ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଇତିହାସରେ ଆଜି ପ୍ରଥମ ଥର ଏଭଳି ଅସ୍ବାଭାବିକ ଘଟଣା ଦେଖିବାକୁ ମିଳିଛି। କାଉନ୍ସିଲ ବୈଠକରେ ଜଣେ ସ୍ବାଧୀନ କର୍ପୋରେଟର୍ କମିସନର୍ଙ୍କୁ ଆଙ୍ଗୁଳି ଦେଖାଇ ଧମକ ଦେବା, ଗେଟ୍ଆଉଟ୍ ଆକ୍ଷେପ କରିବା ସହ ତୁରନ୍ତ ପଦବିରୁ ହଟନ୍ତୁ ବୋଲି ଚେତାବନୀ ଦେଇଥିଲେ। ସ୍ବାଧୀନ କର୍ପୋରେଟରଙ୍କ ଏଭଳି ଅସୗଜନ୍ୟମୂଳକ ଆଚରଣରେ ଅତିଷ୍ଠ ହୋଇ କମିସନର ଭବାନୀ ପ୍ରସାଦ ମିଶ୍ର ବୈଠକ ଛାଡ଼ି ଚାଲି ଯାଇଥିଲେ। ତେବେ କମିସନର୍ଙ୍କ ପ୍ରତି ସ୍ବାଧୀନ କର୍ପୋରେଟରଙ୍କ ଏଭଳି ଅଚରଣକୁ ମେୟର ସ˚ଘମିତ୍ରା ଦଳେଇ ପ୍ରତିବାଦ କରିବା ସହ ବୈଠକ ବନ୍ଦ କରି ଚାଲି ଯାଇଥିଲେ। ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ବିଭିନ୍ନ ସମୟରେ ଆରୋପ, ପ୍ରତ୍ୟାରୋପ ହେବା ସ୍ବାଭାବିକ କଥା। କିନ୍ତୁ କମିସନରଙ୍କୁ ସିଧାସଳଖ ଧମକ ଓ ଆକ୍ଷେପ ପ୍ରଥମ ଘଟଣା ବୋଲି ବହୁ କର୍ପୋରେଟର ମତବ୍ୟକ୍ତ କରିଛନ୍ତି। ଏହି ଘଟଣାକୁ ନେଇ ମେୟର ସପକ୍ଷ ଓ ବିପକ୍ଷ ଗୋଷ୍ଠୀ କର୍ପୋରେଟର୍ ମୁହାଁମୁହିଁ ହୋଇଥିଲେ। ବୈଠକ ଅଧାରୁ ବନ୍ଦ ହେବା ପରେ ଆକ୍ଷେପ କରିଥିବା ସ୍ବାଧୀନ କର୍ପୋରେଟରଙ୍କୁ ସମର୍ଥନ ଜଣାଇ ମେୟର ବିପକ୍ଷ ଗୋଷ୍ଠୀ କର୍ପୋରେଟର୍ ‘କମିସନର୍ ଗୋ ବ୍ୟାକ୍’ ନାରା ଦେବା ସହ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣାରେ ବସି ରହିଥିଲେ।
ଜଣେ ସ୍ବାଧୀନ କର୍ପୋରେଟର ସହ ପ୍ରାୟ ୧୯ଜଣ ବିଜେଡି କର୍ପୋରେଟର ଧାରଣାରେ ବସିଥିବା ଦେଖି ମେୟର ଧାରଣାସ୍ଥଳକୁ ଆସି ଆଲୋଚନା ପାଇଁ ଡାକିଥିଲେ। କିନ୍ତୁ କମିସନର୍ ଧାରଣାସ୍ଥଳକୁ ନ ଆସିବା ଯାଏ ହଟିବୁ ନାହିଁ ବୋଲି ଧାରଣାରତ କର୍ପୋରେଟର୍ ଜିଦ୍ ଧରି ବସିଥିଲେ। ପରିସ୍ଥିତି ଏଭଳି ହେଲା, ପ୍ରାୟ ୫ଘଣ୍ଟା ଧରି କମିସନରଙ୍କ ଚାମ୍ବରରେ ମେୟରଙ୍କ ସମେତ ପ୍ରାୟ ୨୦ କର୍ପୋରେଟର୍ ଓ ଏପଟେ ଧାରଣାରେ ପ୍ରାୟ ୨୦ କର୍ପୋରେଟର ବସିରହିଲେ। ଏଭଳି ଅଚଳାବସ୍ଥା ଜାରି ରହିବା ପରେ ସନ୍ଧ୍ୟା ସାଢେ଼ ୫ଟାରେ ପୁଲିସ ସୁରକ୍ଷା ବଳୟରେ ମେୟର୍, କମିସନରଙ୍କ ସମେତ ସମସ୍ତ ପଦାଧିକାରୀ ପଦାକୁ ବାହାରିଥିଲେ। ଏହି ସମୟରେ ଧାରଣାରତ କର୍ପୋରେଟର୍ମାନେ ମେୟର ଓ କମିସନରଙ୍କ ବିରୋଧରେ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା।
କମିସନରଙ୍କୁ ଧମକ, ଗେଟ୍ଆଉଟ୍ ଆକ୍ଷେପ
ମେୟର ବିପକ୍ଷ ଓ ସପକ୍ଷ ଗୋଷ୍ଠୀ ମୁହାଁମୁହିଁ
ଫାଟକରେ ତାଲା ପକାଇ ଧାରଣା, ନାରାବାଜି
ବୁଧବାର ପୂର୍ବାହ୍ନରେ କାଉନ୍ସିଲ ବୈଠକ ଯଥାରୀତି ଆରମ୍ଭ ହେବା ପରେ ୨୬ ନମ୍ବର ଵାର୍ଡର ସ୍ବାଧୀନ କର୍ପୋରେଟର ଧୀରେଶ ସାବତ ୨୨ଜଣ କର୍ପୋରେଟରଙ୍କ ଦସ୍ତଖତ ସମ୍ବଳିତ ଏକ ଲିଖିତ ପତ୍ର ମେୟରଙ୍କୁ ପ୍ରଦାନ କରିଥିଲେ। ଏଭଳି ପ୍ରସ୍ତାବକୁ ମେୟର ସପକ୍ଷ ଗୋଷ୍ଠୀ ବିରୋଧ କରିଥିଲେ। ଏହାକୁ ନେଇ ବିପକ୍ଷ ଓ ସପକ୍ଷଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପରେ କେତେକ ସମସ୍ୟା ନେଇ ବୈଠକରେ ଆଲୋଚନା ଚାଲିଥିବା ବେଳେ ପୁଣି ସ୍ବାଧୀନ କର୍ପୋରେଟର ଶ୍ରୀ ସାବତ ବୈଠକରେ ଯାହା ପାରିତ ହେଉଛି ତାହାକୁ କମିସନର୍ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ମେୟର, କମିସନର୍ ଓ କର୍ପୋରେଟର ସାବତଙ୍କ ମଧୢରେ ପ୍ରବଳ କଥା କଟାକଟି ହୋଇଥିଲା। ସ୍ବାଧୀନ କର୍ପୋରେଟର୍ ଉତ୍କ୍ଷିପ୍ତ ହୋଇ କାଉନସିଲ୍ରୁ ଉର୍ଦ୍ଧ୍ବରେ କମିସନରଙ୍କ କାର୍ଯ୍ୟ କରିବାର ଅଧିକାର ନାହିଁ ବୋଲି କହିବା ସହ ତୁରନ୍ତ ବୈଠକରୁ ଚାଲିଯାନ୍ତୁ, ‘ଗେଟ୍ଆଉଟ୍’ ବୋଲି ଅଙ୍ଗୁଳି ଦେଖାଇ ଧମକ ଦେଇଥିଲେ। କର୍ପୋରେଟର୍ଙ୍କ ଏଭଳି ଆକ୍ଷେପ ଶୁଣି କମିସନର୍ ତୁରନ୍ତ ବୈଠକ ଛାଡ଼ି ଚାଲି ଯାଇଥିଲେ। ପରେ କମିସନର୍ଙ୍କୁ ସମର୍ଥନ ଜଣାଇ ମେୟରଙ୍କ ସମେତ ଡେପୁଟି ମେୟର ଇ.ବିବେକ ରେଡ୍ଡି ଓ ମେୟରଙ୍କ ସପକ୍ଷ ଗୋଷ୍ଠୀ ସମସ୍ତ କର୍ପୋରେଟ୍ ମଧୢ ବୈଠକ ଛାଡ଼ି ଚାଲି ଯାଇଥିଲେ। ବିପକ୍ଷ ଗୋଷ୍ଠୀ ଏହାକୁ ପ୍ରତିବାଦ କରି ‘କମିସନର୍ ଗୋ ବ୍ୟାକ୍’ ନାରା ଦେଇ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସି ଯାଇଥିଲେ।
ସ୍ବାଧୀନ କର୍ପୋରେଟର୍ଙ୍କ ଏଭଳି ଅଭଦ୍ରାମି ଆଚରଣକୁ ନେଇ କମିସନର ଶ୍ରୀ ମିଶ୍ର ଟାଉନ୍ ଥାନରେ ଏକ ଏତଲା ଦେବା ସହ ଘଟଣା ସ˚ପର୍କରେ ପୌର ନିର୍ଦ୍ଦେଶକଙ୍କୁ ମଧୢ ପତ୍ର ମାଧୢମରେ ଅବଗତ କରିଥିବାର କହିଛନ୍ତି। ବିଏମ୍ସି ସଭାଗୃହ ପରିସରରେ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ଏଭଳି ଆଚରଣ ଓ ଏତଲାକୁ ଭିତ୍ତି କରି ଟାଉନ୍ ଥାନା ଅଧିକାରୀ ସୌଭାଗ୍ୟ ସ୍ବାଇଁଙ୍କ ସମେତ ଦୁଇଜଣ ବରିଷ୍ଠ ଅଧିକାରୀ ଆସି ସପକ୍ଷ ଓ ବିପକ୍ଷ ଗୋଷ୍ଠୀ କର୍ପୋରେଟର୍ଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ଶେଷରେ ବାଧୢ ହୋଇ ପୁଲିସ ମେୟର, କମିସନରଙ୍କ ସମେତ କାର୍ଯ୍ୟାଳୟରେ ଅଟକି ରହିଥିବା ଅଧିକାରୀ ଓ ସପକ୍ଷବାଦୀ କର୍ପୋରେଟରଙ୍କୁ ସୁରକ୍ଷା ବଳୟ ମଧୢରେ ବାହାରକୁ ଆଣିଥିଲେ।