ରଖାଯାଇଥିଲା। କିନ୍ତୁ ବିଏମ୍‌ସି ଏହି ଅର୍ଥ ଦେଉନଥିଲା। ୨୦୧୯ ମସିହାରେ ପୂର୍ବତନ ପ୍ରଶାସକ ହସ୍ତକ୍ଷେପ କରିବା ପରେ କେବଳ ତେଲ ଓ ରକ୍ଷଣାବେକ୍ଷଣ ବାବଦକୁ ସଂସ୍ଥାକୁ ପ୍ୟାକେଜ୍‌ ୨ ପାଇଁ ୧କୋଟି ୧୮ଲକ୍ଷ ୪୦ ହଜାର ୦୩୫ ଟଙ୍କା ଓ ପ୍ୟାକେଜ୍‌-୩ ପାଇଁ ୨କୋଟି ୯ ଲକ୍ଷ ୧୨ହଜାର ୩୩୯ ଟଙ୍କା ଦିଆଯାଉଥିଲା। ଚୁକ୍ତିନାମା ଆଧାରରେ ଶ୍ରମିକଙ୍କ ମଜୁରି ବାବଦକୁ ଏସ୍କାଲେସନ ଫି’ ଦିଆଯାଉନଥିବାରୁ ସଂସ୍ଥା ୨୦୨୧ ମସିହାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ ଆଇନ ଅନୁଯାୟୀ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ବିଏମ୍‌ସିକୁ ଆଦେଶ ଦେଲେ।

ଇତିମଧ୍ୟରେ ଜାଗୃତି ୫୬ କୋଟି ଟଙ୍କାର ବକେୟା ରାଶି ପାଇବା ପାଇଁ ବିଲ୍‌ ଦାଖଲ କରିଥିଲା। ଏହାକୁ ତର୍ଜମା କରିବା ପରେ ଗତ ଜୁନ୍‌ ୨୬ ତାରିଖରେ ସୁଧ କାଟିବା ପାଇଁ ବିଏମ୍‌ସି ଚିଠି ଲେଖିବା ପରେ ସମ୍ପୃକ୍ତ ସଂସ୍ଥା ୩୫ କୋଟି ୬୬ ଲକ୍ଷ ୦୪ ହଜାର ୨୨୧ଟଙ୍କାର ବିଲ୍‌ ଦାଖଲ କରିଛି। ଅର୍ଥାତ୍‌ ୨୧ କୋଟି ଟଙ୍କା କାଟି ଦେଇଛି। ଏହି ୨୧ କୋଟି ଟଙ୍କା ଆଉ ଦାବି କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛି। ୨୦୧୩ ମସିହାରେ ହାଇଦ୍ରାବାଦର ‘ରାମ୍‌କି ଏନ୍‌ଭାଇରୋ ଇଞ୍ଜିନିୟର୍ସ ଲିମିଟେଡ୍‌’ ବିଏମ୍‌ସି ସହ ଆବର୍ଜନା ସଫେଇ, ସଂଗ୍ରହ ଓ ପରିବହନ ପାଇଁ ଚୁକ୍ତି କରିଥିଲା। ପ୍ରଥମେ ୧୨ଟି ଓ ପରେ ଆଉ ୩ଟି ଅତିରିକ୍ତ ୱାର୍ଡ ସଫେଇ ଦାୟିତ୍ବ ଦିଆଯାଇଥିଲା‌। ୭ ବର୍ଷ ପାଇଁ ହୋଇଥିବା ଚୁକ୍ତିନାମାରେ ପ୍ରତିବର୍ଷ ଶ୍ରମିକଙ୍କ ମଜୁରି, ତେଲ ଖର୍ଚ୍ଚ ଏବଂ ମରାମତି ଓ ରକ୍ଷଣାବେକ୍ଷଣ ବାବଦକୁ ଖର୍ଚ୍ଚ ବିଭିନ୍ନ ସମୟରେ ବଢ଼ୁଥିବାରୁ ‘ଏସ୍କାଲେସନ ଫି’ ବାବଦକୁ ପ୍ରତ୍ୟେକ ବର୍ଷ ଅର୍ଥ ବୃଦ୍ଧି ବ୍ୟବସ୍ଥା ରଖାଯାଇଥିଲା। ହେଲେ ବିଏମ୍‌ସି ଏହି ବର୍ଦ୍ଧିତ ଅର୍ଥ ସଂସ୍ଥାକୁ ପ୍ରଦାନ କରିନଥିଲା।

ଚୁକ୍ତି ମୁତାବକ ରାମ୍‌କି କାମ କରି ଚାଲିଥିଲା ଓ ତା’ପରେ ବକେୟା ଅର୍ଥ ପ୍ରଦାନ କରିବାକୁ ବିଏମ୍‌ସିକୁ ଚିଠି ଲେଖି ଚାଲିଥିଲା। ଏଥିପାଇଁ ଉଭୟଙ୍କ ମଧ୍ୟରେ ଏକାଧିକବାର ଆଲୋଚନା ହୋଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ଗତବର୍ଷ ମାର୍ଚ୍ଚ ୨୩ ତାରିଖରେ ଶେଷ ଆଲୋଚନା ହୋଇଥିଲା। ରାମ୍‌କିର ହିସାବ ମୁତାବକ, ସୁଧ ସହ ବିଏମ୍‌ସିରୁ ୫୬କୋଟି ୧୭ ଲକ୍ଷ ୯୫ ହଜାର ୮୧୬ ଟଙ୍କା ପାଇବାକୁ ଥିଲା। ୨୦୨୨ ମେ’ ମାସରେ ସଂସ୍ଥା ଭୁବନେଶ୍ବର କମର୍ସିଆଲ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଚୁକ୍ତିନାମାର କ୍ଲଜ୍‌ ୩.୩୦(ଖ) ବଳରେ ସୁଟ୍‌ ଫାଇଲ କରିଥିଲା। ବାକି ଥିବା ୫୬କୋଟି ୧୭ ଲକ୍ଷ ୯୫ ହଜାର ୮୧୬ ଟଙ୍କା ବିଏମ୍‌ସିରୁ ଆଦାୟ କରିବା ପାଇଁ ପ୍ରାର୍ଥନା କରିଥିଲା। ଏହି ଆଧାରରେ ୨୦୨୨ ମେ ୨୦ ତାରିଖରେ ବିଏମ୍‌ସିକୁ ନୋଟିସ୍‌ ହୋଇଥିଲା। କିନ୍ତୁ ବିଏମ୍‌ସି ଏହି ଏସ୍କାଲେସନ ଫି’ ବାବଦରେ ଟଙ୍କାଟିଏ ଦେଇନଥିଲା। ବର୍ଷେ ପରେ ଏହି ଟଙ୍କା ସୁଧ ସହ ୯୦ କୋଟି ଛୁଇଁଲାଣି। ଜାଗୃତିକୁ ଅର୍ଥ ପ୍ରଦାନ କଲେ ଏହି ସଂସ୍ଥାକୁ ମଧ୍ୟ ପ୍ରଦାନ କରିବାକୁ ହେବ। ଏଣୁ ଏଫ୍‌ଡି ଭାଙ୍ଗି ବିଏମ୍‌ସି ଏଭଳି ପ୍ରାୟ ୧୦୦ କୋଟି ପ୍ରଦାନ କରିବାକୁ ଯାଉଛି।