ବ୍ରହ୍ମପୁର: ରାଜ୍ୟର ପୁରାତନ ସହର ବ୍ରହ୍ମପୁର ତଥା ୧୫୭ବର୍ଷର ପୌରପାଳିକା( ବର୍ତ୍ତମାନ ମହାନଗର ନିଗମ) ଆଜି ବି ଲୋକଙ୍କୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାରେ ସକ୍ଷମ ହୋଇପାରିନାହିଁ। ସହରର ବିକାଶ କହିଲେ କେବଳ ନାଳନର୍ଦ୍ଦମା, ରାସ୍ତାଘାଟ ଓ ପାନୀୟ ଜଳଯୋଗାଣ ମଧ୍ୟରେ ସୀମିତ ରହିଛି। ମହାନଗର ନିଗମ ସହରର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇ କିଛି ପଦକ୍ଷେପ ଗ୍ରହଣ କରିଛି ସତ, କିନ୍ତୁ ଏହା ପର୍ଯ୍ୟାପ୍ତ ହୋଇପାରିନାହିଁ। ସହର ମଧ୍ୟରେ କିଛି ପାର୍କ ନିର୍ମାଣ କରାଯିବା ସହ ପୋଖରୀ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବ୍ରହ୍ମପୁର ପୌରପାଳିକା ମହାନଗର ନିଗମରେ ପରିଣତ ହୋଇ ୧୬ବର୍ଷ ବିତିବାକୁ ଯାଉଥିବା ବେଳେ ଲୋକଙ୍କୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ପାରିନାହିଁ। ମହାନଗର ନିଗମ ହେବା ପରେ ପୌରପାଳିକା ସମୟରେ ରହିଥିବା ପଦପଦବି ଗୁଡ଼ିକ ପରିବର୍ତ୍ତନ ହୋଇ ମେୟର, ଡେପୁଟି ମେୟର ଓ କମିସନର ହୋଇଯାଇଛି।

Advertisment

୧୯୯୦ ପୂର୍ବରୁ ସହରର ବିକାଶ ସହ ତତ୍କାଳୀନ ପୌରପରିଷଦ ପକ୍ଷରୁ ରାଜସ୍ବ ବୃଦ୍ଧି, କର୍ମନିଯୁକ୍ତି ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ନିଗମ ହେବା ପରେ ଏଗୁଡ଼ିକ ପ୍ରତି ବିଶେଷ ଗୁରୁତ୍ବ ଦିଆଯାଉନାହିଁ। ସହର ମଧ୍ୟରେ ଥିବା କଲ୍ୟାଣମଣ୍ତପ, ଅତିଥିଭବନ ଓ ମାର୍କେଟ କମ୍ପ୍ଲେକ୍ସ ଯାହା ନିର୍ମାଣ କରାଯାଇଥିଲା ତାହା ସେତିକିରେ ଅଟକି ରହିଛି। ସହରର ମଧ୍ୟଭାଗରେ ଥିବା ପୌର ଅତିଥି ଭବନଟି ନିଗମ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ବର୍ଷ ବର୍ଷ ଧରି କ୍ଷତିରେ ଚାଲିଥିଲା। ୨୦୧୨ରୁ ପୌର ଅତିଥି ଭବନ ବର୍ଷକୁ ପ୍ରାୟ ୨୫ଲକ୍ଷ ଟଙ୍କା ନିଗମକୁ କ୍ଷତି କରି ଚାଲିଥିଲା। ଇତି ମଧ୍ୟରେ ଦୁଇ ଦୁଇଥର ପୌର ନିର୍ବାଚନ ହୋଇ ଜନପ୍ରତିନିଧିମାନେ ଶାସନ କରିଥିବା ବେଳେ ଏହି କୋଠା ପ୍ରତି କେହି ବି ଗୁରୁତ୍ବ ‌ଦେଇନଥିଲେ। ଏହି କୋଠାକୁ ନବକଳେବର କରାଯାଇ ମାର୍କେଟ କମ୍ପ୍ଲେକ୍ସ କରିବା ପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଇଥିଲା। ତେବେ ଆନ୍ତରିକତା ଅଭାବରୁ ଏହା କେବଳ ଡିପିଆର୍‌ ମଧ୍ୟରେ ଅଟକି ରହିବା ପରେ ଏହାକୁ ଘରୋଇକରଣ କରି ଦିଆଯାଇ ଏକ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଇଥିଲା। ଘରୋଇକରଣ କରାଯିବା ଫଳରେ ନିଗମ ରାଜସ୍ବ କ୍ଷତିରୁ ମୁକ୍ତି ପାଇଛି। ନିଗମ ପକ୍ଷରୁ ସହରର କେତେକ ସ୍ଥାନରେ କଲ୍ୟାଣମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ସେଗୁଡ଼ିକ ଏବେ କ୍ଷତିରେ ଚାଲୁଥିବା ନିଗମ ପକ୍ଷରୁ ସୂଚନା ମିଳିଛି।

ରକ୍ଷଣାବେକ୍ଷଣ ଓ ଭିତ୍ତିଭୂମିର ଅଭାବ ଯୋଗୁଁ ଲୋକେ ନିଗମର କଲ୍ୟାଣମଣ୍ଡପରୁ ମୁହଁ ଫେରାଇ ଘରୋଇ କଲ୍ୟାଣମଣ୍ଡପ ଗୁଡ଼ିକ ଉପରେ ଗୁରୁତ୍ବ ଦେଉଛନ୍ତି। ସେଭଳି ସହରର ପୁରୁଣା ଗିରିମାର୍କେଟ୍‌ କମ୍ପ୍ଲେକ୍ସକୁ ଭାଙ୍ଗି ଦିଆଯିବା ପରେ ଆଜି ପର୍ଯ୍ୟନ୍ତ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ପ୍ରତିବର୍ଷ ସହର ଭିତରେ ନୂଆ ନୂଆ ଘରୋଇ ମଲ୍‌ ଖୋଲୁଛି କିନ୍ତୁ ନିଗମ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ନିର୍ମାଣ ହୋଇପାରୁ ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ନୂଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଗଲେ ବହୁ ଛୋଟବଡ଼ ବ୍ୟବସାୟୀ ଉପକୃତ ହେବା ସହ ଲୋକେ ଏଥିରେ କର୍ମସଂସ୍ଥାନ ବି ପାଇପାରିବେ। ନିଗମ କର୍ତ୍ତୃପକ୍ଷ ଭିତ୍ତିଭୂମି ନିର୍ମାଣ କରି ଲୋକଙ୍କୁ କର୍ମସଂସ୍ଥାନ ଦେବା ଉପରେ ଗୁରୁତ୍ବ ଦେବାକୁ ମତପ୍ରକାଶ ପାଇଛି।