ବରିଷ୍ଠ ନାଗରିକଙ୍କୁ ‘ସଚେତକ’ ଆପ୍‌ ମାଧ୍ୟମରେ କରୋନାଠାରୁ ଦୂରେଇ ରହିବା ଲାଗି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇ ଦିଆଯାଉଛି : ବିଏମ୍‌ସି କମିସନର

ଭୁବନେଶ୍ୱର: ବରିଷ୍ଠ ନାଗରିକମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ ରଖୁଛି। ସଚେତକ ଆପ୍‌ ମାଧ୍ୟମରେ ସରକାରୀ ଗାଇଡଲାଇନ ଦିଆଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ। ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବରିଷ୍ଠ ନାଗରିକ, ଗର୍ଭବତୀ, ବହୁରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ସର୍ଭେ କରାଯାଉଛି। ସେ କହିଛନ୍ତି, ଭୁବନେଶ୍ୱରରେ ଏଭଳି ୫୦୦୦ ଲୋକ ରହୁଛନ୍ତି, ଯେଉଁମାନଙ୍କର ସାଥିରେ ତାଙ୍କର ପରିବାର ଲୋକ ରହୁ ନାହାନ୍ତି। ବରିଷ୍ଠ ନାଗରିକମାନେ ସକାଳ ୫ରୁ ୭ଟା ଯାଏଁ ପାର୍କରେ ବୁଲିପାରିବେ। ଏଥି ପାଇଁ ଅନୁମତି ଦିଆଯାଉଛି। ବରିଷ୍ଠ ନାଗରିକମାନେ ଯେଭଳି ଭାବରେ ବ୍ୟାଙ୍କିଂ କାମ ସହଜରେ କରିପାରିବେ ସେଥିଲାଗି ବ୍ୟାଙ୍କ ଅଧିକାରୀଙ୍କ ସହିତ କଥା ହୋଇଛି।

ବିଏମ୍‌ସି କମିସନର କହିଛନ୍ତି, ବାହାର ରାଜ୍ୟରୁ ଓ ବିଦେଶରୁ ଭୁବନେଶ୍ୱରକୁ ୮ ହଜାର ୬୮୧ ଜଣ ପ୍ରବାସୀ ଫେରିଛନ୍ତି। ଏବେ ୨ ହଜାର ୭୯୧ ଜଣ ପ୍ରବାସୀ ସଂଗରୋଧରେ ଅଛନ୍ତି। ଅନ୍ୟମାନଙ୍କର ୧୪ ଦିନିଆ ହୋମ କ୍ୱାରଣ୍ଟାଇନ ଅବଧି ଶେଷ ହୋଇଯାଇଛି। ଗୋଷ୍ଠୀ ସଂକ୍ରମଣ ନ ହେବା ପାଇଁ ଆମେ ପ୍ରସ୍ତୁତି କରିଛୁ। ୨ ହଜାର ୮୫ ଜଣ ସ୍ୱେଚ୍ଛାସେବୀ ଏଥିପାଇଁ କାମ କରୁଛନ୍ତି। ୫ ଜଣ ଲେଖାଏଁ ଲୋକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏମାନେ ଓ୍ଵାର୍ଡମାନଙ୍କରେ କାମ କରୁଛନ୍ତି। ଏହି କମିଟିରେ ସ୍ଥାନୀୟ ଅଂଚଳରେ ବରିଷ୍ଠ ଅଧିକାରୀ, ଅବସରପ୍ରାପ୍ତ ଡାକ୍ତର, ଜଣାଶୁଣା ବ୍ୟକ୍ତି ବିଶେଷ ଅଛନ୍ତି। ଏମାନଙ୍କର ଅଭିଜ୍ଞତା କାମରେ ଆସୁଛି। ସବୁ ସ୍ୱେଚ୍ଛାସେବୀଙ୍କୁ ଆମେ ତାଲିମ ଦେଇଛୁ। ୧୪୯୭ ଲୋକଙ୍କୁ ଆମେ କିଟ୍ ଓ ଥର୍ମାଲ ସ୍କାନର ଯୋଗାଇ ଦେଉଛୁ।

ବିଏମ୍‌ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ଏଯାଏଁ ୨୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୮ ଜଣ ସୁସ୍ଥ ହୋଇଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ବରିଷ୍ଠ ନାଗରିକ ଥିଲେ। ୧୩୨ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏମାନଙ୍କୁ କୋଭିଡ-୧୯ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଶ୍ରୀ ଚୌଧୁରୀ କହିଛନ୍ତି, ରାଜଧାନୀରେ ୩୩ ପ୍ରତିଶତ ଲୋକ ବସ୍ତି ଅଂଚଳରେ ରହୁଛନ୍ତି। ଏଠାରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ସତର୍କ ରହିଛୁ। ବସ୍ତି ଅଂଚଳରେ ମନିଟରିଂ କରାଯାଉଛି। ବସ୍ତିରେ ରହୁଥିବା ଲୋକେ ଆମର ନିକଟରେ କାମ କରୁଛନ୍ତି। ଏମାନେ ଦୋକାନ ଓ ବଜାରରେ କାମ କରୁଛନ୍ତି। ଘରକୁ ଆସି ମଧ୍ୟ କାମ କରୁଛନ୍ତି। ସହରାଂଚଳରେ ହୋମ କ୍ୱାରେଣ୍ଟାଇନ ଅନୁମତି ଥିଲେ ମଧ୍ୟ ଆମେ ସେମାନଙ୍କୁ ସରକାରୀ ସଂଗରୋଧରେ ରଖୁଛୁ। ବସ୍ତି କମିଟି ଗଠନ କରିଛୁ। ୧୨୦ ଯୁବକ ଯୁବତୀଙ୍କ ନେତୃତ୍ୱରେ ବସ୍ତି ଅଂଚଳରେ କମିଟି କାମ କରୁଛି । ସୁବାଷ ନଗର ଅଂଚଳରେ ୬ ଜଣ ପଜିଟିଭ ବାହାରିଛନ୍ତି। ଜଣେ ଦିଲ୍ଲୀ ଫେରନ୍ତା କରୋନା ପଜିଟିଭ ବାହାରିବା ପରେ ଆକ୍ଟିଭ ସର୍ଭିଲାନ୍ସ କରାଯାଇଥିଲା। ଫଳରେ ଅନ୍ୟ ୫ ଜଣ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି। ସେହି ଅଂଚଳକୁ ଅବରୋଧ ଅଂଚଳ କରାଯାଇଛି ।

ସାଲିଆ ସାହିରେ ୪ ଜଣ ସକ୍ରୟ ଆକ୍ରାନ୍ତ ଅଛନ୍ତି। ୪୫୭ ଲୋକଙ୍କର ନମୁନା ପରୀକ୍ଷା ହୋଇଛି। କିନ୍ତୁ କେହି ବି ପଜିଟିଭ ଚିହ୍ନଟ ହୋଇ ନାହାନ୍ତି। ବସ୍ତି ଅଚଂଳରକୁ ଗୁରୁତ୍ୱ ଦିଆଯାଉଛି। ରାଜଧାନୀର ଏକ ଘରୋଇ ହସ୍‌ପିଟାଲରେ ଆମେ ୩୯ ପଜିଟିଭ ପାଇଛୁ। କାଲି ୧୦ଟି ହସ୍‌ପିଟାଲ ଯାଞ୍ଚ କରାଯାଇଛି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି। ବିମାନବନ୍ଦରରେ ଆମର ଟିମ୍‌ ସ୍କ୍ରିନିଂ କରୁଛି। ଲକ୍ଷଣ ପାଇଲେ ସେମାନଙ୍କୁ ସଂଗରୋଧରେ ରଖାଯାଉଛି। ଆଜିର ଦିନରେ ୧୬ଟି ଟ୍ରେନ, ୧୨ଟି ବିମାନ ଭୁବନେଶ୍ୱରକୁ ଆସୁଛି।

ବିଏମ୍‌ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ଏଣିକି ହଟ୍‌ସପ୍ଟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବା ଲୋକଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ପୂର୍ବରୁ ବିଦେଶରୁ ଓ ବାହାର ରାଜ୍ୟରୁ ଆସିଲେ ପ୍ରବାସୀ ଓଡ଼ିଆଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡୁଥିଲା।

ଭୁବନେଶ୍ୱର ପାଇଁ ଧୀରେ ଧୀରେ ଚ୍ୟାଲେଞ୍ଜ ବଢୁଛି। ସାମାଜିକ ଦୂରତ୍ୱ ମାନିବା ଆମ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ଲୋକେ ସାମାଜିକ ଦୂରତ୍ୱର ମୂଲ୍ୟ ବୁଝିପାରୁ ନାହାନ୍ତି। ସଠିକ ଭାବରେ ମାସ୍କ ପିନ୍ଧୁ ନାହାନ୍ତି। ସେହିଭଳି ଲୋକେ ହାତ ଧୋଉନାହାନ୍ତି। ହଟ୍‌ସ୍ପଟ ଜିଲ୍ଲାରୁ କିଛି ଲୋକ ଫେରୁଛନ୍ତି। କରୋନା ମୁକାବିଲା ପାଇଁ ଯୁବପୀଢ଼ି ଆମ ସହିତ ଆଗେଇ ଆସନ୍ତୁ ବୋଲି କହିଛନ୍ତି ଶ୍ରୀ ଚୌଧୁରୀ। ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନାହିଁ। ଆମକୁ ନିଜେ ସତର୍କ ରହିବାକୁ ହେବ। ଆମର କର୍ତ୍ତବ୍ୟ କ’ଣ ଜାଣିବା ଦରକାର ଅଛି। ଆମେ ଏକ ସଂକଟ ସମୟରୁ ବର୍ତ୍ତିବା ପାଇଁ କାମ କରିବାର ଅଛି।

ସମ୍ବନ୍ଧିତ ଖବର