ମାର୍କେଟ କମ୍ପ୍ଲେକ୍ସ ଠାରୁ ଅଲଗା ଥିଲେ ଦୋକାନ ଖୋଲିପାରିବ, ଚା’ ଓ ପାନ ଦୋକାନ ଉପରେ କଟକଣା ଜାରି : ବିଏମ୍‌ସି କମିସନର

ଗୋଟିଏ କୋଠାରେ ୫ଟିରୁ ଅଧିକ ଦୋକାନ ଥିଲେ ଏହାକୁ ମାର୍କେଟ କମ୍ପେ୍ଲକ୍ସ ଧରାଯିବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ ସେ ନେଇ ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ମାର୍କେଟ କମ୍ପେ୍ଲକ୍ସ ଠାରୁ ଅଲଗା ଥିବା ଦୋକାନଗୁଡ଼ିକ ଖୋଲିପାରିବ । ଏଥିରେ କପଡ଼ା ଦୋକାନ ମଧ୍ୟ ସାମିଲ ରହିଛି । ଶ୍ରୀ ଚୌଧୁରୀ କହିଛନ୍ତି, କପଡ଼ା ଦୋକାନ ଖୋଲିପାରିବ । କିନ୍ତୁ ଏହା ଆବାସିକ ଘରକୁ ଲାଗିଥିବା ଷ୍ଟଲ ହୋଇଥିବା ଦରକାର ।

ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ସମସ୍ତ ଦୋକାନ ଖୋଲିପାରିବ । ସପିଂ ମଲ ଏବଂ ମାର୍କେଟ କମ୍ପେ୍ଲକ୍ସ ଖୋଲିପାରିବ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲା। ଗୋଟିଏ କୋଠାରେ ୫ଟିରୁ ଅଧିକ ଦୋକାନ ଥିଲେ ଏହାକୁ ମାର୍କେଟ କମ୍ପେ୍ଲକ୍ସ ଭାବେ ଧରାଯିବ । ଆର୍ଥାତ ଗୋଟିଏ ସ୍ଥାନରେ ୫ଟିରୁ କମ ଦେକାନ ଥିଲେ, ସେଗୁଡ଼ିକ ଖୋଲିପାରିବ । ଚା’, ପାନ, ସ୍ପା, ଗୁଟଖା ଦୋକାନ ଖୋଲିପାରିବ ନାହିଁ । ସେହିପରି ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଛି କିନ୍ତୁ ସେଠାରେ ଖାଇବା ଅନୁମତି ଦିଆଯାଇ ନାହିଁ । ଗ୍ରାହକ ଏଠାରୁ ପାର୍ସଲ ନେଇପାରିବେ । ନିର୍ମାଣ ସାମଗ୍ରୀ ଦୋକାନ ଖୋଲିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ସାମଗ୍ରୀ ରାତିରେ ନିଆଯିବାକୁ ପରାମର୍ଶ ଦିଆଯାଇଛି ।

ବିଏମ୍‌ସି କମିସନର କହିଛନ୍ତି, ଗୋଟିଏ ଦୋକାନରେ ଏକକାଳୀନ ୫ ଜଣ ଗ୍ରାହକଙ୍କୁ ଏକାଠି ଆସିବାକୁ ଅନୁମତି ଦିଆଯାଇ ନାହିଁ । ଛିଙ୍କ, କାଶ ହେଉଥିବା ଲୋକଙ୍କୁ ଦୋକାନରେ ପ୍ରବେଶ ଦେବେ ନାହିଁ । ଯେଉଁମାନେ ମାସ୍କ ନ ପିନ୍ଧି ନ ଥିବେ ଦୋକାନୀମାନେ ସେମାନଙ୍କୁ ପ୍ରବେଶ ଦେବେ ନାହିଁ । ସକାଳ ୮ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକ ଖୋଲିପାରିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନଗୁଡ଼ିକ ଖୋଲାଯାଇପାରିବ ।

ବ୍ୟାଙ୍କମାନେ କେମିତି ସେମାନଙ୍କର କାମ କରିବେ, ସେମାନଙ୍କୁ ଗାଇଡଲାଇନ ଦିଆଯାଇଛି । ଆପଣଙ୍କ ନିର୍ମାଣସ୍ଥଳୀରେ ଯଦି କାମ ଚାଲିଛି, ବାହାରୁ ଶ୍ରମିକ ଆଣିପାରିବେ ନାହିଁ । ସାମଗ୍ରୀ ରାତିରେ ଆଣିପାରିବେ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ବ୍ୟବସାୟୀମାନଙ୍କୁ ନିଜର ଦୋକାନରେ ହ୍ୟାଣ୍ଡ ୱାସ ଓ ସାନିଟାଇଜର ରଖିବାକୁ ହେବ । ଲକଡାଉନ ଲାଗୁ ହୋଇଥିବାରୁ ଭୁବନେଶ୍ୱରବାସୀ ସହଯୋଗ କରୁଛନ୍ତି ।

ସମ୍ବନ୍ଧିତ ଖବର