ଯାଜପୁର: ବିଏମ୍ସି ଅତିରିକ୍ତ କମିସନ୍ରଙ୍କୁ ମାଡ଼ ଘଟଣାରେ ହଲ୍ଚଲ୍ ହୋଇଗଲା ରାଜ୍ୟ ରାଜନୀତି। ପୂରା ପ୍ରଶାସନିକ କଳ ଏକାଠି ହୋଇଗଲା। ଶେଷରେ ଓଏଏସ୍ ସଂଘର ଦାବି ଅନୁସାରେ ବିଜେପି ନେତା ଜେଲ ଗଲେ। ଅନୁରୂପ ଘଟଣା ଯାଜପୁର ବ୍ୟାସନଗର ପୌରପାଳିକାରେ ସପ୍ତାହେ ତଳେ ଘଟିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏଠାରେ ନିର୍ବାହୀ ଅଧିକାରୀ (ଓଆର୍ଏସ୍)ଙ୍କୁ ତାଙ୍କ କାର୍ଯ୍ୟାଳୟରେ ବନ୍ଦ କରି ୮ ଘଣ୍ଟା ଧରି ଅଟକ ରଖିଲେ ବିଜେଡି ନେତା। ଏମିତିକି ଔଷଧ ଖାଇବାକୁ ଛାଡ଼ିଲେନି। ଏ ବାବଦରେ ସେ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅଭିଯୋଗ ମଧ୍ୟ କରିଛନ୍ତି। ଅସୁସ୍ଥତା ଦର୍ଶାଇ ୨୭ ତାରିଖଠାରୁ ଛୁଟିରେ ଅଛନ୍ତି। ବିଏମ୍ସିରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ପାଇଁ ସାରା ପ୍ରଶାସନ ଏକାଠି ହୋଇଗଲା, ଅଥଚ ସମାନ ଘଟଣାରେ ଓଡ଼ିଶା ରାଜସ୍ବ ସେବାର ଜଣେ ଅଧିକାରୀ ନିର୍ଯାତିତ ହେଲେ; କିନ୍ତୁ ସମସ୍ତେ ନିରବ।
ସେଠି ଓଏଏସ୍, ଏଠି ଓଆର୍ଏସ୍ ନିର୍ଯାତିତ
ପୌର ନିର୍ବାହୀ ଅଧିକାରୀଙ୍କୁ ୮ ଘଣ୍ଟା ଅଟକ ରଖିଲେ, ଖାଇବାକୁ ଦେଲେନି ଔଷଧ
ସପ୍ତାହେ ହେଲା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା
ବିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ,
ବିଜେଡି ନେତାଙ୍କ ପ୍ରତି ଦରଦ
ଫରକ ହେଉଛି ଭୁବନେଶ୍ବରରେ ସଂପୃକ୍ତ ଥିଲେ ବିଜେପି ନେତା, ଆଉ ବ୍ୟାସନଗରରେ ବିଜେଡି ନେତା ସଂପୃକ୍ତ। ଗତ ୨୬ ତାରିଖରେ ବ୍ୟାସନଗର ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀଙ୍କୁ ଭାରପ୍ରାପ୍ତ ପୌରାଧ୍ୟକ୍ଷ ସୁବାସ ବଳ, କେତେଜଣ କାଉନସିଲର ଓ କିଛି ଗଣମାଧ୍ୟମ ପ୍ରତିନିଧି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟାଳୟ ଭିତରେ ଅଟକ ରଖି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। କିଛି ଫାଇଲରେ ବଳପୂର୍ବକ ଦସ୍ତଖତ କରାଇ ନେଇଥିବା ଶ୍ରୀ ପାଢ଼ୀ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅଭିଯୋଗରେ ସେ ପୌରାଧ୍ୟକ୍ଷଙ୍କ ସମେତ ୬/୭ ଜଣ କାଉନସିଲରଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି। ଏ ସଂପର୍କରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ପାଢ଼ୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ। ତେବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ କହିଛନ୍ତି, ନିର୍ବାହୀ ଅଧିକାରୀ ଉଭୟ ଜିଲ୍ଲାପାଳ ଏବଂ ତାଙ୍କୁ ଲିଖିତ ଅଭିଯୋଗ କରି ଛୁଟିରେ ରହିଛନ୍ତି। ଦୀର୍ଘ ସମୟ ଅଟକ ରହିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ସେ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ସୁବାସ ବଳ କହିଛନ୍ତି, ପୌର ନିର୍ବାହୀ ଅଧିକାରୀ ଶ୍ରୀ ପାଢ଼ୀ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେବାର ଥିଲା। ଦେହ ଅସୁସ୍ଥ ଥିବା ଦର୍ଶାଇ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଛୁଟି ବଢ଼ାଇଛନ୍ତି। ଜିଲ୍ଲାପାଳଙ୍କୁ ସେ କରିଥିବା ଅଭିଯୋଗ ସମ୍ପର୍କରେ ସେ କିଛି ଜାଣିନାହାନ୍ତି। ଶ୍ରୀ ବଳଙ୍କ କହିବା କଥା, ବ୍ୟାସନଗର ବିକାଶ ପାଇଁ ବିଜେଡି ସରକାର ସମୟରେ ବହୁ କାମ ହାତକୁ ନିଆଯାଇଥିଲା। ଅନେକ କାମ ବାକି ରହିଛି। ଆର୍ଥିକ ଅନୁଦାନ ପଡ଼ିରହିଛି। ବିଜେପି ସରକାର ଆସିବା ପରଠୁ କାମ ଠପ୍। ଏଠାରେ ବିଧାୟକ ଶାସକଦଳର। ହେଲେ ବିକାଶମୂଳକ କାମରେ ତାଙ୍କର ସହଯୋଗ ରହୁନାହିଁ। ଓଲଟା ରାଜନୀତି ପୂରାଇ ପୌର ନିର୍ବାହୀ ଅଧିକାରୀଙ୍କୁ ହାତବାରିସି କରି କାମ କରାଇ ନ ଦେବାକୁ ପ୍ରୟାସ କରାଯାଉଛି। ତେଣୁ ତାଙ୍କ ନେତୃତ୍ବରେ ବିଭିନ୍ନ ୱାର୍ଡର କାଉନସିଲରମାନେ ଗତ ୧ ତାରିଖ (ମଙ୍ଗଳବାର) ଦିନ ଜିଲ୍ଲାପାଳଙ୍କୁ ଭେଟି ପୌର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିବା ସେ କହିଛନ୍ତି। ଯଦି ସମସ୍ୟାର ସମାଧାନ ନହୁଏ ସେମାନେ ଖୁବ୍ଶୀଘ୍ର ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀ ବଳ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/06/dsdgdxx-2025-07-06-02-54-07.jpg)