ଜଳ ଓ ବିଦ୍ୟୁତ ଯୋଗାଣରେ ଅବ୍ୟବସ୍ଥାକୁ ନେଇ ବର୍ଷିଲେ ସାଂସଦ ଓ ବିଧାୟକ

ଉଭୟ ସଂସ୍ଥା ବିରୋଧରେ ସଚିବଙ୍କ ଠାରେ ଫେରାଦ ହେବେ ଜନପ୍ରତିନିଧି

ବ୍ରହ୍ମପୁର: ଜଳଯୋଗାଣ ନାମରେ ରାସ୍ତାଘାଟ ଖୋଳିଥିବା ଏବଂ ଆଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଆଜି ବିଏମ୍‌ସିର ସମ୍ମିଳନୀ କକ୍ଷରେ ଆୟୋଜିତ ସମନ୍ବୟ ବୈଠକରେ ୱାଟ୍‌କୋ ଓ ଟାଟା ପାୱାର ଉପରେ ଜନପ୍ରତିନିଧି ଓ ପ୍ରଶାସକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଳଯୋଗାଣ ନାମରେ ରାସ୍ତାଘାଟ ଖୋଳି ସହରବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ୱାଟ୍‌କୋ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ।

ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବନ୍ବୟ ବୈଠକରେ ସାଂସଦ ଶ୍ରୀ ସାହୁ ଉପସ୍ଥିତ ରହି ସାହି ସାହିରେ ପାଣି ଭାସିବା, ପାଇପ୍ ଫାଟିବା, ନୂଆ ପାଇପ୍‌ ଲାଇନ୍‌ ସଂଯୋଗ ନାମରେ ହେଉଥିବା ବିଭିନ୍ନ ଅଭିଯୋଗ ଆଣିବା ସହ ୱାଟ୍‌କୋର ଏହା ଏକ ପୁରୁଣା ରୋଗ ବୋଲି କହିଥିଲେ। ପୂର୍ବରୁ ଜନସ୍ଵାସ୍ଥ୍ୟ ବିଭାଗ ଯେଭଳି ବିଭିନ୍ନ କାର୍ଯ୍ୟରେ ଅବହେଳା କରି ଜନପ୍ରତିନିଧିଙ୍କୁ ଅପଦସ୍ଥ କରୁଥିଲା ଠିକ୍ ସେମିତି ୱାଟ୍‌କୋ କରୁଛି ବୋଲି କହିବା ସହ ଠିକାଦାର ପ୍ରୀତି ଯୋଗୁଁ ଠିକାଦାରଙ୍କ ଉପରେ ନିୟନ୍ତ୍ରଣ ରହୁନାହିଁ ବୋଲି କହିଥିଲେ। ଏଥିନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଂସଦ ଚେତାବନୀ ଦେଇଥିଲେ। ୱାଟ୍‌କୋର ମନମୁଖୀ କାର୍ଯ୍ୟକୁ ବିଏମ୍‌ସି କମିସନର ଜେ.ସୋନାଲ୍‌ ଉଦ୍‌ବେଗ ପ୍ରକାଶ କରିବା ସହ ୭ଦିନ ମଧ୍ୟରେ ସମସ୍ୟାର ସୁଧାର ନଆସିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ବ୍ରହ୍ମପୁର ବିଧାୟକ ଏହି ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବା ଦିଗରେ ଯତ୍ନବାନ ହେବାକୁ କହିଥିଲେ। ଟାଟା ପାୱାର ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଆସନ୍ତାକାଲି ସାଂସଦ, ବିଧାୟକ, ମେୟର, ଡେପୁଟି ମେୟର ଭୁବନେଶ୍ବର ଯାଇ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଲୋକଙ୍କ ଅଭିଯୋଗ ଆସିବା ମାତ୍ରେ ଜନପ୍ରତିନିଧିଙ୍କୁ ଅବଗତ କରାଇ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଗୁରୁତ୍ବ ଦେବାକୁ ଉଭୟ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମେୟର ଶ୍ରୀମତୀ ଦଳେଇ ମଧ୍ୟ ଦୁଇ ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସମନ୍ବୟ ଅଭାବରୁ ଏଭଳି ସମସ୍ୟା ଉପୁଜୁଛି ବୋଲି କହିଥିଲେ। ସହରରେ ପାନୀୟ ଜଳ ସମସ୍ୟା ଯଦିଓ ପୂର୍ବପେକ୍ଷା ସୁଧାର ଆସିଛି, କିନ୍ତୁ ଠିକ୍ ସମୟରେ ଜଳଯୋଗାଣ ହେଉନଥିବା, ବିଭିନ୍ନ ସ୍ଥାନରେ ପାଇପ୍‌ଲାଇନ୍‌ ଫାଟି ପାଣି ବୋହିବା, ଲିକେଜ୍ ସ୍ଥାନର ମରାମତି କରିବାରେ ବିଳମ୍ବ ହେଉଥିବା କହିଥିଲେ। ଜଳଯୋଗାଣ ନାମରେ ମନଇଛା ରାସ୍ତା ଖୋଳିବା ପ୍ରହସନ ବନ୍ଦ କରିବା ନେଇ କର୍ପୋରେଟର ପ୍ରଦୀପ କୁମାର ଶତପଥୀ ଅଭିଯୋଗ କରିବା ସହ ସହରରେ ଥିବା ସମସ୍ତ ନଳକୂପ ଗୁଡ଼ିକର ମରାମତି କରିବାକୁ ଦାବି କରିଥିଲେ। ଗତ କିଛି ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ସହରର ୯ଟି ୱାର୍ଡ଼ରେ ୨୪ଘଣ୍ଟିଆ ଜଳଯୋଗାଣର ଶୁଭାରମ୍ଭ କରିଥିବା ବେଳେ ୱାଟ‌୍‌କୋର ଅବହେଳା ଯୋଗୁଁ ଗୋଟିଏ ବି ୱାର୍ଡ଼ରେ ୨୪ଘଣ୍ଟିଆ ଜଳଯୋଗାଣ ହେଉନଥିବା ନେଇ କର୍ପୋରେଟର ସୁରେନ୍ଦ୍ର ମହାରଣା ଅଭିଯୋଗ କରିଥିଲେ। ବିଭାଗର ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ସଫଳ ରୂପାୟନ ହୋଇପାରୁ ନଥିବା କହିଥିଲେ। ସେଭଳି ଲୋ ଭୋଲଟେଜ୍‌, ଠିକ୍ ସମୟରେ ବିଦ୍ୟୁତ୍‌ ବିଲ୍ ପୈଠ ନହେଲେ ତୁରନ୍ତ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଉଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟ କର୍ପୋରେଟର ମାନେ ବି ଉଭୟ ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଜନପ୍ରତିନିଧିଙ୍କୁ ଗୁରୁତ୍ବ ଦିଆଯାଉନଥିବା କହିଥିଲେ। ବୈଠକରେ ଡେପୁଟି ମେୟର ଇ. ବିବେକ ରେଡ୍ଡି ଓ ଅତିରିକ୍ତ କମିସନର ସମ୍ବିତ ରାଉତଙ୍କ ସହ ଉଭୟ ବିଭାଗର ଯନ୍ତ୍ରୀ ଓ ବିଏମ୍‌ସିର ବହୁ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର