ବରଯାତ୍ରୀ ଧରି ଗଲେ ୫ହଜାର ଗଣିବ!

ଧାରଣା ପାଇଁ ବି ଟିକସ, ସର୍ବନିମ୍ନ ୫୦୦ଟଙ୍କା

ଭୋଜିରେ ପ୍ଲାଷ୍ଟିକ ଥାଳି, କପ୍‌, ଗ୍ଲାସ୍‌ ନିଷିଦ୍ଧ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଯଦି ଆପଣ ବିବାହ କରୁଛନ୍ତି ଓ ସାଙ୍ଗରେ ବରଯାତ୍ରୀ ନେଇକି ଯାଉଛନ୍ତି ତେବେ ଆଗେ ବିଏମ୍‌ସିରେ ୫ହଜାର ଟଙ୍କା ଜମା କରିବାକୁ ପଡ଼ିବ। ବିଏମ୍‌ସିରେ ଟଙ୍କା ଜମା କରି ନଥିଲେ ବର ଗାଡ଼ି ବିନା ଶୋଭାଯାତ୍ରାରେ କନ୍ୟା ଘରକୁ ଯିବ।

ବିଏମ୍‌ସି ବାହାଘର ଶୋଭାଯାତ୍ରା ଉପରେ ଏଭଳି କର ଲଗାଇଛି। ବିଏମ୍‌ସିର ପିଟୁଣି ଟିକସ ଯୋଗୁଁ ଏବେ ରାଜଧାନୀରେ ବାହାଘର ମହଙ୍ଗା ହେବାକୁ ଯାଉଛି। ଜିଏସ୍‌ଟି, ବିମୁଦ୍ରାକରଣ ପରେ ବାହାଘର ପୂର୍ବ ଅପେକ୍ଷା ମହଙ୍ଗା ହୋଇ ଯାଇଥିବାବେଳେ ଏବେ ବିଏମ୍‌ସି ବାହାଘର ବଜେଟ୍‌କୁ ଆହୁରି ବଢ଼ାଇ ଦେଇଛି। କେବଳ ବାହାଘର ନୁହେଁ ବ୍ରତୋପନୟନ ହେଉ କି କୌଣସି ଧାର୍ମିକ ଅନୁଷ୍ଠାନର ଶୋଭାଯାତ୍ରା ବା କୌଣସି ପ୍ରକାରର ଶୋଭାଯାତ୍ରା ଏଥିପାଇଁ ବିଏମ୍‌ସିରୁ ଏନ୍‌ଓସି ଆଣିବାକୁ ପଡ଼ିବ। ଏହି ଏନ୍‌ଓସି ୫ହଜାର ଟଙ୍କା ଜମା କଲେ ମିଳିବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି। ଏନେଇ କମିସନରେଟ୍‌ ପୁଲିସକୁ ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ। ପୁଲିସ ଅନୁମତି ଦେବା ପୂର୍ବରୁ ବିଏମ୍‌ସିର ଏନ୍‌ଓସି ଦେଖିବା ବାଧ୍ୟତାମୂଳକ କରାଯିବ ବୋଲି ମେୟର କହିଛନ୍ତି।

ଏହାବାଦ୍‌ କୌଣସି ବିବାହ ଉତ୍ସବରେ ପ୍ଲାଷ୍ଟିକ ସାମଗ୍ରୀ ଯେପରି ବ୍ୟବହାର ନହୁଏ ସେଥିପାଇଁ ବିଏମ୍‌ସିରେ ଅଣ୍ଡରଟେକିଂ ଦେବାକୁ ହେବ। କେହି ପ୍ଲାଷ୍ଟିକ ଥାଳି, କପ୍‌, ଗ୍ଲାସ୍‌ ବ୍ୟବହାର କରିପାରିବେନି। ଯିଏ ଏହି ନିୟମ ନ ମାନିବେ ତାଙ୍କ ବିରୋଧରେ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନିୟମ-୨୦୧୬ ଅନୁଯାୟୀ ଜରିମାନା ଆଦାୟ ହେବ ବୋଲି ନିଷ୍ପତ୍ତି ହୋଇଛି।

କେବଳ ବାହାଘର ଶୋଭାଯାତ୍ରା କି ଅନ୍ୟାନ୍ୟ ଶୋଭାଯାତ୍ରା ନୁହେଁ, ଧାରଣା ପାଇଁ ସଂସ୍ଥା/ସଂଗଠନ/ବ୍ୟକ୍ତିି ବିଶେଷ ଦୈନିକ ସର୍ବନିମ୍ନ ୫୦୦ଟଙ୍କା ଦେବେ। ୧୦୦ରୁ କମ୍‌ ଲୋକ ଏଥିରେ ସାମିଲ୍‌ ହୋଇପାରିବେ। ସେହିପରି ୧୦୦ରୁ ୫୦୦ ଲୋକ ଧାରଣାରେ ବସିଲେ ଦିନକୁ ହଜାରେ ଟଙ୍କା ଜମା କରିବେ। ୫୦୦ରୁ ଅଧିକ ଲୋକ ହେଲେ ଜଣ ପିଛା ଦିନକୁ ୫ଟଙ୍କା ହିସାବରେ ଜମା କରିବାକୁ ପଡ଼ିବ ବୋଲି ବିଏମ୍‌ସି ନିଷ୍ପତ୍ତି ନେଇଛି।

ଏସଂପର୍କରେ ମେୟର କହିଛନ୍ତି ଯେ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଅଗଷ୍ଟ ୫ତାରିଖରେ ବସିଥିବା ବୈଠକରେ ବିଭିନ୍ନ ପ୍ରକାରର ଶୋଭାଯାତ୍ରା, ଧାରଣା, ସାଧାରଣ ସଭା ପାଇଁ ଫି ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଗତ ନଭେମ୍ବର ୧୭ତାରିଖରେ ଚିଠି ନଂ ୨୨୩୨/ସିରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପୂର୍ବରୁ ବିଏମ୍‌ସିର ରିଜୋଲ୍ୟୁସନ୍‌ ନଂ ୭(୧୦)ରେ ଏହା ପାରିତ ହୋଇଛି। ଉପରୋକ୍ତ ନିଷ୍ପତ୍ତି ଅନୁଯାୟୀ ଆମେ ଏବେ ଲାଗୁ କରୁଛୁ ବୋଲି ମେୟର କହିଛନ୍ତି। ପରିମଳ ବ୍ୟବସ୍ଥା ପରିଚାଳନା ଏବଂ ପ୍ରଶାସନିକ ଫି’ ଆଦାୟ ପାଇଁ ଏହି ନିୟମ ଲାଗୁ ହେବ। ବର ଶୋଭାଯାତ୍ରାରେ ଯିବା ସମୟରେ ରାସ୍ତାର ବହୁ ଅଳିଆ ଗଦା ହେଉଛି। ଫୁଟୁ ଥିବା ବାଣ, ସ୍ପ୍ରେ ହେଉଥିବା ସ୍ନୋ ଓ ଅନ୍ୟାନ୍ୟ ପ୍ରକାରର ଆବର୍ଜନା ଗଦା ହେଉଥିବାରୁ ରାସ୍ତା ବହୁତ ଅପରିଷ୍କାର ହେଉଛି। ତେଣୁ ଆମେ ଏହି ନିୟମ ଲାଗୁ କରୁଛୁ।

ସମ୍ବନ୍ଧିତ ଖବର