ଘରୋଇ ବ୍ୟାଙ୍କରେ ବିଏମ୍‌ସିର ସି˚ହଭାଗ ଜମା: ସୁଧକୁ ଅଗ୍ରାଧିକାର, ସୁରକ୍ଷାକୁ ଅଣଦେଖା

ବ୍ରହ୍ମପୁର: ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅର୍ଥ ଘରୋଇ ବ୍ୟାଙ୍କରେ ଜମା ରଖିବାକୁ ନେଇ ହଟଚମ୍‌ଟ ଲାଗି ରହିଛି। ମହାପ୍ରଭୁଙ୍କ ଅର୍ଥର ସୁରକ୍ଷା ନେଇ ପ୍ରଶ୍ନ ଉଠିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଆସୁଥିବା ସି˚ହଭାଗ ଅର୍ଥକୁ ଘରୋଇ ବ୍ୟାଙ୍କ୍‌ରେ ଜମା ରଖିଥିବା ଜଣାପଡ଼ିଛି। ଏପରିକି ବ୍ରହ୍ମପୁର ମହାନିଗମ କାର୍ଯ୍ୟାଳୟ ପରିସରରେ ଏକ ଘରୋଇ ବ୍ୟାଙ୍କ୍‌ର ଶାଖା ବି ଖୋଲିଛି। ମହାନଗର ନିଗମ କର୍ତ୍ତୃପକ୍ଷ ଜାତୀୟ ବ୍ୟାଙ୍କ୍ ତୁଳନାରେ ଘରୋଇ ବ୍ୟାଙ୍କକୁ ଅଗ୍ରାଧିକାର ଦେବାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି। ଅଧିକ ସୁଧ ପାଇବା ଆଶାରେ ଘରୋଇ ବ୍ୟାଙ୍କରେ ସରକାରଙ୍କ ଅର୍ଥ ଜମା ରଖାଯାଉଥିବା ବେଳେ ତାହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ବ୍ରହ୍ମପୁର ପୌରସ˚ସ୍ଥାରୁ ମହାନଗର ନିଗମରେ ପରିଣତ ହେବା ପରେ ଅନୁଦାନ ଓ ଆୟ ରାଶି ବୃଦ୍ଧି ପାଇଛି। ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ବ୍ୟାଙ୍କରେ ସମୁଦାୟ ୮୮ଟି ଆକାଉଣ୍ଟ୍ ରହିଛି। ସେଥିମଧ୍ୟରୁ ଏଚ୍‌ଡ଼ିଏଫ୍‌ସି ଘରୋଇ ବ୍ୟାଙ୍କରେ ମହାନଗର ନିଗମର ଅଧିକ ଅର୍ଥ ଜମା ରହିଥିବା ଜଣାପଡ଼ିଛି। ଓଡ଼ିଶା ବିପର୍ଯ୍ୟୟ ପୁନଃ ନିର୍ମାଣ ପ୍ରକଳ୍ପ (ଓଡିଆରପି), କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆସୁଥିବା ଅନୁଦାନ, ଓଏଡିପି ଏବ˚ ପ୍ରତ୍ୟହ ଆଦାୟ ହେଉଥିବା ଟିକସ ଉକ୍ତ ବ୍ୟାଙ୍କରେ ଜମା ରହୁଛି। ସେହିପରି ଆଇସିଆଇସିଆଇ ଘରୋଇ ବ୍ୟାଙ୍କରେ ବିଭିନ୍ନ ଭତ୍ତା ଅର୍ଥ ରହୁଥିବା ଜଣାପଡ଼ିଛି। ମହାନଗର ନିଗମର ସି˚ହଭାଗ ନେଣଦେଣ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ହେଉଥିବା କୁହାଯାଉଛି। ଏପରିକି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଏକ ଶାଖା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଖୋଲାଯାଇଛି । ସରକାରୀ କାର୍ଯ୍ୟାଳୟ ପରିସରରେ ଏକ ଘରୋଇ ବ୍ୟାଙ୍କ୍ ଶାଖା ଖୋଲା ଯିବାକୁ ନେଇ ମଧ୍ୟ ନାନା ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରରେ ବିଭିନ୍ନ ବ୍ୟାଙ୍କର ୯୭ଟି ଶାଖା ରହିଛି। ସେଥିମଧ୍ୟରୁ ବିଭିନ୍ନ ଘରୋଇ ବ୍ୟାଙ୍କର ୧୬ଟି ଶାଖା , ବିଭିନ୍ନ ସମବାୟ ବ୍ୟାଙ୍କର ୬ଟି ଶାଖା ଓ ଗ୍ରାମ୍ୟ ବ୍ୟାଙ୍କର ୧୧ଟି ଶାଖା ରହିଛି। ବ୍ରହ୍ମପୁର ସହରରେ ସର୍ବାଧିକ ଅର୍ଥାତ ୫୪ଟି ଜାତୀୟ ବ୍ୟାଙ୍କର ଶାଖା ରହିଛି। ଏତେ ସ˚ଖ୍ୟକ ଜାତୀୟ ବ୍ୟାଙ୍କ୍ ରହିଥିବା ବେଳେ ମହାନଗର ନିଗମ କର୍ତ୍ତୃପକ୍ଷ କାହିଁକି ଘରୋଇ ବ୍ୟାଙ୍କକୁ ଗୁରୁତ୍ବ ଦେଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ଜାତୀୟ ବ୍ୟାଙ୍କକୁ ଅଗ୍ରାଧିକାର ଦେଇ ସରକାରୀ ଅର୍ଥ ରଖିବା ଲାଗି ସରକାରଙ୍କ ନିର୍ଦ୍ଦେଶ ରହିଛି।

ଅନ୍ୟପକ୍ଷରେ ଦେଶରେ ସୃଷ୍ଟି ହୋଇଥିବା ମାନ୍ଦାବାସ୍ଥାକୁ ଦୃଷ୍ଟିରେ ରଖି ଜାତୀୟ ବ୍ୟାଙ୍କରେ ଅର୍ଥ ରଖିବା ଲାଗି ମୁଖ୍ୟଶାସନ ସଚିବ ଗତ କିଛିମାସ ତଳେ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଥିଲେ। ଏହାପରେ ବି ପୌରସ˚ସ୍ଥାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। କେବେଳ ପୌରସଂସ୍ଥା ନୁହେଁ ଜିଲ୍ଲା ପ୍ରଶାସନ ଉକ୍ତ ବ୍ୟାଙ୍କକୁ ଗୁରୁତ୍ବ ନେଇ ମିସନ ଶକ୍ତି ଲାଗି ଆସୁଥିବା ଅର୍ଥ ଉକ୍ତ ବ୍ୟାଙ୍କରେ ଜମା ରଖିଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ, ଘରୋଇ ବ୍ୟାଙ୍କ ଏବଂ ଜାତୀୟ ବ୍ୟାଙ୍କ ମଧ୍ୟରେ ଆକାଶପାତଳ ଫରକ ରହିଛି। ଘରୋଇ ବ୍ୟାଙ୍କ ଗୁଡ଼ିକର କଷ୍ଟମର୍ ଡେଭଲପ‌ମେଣ୍ଟ ଫଣ୍ଡ ରହିଛି। ବ୍ୟାଙ୍କ ଗୁଡ଼ିକ ଗ୍ରାଣ୍ଟ ଦେଇ ଜମା ଭଲ ବ୍ୟବସାୟ କରୁଛନ୍ତି। କିନ୍ତୁ ଜାତୀୟ ବ୍ୟାଙ୍କ ‌କ୍ଷେତ୍ରରେ ତାହା ସମ୍ଭବ ହେଉନାହିଁ। ତେଣୁ ପ୍ରାଶାସନିକ ଅଧିକାରୀମାନେ ଘରୋଇ ବ୍ୟାଙ୍କକୁ ଗୁରୁତ୍ବ ଦେଉଛନ୍ତି। ଗଞ୍ଜାମ ଜିଲ୍ଲାର ଏଭଳି କିଛି ବ୍ଲକ ରହିଛି ବିଡିଓ ମାନେ ବ୍ଲକ ହେଡକ୍ବାର୍ଟର ଠାରୁ ୫୦ରୁ ୬୦ କିମି ଦୂରରେ ଥିବା ଘରୋଇ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ରଖିଛନ୍ତି, ଯାହାକି ସାଂଘାତିକ।

ଏ ସମ୍ପର୍କରେ ବ୍ରହ୍ମପୁର ମହାନଗର ନିମଗର କମିଶନର ଚକବର୍ତ୍ତୀ ସି˚ ରାଠୋର କହିଛନ୍ତି ଯେ, ଅଧିକ ସୁଧ ମିଳୁଥିବା ବ୍ୟାଙ୍କରେ ଜମା ରଖାଯାଉଛି। ଓଡ଼ିଆରପି ଯୋଜନା ଆସନ୍ତା ମାର୍ଚ୍ଚରେ ସରିବ। ସରକାରଙ୍କ ଵାନ୍‌ ବ୍ୟାଙ୍କ ଵାନ୍‌ ଆକାଉଣ୍ଟ ନିୟମ ଅନୁସାରେ ଯୋଜନା ଆରମ୍ଭରୁ ହିଁ ଉକ୍ତ ବ୍ୟାଙ୍କରେ ଅନୁଦାନ ଅର୍ଥ ଜମା ରହିଛି। ସେହି ନିୟମ ଅନୁଯାୟୀ ପ୍ରଥମରୁ ସେଠାରେ ଅର୍ଥ ରହିଛି। ଉକ୍ତ ବ୍ୟାଙ୍କରେ ମହାନଗର ନିଗମର ଅଧିକ ନେଣଦେଣ (ଟ୍ରାଞ୍ଜେକ୍ସନ) ହେଉଥିବା ପ୍ରଶ୍ନରେ ସେ କହିଛନ୍ତ ଯେ, ଟିକସ ସ˚ଗ୍ରହ ଲାଗି ଆବଶ୍ୟକ ହେଉଥିବା ପିଓଏସ୍‌ ମେସିନ ଦାମ ୧୦ହଜାର ଟଙ୍କା ପଡ଼ୁଛି। ନିଗମକୁ ବ୍ୟାଙ୍କ ୫୦ଟି ମେସିନ ଦେବା ସହିତ ଏହାର ସଫ‌ଟୱେୟାର୍ ଡେଭଲପ୍ କରିଛି। ଏଥିସହ ଅନ୍ୟ ବ୍ୟାଙ୍କ ତୁଳନାରେ ଅଧିକ ସୁଧ ଦେଉଥିବାରୁ ସେଠାରେ ଟଙ୍କା ରଖାଯାଇଛି। ରାଜୀବ ଆବସ ଯୋଜନା ଅର୍ଥ ଆମେ ଏକ ବ୍ୟାଙ୍କରେ ରଖିଥିଲୁ। ଅଧିକ ସୁଧ ମିଳିବାରୁ ୪୦ କୋଟି ଟଙ୍କାକୁ ଉଠାଇ ଆନ୍ଧ୍ର ବ୍ୟାଙ୍କରେ ରଖାଯାଇଥିଲା। ତେଣୁ ଯେଉଁ ବ୍ୟାଙ୍କ ସୁଧ ଅଧିକ ଦେଲା ସେଠାରେ ରଖାଯାଉଛି। ଅନ୍ୟ କିଛି କାରଣ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର