ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଲେନ୍ ଇନଷ୍ଟିଚ୍ୟୁଟ୍ ସିଲ୍, ଆଇଆଇଟିରୁ ୧୦ ଛାତ୍ର କରୋନା ସଂକ୍ରମିତ

ଭୁବନେଶ୍ବର: ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱରର ଆଲେନ୍ ଇନଷ୍ଟିଚ୍ୟୁଟ୍ ସିଲ୍ ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏହି ଇନଷ୍ଟିଚ୍ୟୁଟକୁ ସିଲ୍ କରିଛି।
ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଲେନ୍ ଇନଷ୍ଟିଚ୍ୟୁଟକୁ ସିଲ୍ କରାଯାଇଥିବା ବେଳେ ବିଏମସି ପକ୍ଷରୁ ଏଠାରେ କେତେକ କଟକଣା ଲଗାଇଛନ୍ତି। ଏଥିରେ ଆଲେନ୍ ଇନଷ୍ଟିଚ୍ୟୁଟ୍ ଏବଂ ଏହାର ହଷ୍ଟେଲ/ମେସ୍ ଭିତରକୁ କେହି ଯାଇପାରିବେ ନାହିଁ ବୋଲି ଏଥିରେ କୁହାଯାଉଛି। ସେହିପରି ଏହି ଇନଷ୍ଟିଚ୍ୟୁଟ୍ ଭିତରୁ କେହି ବାହାରି ପାରିବେ ନାହିଁ। କେବଳ ବିଏମ୍ସିର ସ୍ୱୀକୃତିପ୍ରାପ୍ତ କର୍ମଚାରୀ ଏହା ଭିତରକୁ ଯା’ଆସ କରିପାରିବେ ବୋଲି ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁ ଆବଶ୍ୟକ ଜିନିଷ ସେମାନଙ୍କର ଦରକାର ହେବ, ତା’କୁ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ ଯୋଗାଇ ଦେବେ।
ଏହାଛଡ଼ା ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ହଷ୍ଟେଲ୍/ମେସରେ ଗୋଟିଏ କୋଠରୀରେ ଆଇସୋଲେସନ୍ କରି ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସେମାନଙ୍କ ଉପରେ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ କଡ଼ା ନଜର ରଖିବା ସହ ଆନୁସାଙ୍ଗିକ ବ୍ୟବସ୍ଥା କରିବେ।
ଏଣେ ଅରଗୁଳସ୍ଥିତ ଆଇଆଇଟିରୁ ୧୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିବାର ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର