ଭୁବନେଶ୍ବର : ମୌସୁମୀ ଅଧା ଓଡ଼ିଶାକୁ ଛୁଇଁ ସାରିଥିବା ବେଳେ ୪୮ ଘଣ୍ଟା ଭିତରେ ସାରା ଓଡ଼ିଶାକୁ ଛୁଇଁବ। କିନ୍ତୁ ଶୁକ୍ରବାର ମୌସୁମୀ ଭୁବନେଶ୍ବର ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ,‌‌ ରାଜଧାନୀରେ ଶୁକ୍ରବାର ସକାଳେ କିମ୍ବା ରାତିରେ ବର୍ଷା ହେବ। ଯେଉଁ ମୁହୂର୍ତ୍ତରେ ବର୍ଷା ହେବ, ସେତେବେଳେ ଆମେ ଜାଣିବା ଯେ ମୌସୁମୀ ଭୁବନେଶ୍ବର ଛୁଇଁଲା। ‌େମୗସୁମୀ ଜନିତ ବା‌ୟୁପ୍ରବାହ ଏବଂ ବାଦଲରୁ ଜଣାପଡ଼ୁଛି ଯେ ୪୮ଘଣ୍ଟା ଭିତରେ ‌ମୌସୁମୀ ନିଶ୍ଚିତ ଭୁବନେଶ୍ବର ଛୁଇଁବ।

Advertisment

ରାଜଧାନୀକୁ ମୌସୁମୀ ଛୁଇଁବା ପୂର୍ବରୁ ପୂରା ଆକାଶ ମେଘାଛନ୍ନ ହୋଇଯାଇଛି। ଆଜି ଦିନତମାମ୍ ରାଜଧାନୀ ଆକାଶ କଳା ବାଦଲରେ ଢାଙ୍କି ହୋଇଯାଇଥିଲେ ହେଁ ବର୍ଷା ହୋଇନଥିଲା। ପାଣିପାଗ ବିଭାଗ ଆଜି ସଂଧ୍ୟାରୁ ରାଜଧାନୀରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିବା ସହିତ ଆକଳନ କରିଛି ଯେ ଏଥର ଜୁନ୍‌ ମାସରେ ଅଧିକ ବର୍ଷା ହେବ। ତେଣୁ ଏହାର ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ‌େହାଇଛି। ଜଳବନ୍ଦୀ ଜନିତ ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ପମ୍ପ ମୁତୟନ କରାଯିବା ସହ ସମସ୍ତ ମୁଖ୍ୟ ଡ୍ରେନ୍ ଓ ଛୋଟ ଡ୍ରେନ୍ ଅଗ୍ରା‌ଧିକାର ଭିତ୍ତିରେ ସଫା ଚାଲିଛି।

ବିଏମ୍‌ସି କମିସନର ସଂଜୟ ସିଂହ କହିଛନ୍ତି ଯେ ବର୍ଷା ମୁକାବିଲା ପାଇଁ ଆମେ ସବୁ ପ୍ରକାରର ପ୍ରସ୍ତୁତି କରିଛୁ। ଇଞ୍ଜିନିୟରିଂ ବିଭାଗ ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେଉଛି। ବିଏମ୍‌ସି ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ ଆଜି ବିଭିନ୍ନ ୱାର୍ଡରେ ଚାଲିଥିବା ଡ୍ରେନ୍ କାମ ବୁଲି ଦେଖିବା ସହ ସମ୍ବେଦନଶୀଳ ସ୍ଥାନରେ ପାଣି ପମ୍ପ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଯେଉଁ ଡ୍ରେନ୍‌ଗୁଡ଼ିକ ମୁଖ୍ୟ ଡ୍ରେନ୍‌କୁ ସଂଯୋଗ କରୁଛି, ସେଗୁଡ଼ିକୁ ତୁରନ୍ତ ସଫା କରିବା ସହ ଜଳ ନିଷ୍କାସନରେ ଯେପରି କୌଣସି ପ୍ରକାରର ବାଧକ ରହିବନି, ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି।

୨୭ଟି ସମ୍ବେଦନଶୀଳ ସ୍ଥାନ ଉପରେ ନଜର
ପ୍ରବଳ ବର୍ଷା ହେଲେ ଜଳବନ୍ଦୀ ହେବାର ଆଶଙ୍କା ଥିବା ୨୭ଟି ସମ୍ବେଦନଶୀଳ ସ୍ଥାନକୁ ବିଏମ୍‌ସି ଚିହ୍ନଟ କରିଛି। ସେଠାରେ ବିଏମ୍‌ସି ପମ୍ପ, ଅଗ୍ନିଶମ ବିଭାଗ ପମ୍ପ ଓ ଭଡ଼ାରେ ଆସିବାକୁ ଥିବା ପମ୍ପ ମୁତୟନ ହେବ। ଏବେ ହଂସପାଳ ବେହେରା ସାହି, ଲକ୍ଷ୍ମୀସାଗର ମଳିଅନ୍ତା ଟ୍ୟାଙ୍କ, ଗାୟତ୍ରୀନଗର, ମଲ୍ଲିକ କମ୍ପ୍ଲେକ୍ସ, ଶ୍ରୀରାମ ସିଟି, ନୂଆପଲ୍ଲୀ ବେହେରା ସାହି, ଘନଶ୍ୟାମ ଆପାର୍ଟମେଣ୍ଟ ନିକଟରେ ପାଣି ନିଷ୍କାସନ ପମ୍ପ ନିୟୋଜିତ କରାଯାଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ରାଜଧାନୀର ୨୭ଟି ସମ୍ବେଦନଶୀଳ ସ୍ଥାନ ହେଉଛି ଅହଲ୍ୟାନଗର, ହରିଦାସପୁର ମୁସଲିମ୍‌ ସାହି, ହଂସପାଳ ଭୋଇସାହି, ନହରକଣ୍ଟା ଭୋଇସାହି, ନୂଆପାଟଣା, ମଙ୍ଗଳାମନ୍ଦିର, ଗଜପତିନଗର, ମେ’ ଫେୟାର ଜ୍ୟୋତ୍ସ୍ନା ଆପାର୍ଟମେଣ୍ଟ ଓ ଘନଶ୍ୟାମ ଆପାର୍ଟମେଣ୍ଟ, ପବିତ୍ର ଗେଷ୍ଟହାଉସ୍, ଶ୍ରୀରାମ ସିଟି, ଜିଜିପି କଲୋନି, ବାସୁଦେବନଗର, ରସୁଲଗଡ଼ ଶବରସାହି, ବୈରାଗୀ ନଗର, ଗାୟତ୍ରୀ ନଗର, ଝାରପଡ଼ା ଶାନ୍ତିନଗର, ନୂଆପଲ୍ଲୀ ବେହେରାସାହି, ତାରିଣୀ ମନ୍ଦିର, ଭୋଇସାହି, ଲକ୍ଷ୍ମୀସାଗରର ମଳିଅନ୍ତା ପୋଖରୀ ନିକଟ, ଚମ୍ପା ପୋଖରୀ, ପାଇକନଗର, ଗଧିଆଖାଲ, ଅଢ଼େଇଖାଲ, ପାଣ୍ଡବନଗର, ସବ୍ ଇଣ୍ଡଷ୍ଟ୍ରି ପଛପାର୍ଶ୍ବ ଗଳି, ଗୌରୀନଗର, ଗୌରୀଗାର୍ଡେନ୍, ପଞ୍ଚସଖାନଗର, ଜଗମୋହନ ନଗର, ଗ୍ରିନ୍ ପାର୍କ ଅଞ୍ଚଳ। ଏସବୁ ସ୍ଥାନ ଉପରେ ସ୍ବତନ୍ତ୍ର ନଜର ରଖିବା ସହ କର୍ମଚାରୀ ନିୟୋଜିତ କରାଯାଇଛି।

ଅସୁବିଧାରେ ପଡ଼ିଲେ ତୁରନ୍ତ ଫୋନ୍‌ କର
ଯଦି ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ବା କୌଣସି ସମସ୍ୟା ଦେଖାଯାଏ, ତୁରନ୍ତ ୦୬୭୪-୨୪୩୧୨୫୩ ଏବଂ ଟୋଲ୍ ଫ୍ରି ନମ୍ବର-୧୮୦୦୩୪୫୦୦୬୧ ରେ ଫୋନ୍ କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହି ଦୁଇଟି ନମ୍ବର ୨୪ ଘଣ୍ଟା ଖୋଲା ରହିବ। ଏହି ନମ୍ବରରେ ଫୋନ୍‌ କଲେ ବିଏମ୍‌ସି ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ତୁରନ୍ତ ସେବା ଯୋଗାଇ ଦିଆଯିବ।

ସହରାଞ୍ଚଳ ବନ୍ୟା ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
କ’ଣ ବ୍ୟବସ୍ଥା କରିବେ ନଗର ଉନ୍ନୟନ ବିଭାଗ ଜଣାଇଲା
ଭୁବନେଶ୍ବର : ଅଧା ଓଡ଼ିଶାକୁ ମୌସୁମୀ ଛୁଇଁସାରିଥିବା ବେଳେ ୪୮ରୁ ୭୨ଘଣ୍ଟା ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ। ମୌସୁମୀ ଜନିତ ବର୍ଷାରେ ଯେପରି ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବନି, ସେଥିପାଇଁ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ନେବାକୁ ନଗରଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳରେ ବର୍ଷାର ମୁକାବିଲା ପାଇଁ ଏସ୍‌ଓପି ଜାରି କରାଯାଇଛି। ଏଥିରେ ୧୯ଟି ଚେକ୍‌ ଲିଷ୍ଟ ରହିଛି। ଏହାକୁ ଜିଲ୍ଲାପାଳମାନେ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି ବୋଲି ଶ୍ରୀ ମାଥିଭାଥନନ୍ କହିଛନ୍ତି। ଏଥିରେ ପ୍ରତିଟି ସହରାଞ୍ଚଳରେ ଗୋଟିଏ କଣ୍ଟ୍ରୋଲ ରୁମ୍‌ ରହିବ ଏବଂ ବନ୍ୟା ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ଟିମ୍ ରହିବ ବୋଲି କୁହାଯାଇଛି। ସେହିପରି ରାସ୍ତାରେ ଥିବା ସମସ୍ତ ଖାଲଖମାକୁ ମରାମତି କରିବା ସହ ଡ୍ରେନ୍‌ ସଫା କରିବେ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୁହାଯାଇଛି।