ଭୁବନେଶ୍ବର: ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଏଏସ୍‌ ଅଧିକାରୀ ସଂଘ। ତେବେ ଆନ୍ଦୋଳନର ତରିକାକୁ ନେଇ ସଂଘରେ କେଁ ଦେଖାଦେଇଛି। ରାଜ୍ୟ ସଂଘ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ବି ଜିଲ୍ଲା ଶାଖାଗୁଡ଼ିକ ଏହାକୁ ଗ୍ରହଣ କରିନାହାନ୍ତି। ଆଜି ବିଭିନ୍ନ ଜିଲ୍ଲାରେ ଓଏଏସ୍‌ ଅଧିକାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାମ ବନ୍ଦ କରିଛନ୍ତି। ଏହାକୁ ନେଇ ପ୍ରଶାସନରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକାରୀ ସ୍ତରରେ ଏହାର ଆପୋଷ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। 

Advertisment

ଗତକାଲି ମାଡ଼ ଘଟଣା ପରେ ଓଏଏସ୍‌ ସଂଘର ଏକ ଜରୁରୀ ବୈଠକ ଖାରବେଳ ନଗରସ୍ଥିତ ସଂଘ କାର୍ଯ୍ୟାଳୟରେ ବସିଥିଲା। ଏଥିରେ ବହୁ ଅଧିକାରୀ ଯୋଗ ଦେଇ ଘଟଣାକୁ ନିନ୍ଦା କରିଥିଲେ। ଓଏଏସ୍‌ ଅଧିକାରୀମାନେ ସମୂହ ଛୁଟିରେ ଯିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହାର କିଛି ସମୟ ପରେ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସାକ୍ଷାତ କରିଥିଲେ। ପରବର୍ତ୍ତୀ ସମୟରେ ରାତି ପ୍ରାୟ ୧୧ଟା ବେଳେ ସଂଘର ପ୍ରତିନିଧି ଦଳ ଲୋକସେବା‌ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଉପସ୍ଥିତ ଥିଲେ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେବା ସହ ସମୂହ ଛୁଟି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ।

ଲୋକସେବା ଭବନ ପରିସରରେ ଓଏଏସ୍‌ ଅଧିକାରୀଙ୍କ ବୈଠକ
ଜିଲ୍ଲା ଶାଖାଗୁଡ଼ିକ ‘ସମୂହ ଛୁଟି’ ନିଷ୍ପତ୍ତି ନେଲେ 
ପ୍ରଶାସନିକ ସ୍ତରରେ ଅଡ଼ୁଆ ପରିସ୍ଥିତି

ଏହା ପରେ ସଂଘର କର୍ମକର୍ତ୍ତାମାନେ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିଥିଲେ। କିନ୍ତୁ ସଂଘର ରାଜ୍ୟ ଶାଖାର ଏହି ନିଷ୍ପତ୍ତିକୁ ବହୁ ଅଧିକାରୀ ଗ୍ରହଣ କରିପାରି ନଥିଲେ। ଆଜି ପୂର୍ବାହ୍‌ଣରେ ଲୋକସେବା ଭବନର ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଶତାଧିକ ଓଏଏସ୍‌ ଅଧିକାରୀ ଏକାଠି ହୋଇଥିଲେ। ମାଡ଼ ଘଟଣାକୁ ନେଇ ସରଗରମ ଆଲୋଚନା ହୋଇଥିଲା। ସମସ୍ତେ ଏ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ମାଡ଼ ମାରିଥିବା ଲୋକ ନୁହେଁ, ବରଂ ଯିଏ ସେମାନଙ୍କୁ ପ୍ରରୋଚିତ କରି ପଠାଇଥିଲେ ତାଙ୍କ ବିରୋଧରେ ବି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ‌ପାଇଁ ଦାବି ଜୋର୍‌ଦାର ହୋଇଥିଲା। ତୁରନ୍ତ ସମସ୍ତ ଦୋଷୀଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ବିରୋଧରେ ଠିକ୍ ଦଫା ଲଗାଇବାକୁ ସରକାରଙ୍କୁ ସମୟ ଦିଆଯାଇଥିଲା। ଦାବି ପୂରଣ ନହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସ୍ଥିର ହୋଇଥିଲା। ଗଣମାଧ୍ୟମକୁ ଓଏଏସ୍‌ ସଂଘ ସଭାପତି ଜ୍ୟୋତି ରଞ୍ଜନ ମିଶ୍ର କହିଥିଲେ, ଓଏଏସ୍‌ ଅଧିକାରୀମାନେ ଶୃଙ୍ଖଳିତ ଭାବେ ନିଜ ନିଜ କାମ କରୁଛନ୍ତି। କିନ୍ତୁ ଆମକୁ ଅସହଯୋଗ କରିବାକୁ ବାଧ୍ୟ କରା ନଯାଉ। ଯିଏ ଉସୁକାଇ ଏପରି ନିନ୍ଦନୀୟ କାମ କରିଛି ତାଙ୍କୁ ତୁରନ୍ତ ଗିରଫ କରାଯାଉ। 

ତେବେ ଜିଲ୍ଲା ସ୍ତରରେ ଓଏଏସ୍‌ ସଂଘ ଭିନ୍ନ ବାଟ ଆପଣାଇଛି। ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଶାଖା ବୈଠକ ବସି ଘଟଣାକୁ କଡ଼ା ନିନ୍ଦା କରାଯାଇଥିଲା। ଏହାର ପ୍ରତିବାଦରେ ସମୂହ ଛୁଟି ନେବାକୁ ନିଷ୍ପତ୍ତି ହୋଇଥିଲା। କିଛି ଜିଲ୍ଲାରେ ଅଧିକାରୀମାନେ ଦିନିକିଆ ଛୁଟି ନେଇଥିଲା ବେଳେ ଆଉ କିଛି ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି। ଫଳରେ ବିଭିନ୍ନ ଜିଲ୍ଲାରେ ସରକାରୀ କାମ ଧୀମା ପଡ଼ିଯାଇଛି। ମୟୂରଭଞ୍ଜ, ବାଲେଶ୍ବର, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର, କଟକ, ଜଗତସିଂହପୁର ଆଦି ଜିଲ୍ଲାରେ ଓଏଏସ୍‌ ଅଧିକାରୀମାନେ ସମୂହ ଛୁଟିରେ ଯାଇଥିବା ସୂଚନା ମିଳିଛି। ଆଉ କିଛି ଜିଲ୍ଲାରେ ଓଏଏସ୍‌ ସଂଘ ଘଟଣାକୁ ନିନ୍ଦା କରିଥିଲେ ବି କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇ ନାହାନ୍ତି।