ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରରେ ୧୩ ଟିମ୍ ଗଠିତ, ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ପରିମଳ କର୍ମଚାରୀ କାମ କରିବେ

ଭୁବନେଶ୍ୱର: ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀ ଭୁବନେଶ୍ୱରରେ ୭ଦିନ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବା କଥା ଗତକାଲି ଘୋଷଣା ହେବା ପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଇଛି। ନମୁନା ପରୀକ୍ଷା ପାଇଁ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି । ତାହା ଅନୁଯାୟୀ ଭୁବନେଶ୍ୱରରେ ନମୁନା ସଂଗ୍ରହ କରିବାକୁ ବିଏମସି ପକ୍ଷରୁ ଟିମ୍ ଗଠନ କରାଯାଇଛି । ରାଜଧାନୀର ୩ଟି ଜୋନ ପାଇଁ ୧୩ ଟିମ୍ ଗଠିତ ହୋଇଥିବା ସୂଚନା ଦେଇଛି ବିଏମସି।

ଜଣେ ଡାକ୍ତରଙ୍କ ସମେତ ୫ ଜଣଙ୍କୁ ନେଇ ଗଠିତ ହୋଇଛି ଗୋଟିଏ ଗୋଟିଏ ଟିମ୍ ।  ଏହି ଟିମରେ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ପରିମଳ କର୍ମଚାରୀଙ୍କୁ ସାମିଲ୍ କରାଯାଇଛି। ଡାକ୍ତର ଏହି ଟିମ୍‌ ପରିଚାଳନା ଦାୟିତ୍ବରେ ରହିବେ।

ଏହି ଟିମ୍ ୨ଟି ସିଫ୍ଟରେ କାମ କରିବ । ପ୍ରଥମ ସିଫ୍ଟରେ ଟିମ୍  ସକାଳ ୮ଟାରୁ ଦିନ ୧୧ଟା ଯାଏଁ କାମ କରିବ ଓ ଦ୍ବିତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ଯାଏଁ କାମ କରିବ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ଆଗାମୀ ଏକ ସପ୍ତାହ ଭିତରେ ୫୦୦୦ ନମୁନା ପରୀକ୍ଷା କରାଯିବ। ଏଥିଲାଗି ଭୁବନେଶ୍ୱରରେ ଟେଷ୍ଟିଂ ପାଇଁ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି । ଭ୍ରାମ୍ୟମାଣ ମୋବାଇଲ କ୍ୟାମ୍ପ ମଧ୍ୟ ଭୁବନେଶ୍ୱରରେ ଚାଲିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗତକାଲି ସୂଚନା ଦେଇଥିଲେ।

ଏହାଫଳରେ ରାଜଧାନୀ ସହରରେ କରୋନା ସଂକ୍ରମଣର ଅସଲ ଚିତ୍ର ସାମ୍ନାକୁ ଆସିପାରିବ। କେବଳ ସେତିକି ନୁହେଁ, ଏହା ଦ୍ବାରା ସଂକ୍ରମିତ ଚିହ୍ନଟ ଓ ଚିକିତ୍ସା ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇ ପାରିବ। ଭୁବନେଶ୍ୱର ଏକ ହଟସ୍ପଟ ହୋଇଥିବା ହେତୁ ଏଥିଲାଗି ଏହି ସବୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର