ମଲ୍‌ ପାଇଁ ଭଙ୍ଗା ହେବ ବିଏମ୍‌ସି କୋଠା : ବିଏମ୍‌ସି କମିସନର ବି ମୁଣ୍ଡପୋତି ମାନି ନେଇଛନ୍ତି ନିଷ୍ପତ୍ତି

ଭୁବନେଶ୍ବର : ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ର ବେଆଇନ ଜବରଦଖଲକୁ ବଞ୍ଚାଇବାକୁ ଯାଇ ବିଏମ୍‌ସି କୋଠା ଭଙ୍ଗାଯିବ। ଏହି ମଲ୍‌ର ସୌନ୍ଦର୍ଯ୍ୟକରଣ ଯେପରି ବିଶେଷ ପ୍ରଭାବିତ ନହୁଏ ତାହାକୁ ନଜରରେ ରଖି ବିଏମ୍‌ସି କୋଠାକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି। ଏନେଇ ମାପଚୁପ ଶେଷ ହୋଇ ଚିହ୍ନ ଦିଆସାରିଛି। ଖୁବ୍‌ ଶୀଘ୍ର ଉଚ୍ଛେଦ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ କଳ୍ପନା ଛକ ଉପରେ ପ୍ରାୟ ୧୦୦ଫୁଟ ଓସାରରେ ୧୨୦ଫୁଟ ଲମ୍ବରେ ସରକାରୀ ଜମି ଉପରେ ବେଆଇନ ଭାବେ ସୌନ୍ଦର୍ଯ୍ୟକରଣ କରିଛି। ଏହାକୁ ଭାଙ୍ଗିବାକୁ ପ୍ରାୟ ୧୦ମାସ ହେଲା ଯୋଜନା ହେଉଥିଲେ ହେଁ ଉଚ୍ଛେଦ ହୋଇପାରୁନି। କିନ୍ତୁ ଏବେ ମଲ୍‌ର ସୌନ୍ଦର୍ଯ୍ୟକରଣକୁ ବିଶେଷ ପ୍ରଭାବିତ ନକରି କଳ୍ପନା-ମାଉସୀ ମା’ ଛକ ରାସ୍ତା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ତ୍ତ ବିଭାଗ ଭୁବନେଶ୍ବର ଡିଭିଜନ-୨ ପକ୍ଷରୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହାୟତାରେ ସମସ୍ତ ମାପଚୁପ ଶେଷ ‌ବି ହୋଇଛି। ଏଥିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ବିଏମ୍‌ସି ଗେଟ୍‌ ନିକଟରୁ ୧୦ଫୁଟ ଭିତରେ ଥିବା ସମସ୍ତ ନିର୍ମାଣ ଭଙ୍ଗାଯିବ।

ହଠାତ୍ ବଦଳିଗଲା ପ୍ଲାନ୍‌
ମ୍ୟୁଜିୟମ, ବିଜେବି କଲେଜ, ଭଞ୍ଜକଳା ମଣ୍ଡପର କିଛି ଅଂଶ ବି ଭଙ୍ଗା ହେବ
ମାପଚୁପ ସରି ଚିହ୍ନ ଦିଆସରିଲାଣି

ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ଏହା ଜାଣିବା ପରେ ବି ଚୁପ୍‌ ବସିଛନ୍ତି। ଗୋଟିଏ ମଲ୍‌ର ବେଆଇନ ସୌନ୍ଦର୍ଯ୍ୟକରଣକୁ ରକ୍ଷା କରିବା ପାଇଁ ଯେଉଁ ନିଷ୍ପତ୍ତି ହୋଇଛି ତାହାକୁ ବିଏମ୍‌ସି କମିସନର ବି ମୁଣ୍ଡପୋତି ମାନି ନେଇଛନ୍ତି। ପୂର୍ବରୁ ଏହି ରାସ୍ତାର ଡିଜାଇନ୍ ଓ କଳ୍ପନା ଛକର ସମ୍ପ୍ରସାରଣ ନେଇ ଯେଉଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ସେଥିରେ ବିଏମ୍‌ସି କୋଠା ଭଙ୍ଗାଯିବାର କୌଣସି ଚିହ୍ନବର୍ଣ୍ଣ ନଥିଲା। କିନ୍ତୁ ହଠାତ୍ ରାସ୍ତାର ଡିଜାଇନ୍ ବଦଳିଯାଇଛି। ଏପରିକି ମଲ୍‌ର କେତେ କମ୍‌ ଜବରଦଖଲ ଭଙ୍ଗାଯିବ ତାହା ବି ନିଷ୍ପତ୍ତି ହୋଇଯାଇଛି। ହଠାତ୍‌ ବିଏମ୍‌ସି କୋଠା ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ବିଏମ୍‌ସି କମିସନର ଚୁପ୍‌ ରହିବା ସମସ୍ତଙ୍କୁ ଚକିତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତା ସମ୍ପ୍ରସାରଣ ପାଇଁ ପୂର୍ତ୍ତ ବିଭାଗ ଓ ବିଏମ୍‌ସି ପକ୍ଷରୁ ଯେଉଁ ଚିହ୍ନ ଦିଆଯାଇଛି ସେଥିରେ ବିଏମ୍‌ସିର ମୁଖ୍ୟ ଗେଟ୍‌, ଶୌଚାଳୟ, ସିକ୍ୟୁରିଟି ରୁମ୍‌, ଦୁଇ ମହଲା ବିଶିଷ୍ଟ ଅଭିଯୋଗ ପ୍ରକୋଷ୍ଠ, ଏଟିଏମ୍‌, ପାର୍କିଂ ଗେଟ୍‌, ପାର୍କିଂ ଅଞ୍ଚଳର କିଛି ସ୍ଥାନ ଏବଂ ବିଏମ୍‌ସିର ପାଚେରି ଭଙ୍ଗାଯିବ।

ଠିକ୍‌ ବିଏମ୍‌ସି ପାର୍କିଂ ଅଞ୍ଚଳ ସମ୍ମୁଖ‌ରୁ ମଲ୍‌ର ସୌନ୍ଦର୍ଯ୍ୟକରଣ କାମ ହୋଇଥିବା ବେଳେ ଏଠାରେ ଜବରଦଖଲ ହୋଇଥିବା ପ୍ରାୟ ୩୫ଫୁଟ ସରକାରୀ ଜାଗାକୁ ଛାଡ଼ି ଚିହ୍ନ ଦିଆଯାଇଛି। ମଲ୍‌ ସମ୍ମୁଖରେ କେଉଁଠି ୩୫ଫୁଟ ତ କେଉଁଠି ୮ଫୁଟ ପର୍ଯ୍ୟନ୍ତ ସରକାରୀ ଜମିକୁ ଛାଡ଼ି ଚିହ୍ନ ଦିଆଯାଇଛି। ମଲ୍‌ର ପ୍ରବେଶ ଓ ପ୍ରସ୍ଥାନ ପଥରେ ହୋଇଥିବା ଜବରଦଖଲକୁ ମାଫ୍‌ କରିବା ପାଇଁ ବିଏମ୍‌ସି ତା’ର ମୁଖ୍ୟ ଗେଟ୍‌ ସମେତ କିଛି ପୁରୁଣା କୋଠାକୁ ବଳି ପକାଇବାକୁ ଯାଉଛି।

ଯଦି ମଲ୍‌ର ସମସ୍ତ ଜବରଦଖଲ ଅଞ୍ଚଳକୁ ପ୍ରଶାସନ ନିଜ ଦଖଲକୁ ଆଣିପାରିବ ତେବେ ବିଏମ୍‌ସି କୋଠା ଭଙ୍ଗାହେବାରୁ ଉଦ୍ଧାର ପାଇଯାଆନ୍ତା।

କେବଳ ବିଏମ୍‌ସି କୋଠା ଭଙ୍ଗାଯିବନି। କଳ୍ପନା ଛକରେ ରାସ୍ତା ସମ୍ପ୍ରସାରଣ ପାଇଁ ରାଜ୍ୟ ସଂଗ୍ରହାଳୟର ମୁଖ୍ୟ ଗେଟ୍‌, ଟିକେଟ୍‌ କାଉଣ୍ଟର, ଗାଡ଼ି ପାର୍କିଂ ଅଞ୍ଚଳ ଏବଂ ପାଚେରି ସମେତ ମୁଖ୍ୟ ଗେଟ୍‌ ନିକଟରୁ ପ୍ରାୟ ୧୦ଫୁଟ ଭିତରେ ‌ଯାହା ଅଛି ତାହାକୁ ଭାଙ୍ଗି ରାସ୍ତା ନିର୍ମାଣ କରାଯିବ।

ଏହାସହ ଭଞ୍ଜକଳା ମଣ୍ଡପର ପାଚେରି ଓ କିଛି ଅଂଶ, ଅନୁସୂଚିତ ଜନଜାତି ଓ ଜାତି ବିଭାଗର ଏକ କାର୍ଯ୍ୟାଳୟର କିଛି ଅଂଶ ଏବଂ ବିଜେବି କଲେଜ ପାଚେରି ଠାରୁ ୧୫ଫୁଟ ପର୍ଯ୍ୟନ୍ତ ଅଞ୍ଚଳକୁ ଭଙ୍ଗାଯିବ। ବିଏମ୍‌ସି କାର୍ଯ୍ୟାଳୟକୁ ଲାଗି ଥିବା ମଠର ୯୦% ଅଞ୍ଚଳ, କଳିଙ୍ଗ ଅଶୋକା ହୋଟେଲର ପାଚେରି ଠାରୁ ୧୫ଫୁଟ ପର୍ଯ୍ୟନ୍ତ ଅଞ୍ଚଳ, ପେଟ୍ରୋଲ ପମ୍ପର ୮୦% ଅଞ୍ଚଳ, ଅଗ୍ନିଶମ କାର୍ଯ୍ୟାଳୟର ୫୦ଫୁଟ ପର୍ଯ୍ୟନ୍ତ ଥିବା ଅଞ୍ଚଳ, ସିସ୍‌ମୋ ‌େହାଟେଲ ରାସ୍ତାରେ ସାଧାରଣ ପ୍ରଶାସନ ବିଭାଗର ଏକ ମାର୍କେଟ୍‌ କମ୍ପ୍ଲେକ୍ସ, ପୁଷ୍ପକ ହୋଟେଲର ପାର୍କିଂ ଅଞ୍ଚଳ ସମେତ ବିର୍ଲା ଗେଷ୍ଟ ହାଉସ୍‌ ନିକଟରୁ କଳ୍ପନା ଛକ ମଧ୍ୟରେ ଥିବା ସବୁ ଦୋକାନ ଏବଂ କଳ୍ପନା ଛକରୁ ବିଏମ୍‌ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ସମସ୍ତ ଦୋକାନ, ଓମଫେଡ୍‌ ବୁଥ୍‌ ବି ଭଙ୍ଗାଯିବ। ଏଥିପାଇଁ ସମସ୍ତ ମାପଚୁପ ଶେଷ ହୋଇ ଚିହ୍ନ ଦିଆସରିଛି। ଏହି ଜମିକୁ ସାଧାରଣ ପ୍ରଶାସନ ବିଭାଗ ନିଜ ଅକ୍ତିଆରକୁ ଆଣିବା ପରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବ। ଏହାପରେ କାମ ଆରମ୍ଭ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର