ଏଣିକି ଅଳିଆ ଉଠାଇବାକୁ ପଇସା : ସର୍ବନିମ୍ନ ଫି’ ୫୦ ଟଙ୍କା, ବାହାରେ ପକାଇଲେ ଜରିମାନା

ଭୁବନେଶ୍ବର : ରାଜଧାନୀର ସଫେଇ ପାଇଁ ବିଏମ୍‌ସି ବର୍ଷକୁ ୬୫କୋଟି ଟଙ୍କା ଖର୍ଚ୍ଚ କରୁଛି। ହେଲେ ଏଥିପାଇଁ ଟଙ୍କାଟିଏ ପାଉନି। ୪ବର୍ଷ ତଳେ ୟୁଜର୍ସ ଫି’ ଲାଗୁ କରିଥିଲେ ହେଁ ହାଇକୋର୍ଟ ୟୁଜର୍ସ ଫି’ ଆଦାୟ ଉପରେ ସ୍ଥଗିତାଦେଶ ଜାରି କରିବାରୁ ଏହା ବି ଆଦାୟ ହେଉନି। ତେଣୁ ଏବେ ଲୋକଙ୍କ ଠାରୁ ଅଳିଆ ଉଠାଇବା ବାବଦକୁ ମାସିକ ଫି’ ଆଦା‌ୟ ହେବ। ଚଳିତ ମାସରୁ ଏହା ଲାଗୁ ହେବ। ଅର୍ଥାତ୍‌ ଫେବ୍ରୁଆରି ମାସର ଅଳିଆ ଉଠା ଫି’ ଲୋକମାନେ ମାର୍ଚ୍ଚରେ ଦେବେ।

ଭୁବନେଶ୍ବର ମହାନଗର ନିଗମର ‘ପୌରାଞ୍ଚଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବାଇ ଲ-୨୦୧୮’ ନେଇ ଅକ୍ଟୋବର ୨୦୧୯ରେ ଚିଠା ପ୍ରସ୍ତାବ ପ୍ରକାଶ ପାଇଥିଲା। ଏହାପରେ ଜାନୁଆରି ୧୬, ୨୦୨୦ରେ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ଭିତ୍ତିକରି ବିଏମ୍‌ସି ଲୋକଙ୍କ ଠାରୁ ଅଳିଆ ଉଠା ବାବଦକୁ ମାସିକ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ଏହାସହ ନିୟମ ଉଲ୍ଲଂଘନାକାରୀ, ଉଦ୍ଦେଶ୍ୟମୂଳକ ଭାବେ ଆବର୍ଜନା ରାସ୍ତାରେ ପକାଇଲେ, ଜୈବ ଓ ଅଜୈବ ଆବର୍ଜନା ପୃଥକ ନକଲେ ଜରିମାନା ବି ଆଦାୟ କରିବ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଏମ୍‌ସି ପରିମଳ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି। ହେଲେ ଏ କ୍ଷେତ୍ରରେ ଆବଶ୍ୟକ ଫି’ ଆଦାୟ ହେଉନଥିବାରୁ ନୂତନ ଜ୍ଞାନକୌଶଳ ବ୍ୟବହାର କରଯାଇପାରୁନି।

ଏଣିକି ଲୋକମାନେ ଅଳିଆ ଉଠା ବାବଦକୁ ମାସିକ ଫି’ ଦେଲେ ସେମାନେ ସଫେଇ ସଂସ୍ଥା ଠାରୁ ଗୁଣାତ୍ମକ ସେବା ପାଇବାକୁ ଦାବି କରିବେ। ବିଏମ୍‌ସି ମଧ୍ୟ ସଫେଇ ସଂସ୍ଥାଙ୍କ ବିଭିନ୍ନ ଦାବି ପୂରଣ କରିବା ସହ ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ନୂତନ ଜ୍ଞାନକୌଶଳ ବ୍ୟବହାର କରିପାରିବ। ଏହାସହ ବିଏମ୍‌ସି ଏହା ବାବଦକୁ ବର୍ଷକୁ ପ୍ରାୟ ୧୦କୋଟି ଟଙ୍କା ରାଜସ୍ବ ପାଇବ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆବାସିକ ଘର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ହୋଟେଲ, ରେସ୍ତୋରାଁ, ଦୋକାନ, ହାଟ, ଭେଣ୍ଡିଂ ଜୋନ୍, ମଦ ଦୋକାନ, ହସ୍ପିଟାଲ, କ୍ଲିନିକ, ବିୟୁଟିପାର୍ଲର, ସେଲୁନ୍, କଲ୍ୟାଣମଣ୍ଡପ, ଶିଳ୍ପାନୁଷ୍ଠାନ, ପ୍ରିଣ୍ଟିଂ ପ୍ରେସ୍, ପେଟ୍ରୋଲ ପମ୍ପ, ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଆଦିରୁ ଅଳିଆ ଉଠା ବାବଦକୁ ଫି’ ଆଦାୟ ହେବ। ନିୟମ ଅନୁଯାୟୀ ଲୋକ ଓ ସଂସ୍ଥାଗୁଡ଼ିକ ଜୈବ ଓ ଅଜୈବ ଆବର୍ଜନା ପୃଥକ କରି ଦେବେ। ଏଥିପାଇଁ ପୃଥକ ପୃଥକ ଡଷ୍ଟବିନ୍ ବ୍ୟବହାର କରିବେ, ବାହାରେ ଅଳିଆ ପକାଇବେନି। ଯଦି ଏହି ନିୟମ ଉଲ୍ଲଂଘନ କରିବେ ତେବେ ୧୦୦ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ। ବିଏମ୍‌ସିର ନୂଆ ନିୟମ ଅନୁଯାୟୀ, ଇଡବ୍ଲ୍ୟୁଏସ୍‌/ଏଲ୍‌ଆଇଜି/୮୦୦ବର୍ଗଫୁଟ ପର୍ଯ୍ୟନ୍ତ ନିର୍ମାଣ ଘର ପାଇଁ ମାସକୁ ୫୦ଟଙ୍କା, ଏମ୍‌ଆଇଜି/୮୦୦ରୁ ୧୨୦୦ବର୍ଗଫୁଟ ଘର, ଏଫ୍‌ ଟାଇପ୍/ ୨ଆର୍/ଟାଇପ୍-୪/୩ଆର୍/ଟାଇପ୍ ଭି କ୍ବାର୍ଟର୍ସ ପାଇଁ ମାସକୁ ୭୫ଟଙ୍କା, ଏଚ୍‌ଆଇଜି/୧୨୦୦ ବର୍ଗଫୁଟରୁ ଅଧିକ/ଟାଇପ୍ ୬, ଟାଇପ୍ ୭/ଟାଇପ୍ ୮/୪ଆର୍/୫ଆର୍/୬ଆର୍/୭ଆର୍ କ୍ବାର୍ଟର୍ସ/୨ବିଏଚ୍‌କେ ଘର ପାଇଁ ମାସକୁ ୧୨୫ଟଙ୍କା ଫି’ ‌ଆଦାୟ ହେବ।

ସେହିପରି ଗେଷ୍ଟ ହାଉସ୍/ହୋଟେଲ କ୍ଷେତ୍ରରେ ୧୦ରୁମ୍ ପାଇଁ ୫୦୦ଟଙ୍କା, ୨୦ରୁମ୍ ପର୍ଯ୍ୟନ୍ତ ୭୫୦ଟଙ୍କା, ୩୦ରୁମ୍ ପର୍ଯ୍ୟନ୍ତ ଥିଲେ ୧ହଜାର ଟଙ୍କା ଦେବାକୁ ପଡ଼ିବ। ଏହାଠାରୁ ଅଧିକ ରୁମ୍‌ ଥିଲେ ରୁମ୍ ପିଛା ଅଧିକ ୫୦ଟଙ୍କା ଲେଖାଏଁ ଫି’ ଦେବାକୁ ପଡ଼ିବ। ଦୋକାନ ଓ ସପିଂ ମଲ୍‌ରେ ଥିବା ଦୋକାନ ପାଇଁ ୧୦୦ରୁ ୫୦୦ଟଙ୍କା (ହଜାରେ ବର୍ଗଫୁଟ ପର୍ଯ୍ୟନ୍ତ), ଏହାଠାରୁ ଅଧିକ ଥିଲେ ୧୦ବର୍ଗଫୁଟ ପାଇଁ ଅତିରିକ୍ତ ୨ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ହାଟରେ ୧୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ, ରାସ୍ତା କଡ଼ ଦୋକାନୀ ମାସକୁ ୫୦ଟଙ୍କା କିମ୍ବା ଦିନକୁ ୨ଟଙ୍କା ଲେଖାଏଁ ଦେବେ, ହଜାରେ ବର୍ଗଫୁଟ ପର୍ଯ୍ୟନ୍ତ ଗୋଦାମ ଘର ପାଇଁ ୧୦୦ଟଙ୍କା, ୫ହଜାର ବର୍ଗଫୁଟ ପର୍ଯ୍ୟନ୍ତ ୨୦୦ଟଙ୍କା, ୫ହଜାର ବର୍ଗଫୁଟରୁ ଅଧିକ ହୋଇଥିଲେ ଏବଂ ଦିନକୁ ୧୦୦କେଜି ଆବର୍ଜନା ବାହାରୁଥିଲେ ହଜାରେ ଟଙ୍କା, ୧୦୦କେଜିରୁ ଅଧିକ ଆବର୍ଜନା ହେଲେ ଅତିରିକ୍ତ ୧କେଜି ଆବର୍ଜନା ପାଇଁ ଦିନକୁ ୫୦ଟଙ୍କା, ଅଣତାରକାରୁ ୫ ତାରକା ହୋଟେଲ ପର୍ଯ୍ୟନ୍ତ ୧୫୦୦ରୁ ୧୦ହଜାର ଟଙ୍କା, ୫୦ଶଯ୍ୟାରୁ ଅଧିକ ଥିଲେ ପ୍ରତି ଶଯ୍ୟା ପିଛା ୨୦୦ଟଙ୍କା, ଢାବା, ମିଠା ଦୋକାନ ଓ କଫି ଦୋକାନ ପାଇଁ ୫୦୦ରୁ ହଜାରେ ଟଙ୍କା, ମଦ ଦୋକାନ ପାଇଁ ୭୫୦ଟଙ୍କା, ବଡ଼ ଫାଷ୍ଟଫୁଡ୍‌ ଦୋକାନ ପାଇଁ ୨ହଜାର ଟଙ୍କା, ୧୦୦କେଜିରୁ ଅଧିକ ଆବର୍ଜନା ବାହାରୁ ଥିଲେ ପ୍ରତି କେଜି ପିଛା‌ ୧୦ଟଙ୍କା, ପ୍ଲେ ସ୍କୁଲ୍‌ ପାଇଁ ୨୦୦ଟଙ୍କା, କୋଚିଂ ସେଣ୍ଟର ପାଇଁ ୫୦୦ଟଙ୍କା, ଅଣ ଆବାସିକ ସ୍କୁଲ ଓ କଲେଜ ପାଇଁ ୫୦୦ରୁ ୩ହଜାର ଟଙ୍କା, ଆବାସିକ ସ୍କୁଲ ପାଇଁ ହଜାରେରୁ ୩ହଜାର ଟଙ୍କା, ୫୦୦ରୁ ଅଧିକ ପିଲା ଥିଲେ ପ୍ରତି ୧୦୦ ପିଲା ପାଇଁ ହଜାରେ ଟଙ୍କା, ପାଥୋଲାବ୍, କ୍ଲିନିକ ଓ ହସ୍ପିଟାଲ ପାଇଁ ୫୦୦ରୁ ୫ହଜାର ଟଙ୍କା, ୨୦୦ରୁ ଅଧିକ ଶଯ୍ୟା ପାଇଁ ପ୍ରତିି ଶଯ୍ୟା ପିଛା ୨୫ଟଙ୍କା, ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସ ପାଇଁ ପ୍ରତି ସିଟ୍ ପିଛା ୧୦ଟଙ୍କା, ଏସି ବିୟୁଟିପାର୍ଲର ଓ ସେଲୁନ୍ ପାଇଁ ହଜାରେ ଟଙ୍କା, ନନ୍‌ଏସି ପାଇଁ ୫୦୦ଟଙ୍କା, ସୋରୁମ୍, ସର୍ଭିସ୍ ସେଣ୍ଟର ପାଇଁ ୫୦୦ରୁ ୧୫୦୦ଟଙ୍କା, ହଷ୍ଟେଲ୍‌ ପାଇଁ ୫୦୦ଟଙ୍କା, ୨୦ ଶଯ୍ୟାରୁ ଅଧିକ ଥିଲେ ଶଯ୍ୟା ପିଛା ୫ଟଙ୍କା, ହଜାରେ ବର୍ଗଫୁଟ ପର୍ଯ୍ୟନ୍ତ ଶିଳ୍ପାନୁଷ୍ଠାନ ପାଇଁ ହଜାରେ ଟଙ୍କା, ଅଧିକ ଥିଲେ ପ୍ରତି ୧୦ବର୍ଗଫୁଟ ପିଛା ୫ଟଙ୍କା, ୫୦୦ବର୍ଗଫୁଟ ପର୍ଯ୍ୟନ୍ତ ପ୍ରିଣ୍ଟିଂ ପ୍ରେସ୍ ପାଇଁ ୩୦୦ଟଙ୍କା, ୫୦୦ବର୍ଗଫୁଟରୁ ଅଧିକ ଥିଲେ ୧୦ବର୍ଗଫୁଟକୁ ୨ଟଙ୍କା ଲେଖାଏଁ, ହଜାରେ ବର୍ଗଫୁଟ ପର୍ଯ୍ୟନ୍ତ ସରକାରୀ/ବେସରକାରୀ ଅଫିସ ପାଇଁ ୨୫୦ଟଙ୍କା, ହଜାରେ ବର୍ଗଫୁଟରୁ ଅଧିକ ଥିଲେ ପ୍ରତି ୧୦ବର୍ଗଫୁଟ ପିଛା ୨ଟଙ୍କା, ପେଟ୍ରୋଲ ପମ୍ପ ପାଇଁ ୫୦୦ବର୍ଗଫୁଟ ଭିତରେ ୨୦୦ଟଙ୍କା, ୫୦୦ବର୍ଗଫୁଟରୁ ଅଧିକ ଥିଲେ ପ୍ରତି ୧୦ବର୍ଗଫୁଟକୁ ୫ଟଙ୍କା, ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡ ପାଇଁ ୨ହଜାର, ବସ୍ତିରେ ରାଜୀବ ଆବାସ ଯୋଜନା ତାଲିକାରେ ଥିବା ଘର ପାଇଁ ୨୦ଟଙ୍କା ଲେଖାଏଁ ଫି’ ଆଦାୟ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହାବାଦ୍ ବାହାରେ ଅଳିଆ ପକାଇଲେ ଏବଂ ଆ‌ବର୍ଜନା ପୃଥକୀକରଣ ନକଲେ ୧୦୦ରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ।

ସମ୍ବନ୍ଧିତ ଖବର