ବାହାନଗାରେ ବିଏମ୍‌ସି ଟିମ୍‌, ଲୋକଙ୍କୁ ନେଲା ମୋ’ ବସ୍‌

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ବିଏମ୍‌ସିର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ୨୪୦ ଜଣ ଏହି ଟିମ୍‌ରେ ସାମିଲ ହୋଇଛନ୍ତି। ବ୍ଲିଚିଂ ପାଉଡର ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଧରି ଏହି ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଟିମ୍‌ର ନେତୃତ୍ବ ନେଉଥିବା ବେଳେ ତାଙ୍କ ସହିତ ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା ରହିଛନ୍ତି। ଟିମ୍‌ରେ ପରିମଳ ଉପବିଭାଗ ଅଧୀନରେ କାମ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀ ରହିଛନ୍ତି। ଆହତଙ୍କୁ ଉଦ୍ଧାର କରିବା ସହ ଶବ ମଧ୍ୟ ଉଦ୍ଧାର କରୁଛନ୍ତି। ଅନେକ ଶବ ମଧ୍ୟ ଭୁବନେଶ୍ବର ଆସିବାକୁ ଅଛି। ଏଣୁ ସେହି କାମରେ ମଧ୍ୟ ଏହି ଟିମ୍‌ ସହାୟତା କରିବ। ତେବେ କେବଳ ଶବ କିମ୍ବା ଆହତଙ୍କୁ ଉଦ୍ଧାର ନୁହେଁ, ବରଂ ଘଟଣାସ୍ଥଳ ଓ ଶବ ରହୁଥିବା ପରିସରରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣୁଛନ୍ତି।

ଆବଶ୍ୟକ ପଡ଼ିଲେ ଅଧିକ କର୍ମଚାରୀ କିମ୍ବା ଅନ୍ୟ କୌଣସି ସହାୟତା ଯୋଗାଇ ଦେବାପାଇଁ ବିଏମ୍‌ସି ପ୍ରସ୍ତୁତ ବୋଲି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଏହି ଦୁର୍ଘଟଣା ଯୋଗୁ ବିଭିନ୍ନ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ଭୁବନେଶ୍ବର ରେଳ ଷ୍ଟେସନରେ ହଜାର ହଜାର ଲୋକ ଅଟକି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବସ୍‌ ଓ ଘରୋଇ ଟ୍ୟାକ୍ସି ସେବା ବ୍ୟବହାର କରି ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି। କିନ୍ତୁ ଶତାଧିକ ଯାତ୍ରୀ କେବଳ ଟ୍ରେନ୍‌ ଉପରେ ହିଁ ନିର୍ଭର କରୁଥିବାରୁ ଷ୍ଟେସନରେ ଫସି ରହିଛନ୍ତି। ଗତ ରାତିରେ କମିସନର ଷ୍ଟେସନ ବୁଲି ଯାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଯେଉଁମାନେ ଫସି ରହିଥିଲେ ସେମାନଙ୍କୁ ଏସ୍‌ୟୁଏଚ୍‌(ସହରାଞ୍ଚଳ ବାସହୀନ ଆବାସ)ରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପତିତା ଉଦ୍ଧାର ସମିତି ସେହି ସବୁ ଯାତ୍ରୀଙ୍କୁ ଖୋଜି ଏସ୍‌ୟୁଏଚ୍‌କୁ ନେଇଛି। ସେଠାରେ ଟ୍ରେନ୍‌ ଚଳାଚଳ ବାବଦରେ ସେମାନଙ୍କୁ ସୂଚନା ଦିଆଯାଉଛି। ପତିତା ଉଦ୍ଧାର ସମିତିର ସଦସ୍ୟ ଷ୍ଟେସନ ତଥା ଆଖପାଖରେ ନଜର ରଖିଛନ୍ତି। ଏଭଳି ଅବସ୍ଥାରେ ଫସି ରହିଥିବା ଲୋକ ବା ସହାୟତା ଚାହୁଥିବା ଲୋକଙ୍କୁ ଉଦ୍ଧାର କରି ଏସ୍‌ୟୁଏଚ୍‌ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି କେତେକ ଲୋକଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ‘ମୋ ବସ୍‌’ ଯୋଗେ ପଠାଯାଇଛି। ଷ୍ଟେସନରେ ସ୍ଥିତି ଅନୁଧ୍ୟାନ ସମୟରେ କେତେକ ଯାତ୍ରୀଙ୍କୁ ବାଲେଶ୍ବର, ଭଦ୍ରକ ଓ ଅନ୍ୟ କେତେକ ଜାଗାକୁ ପହଞ୍ଚିବା ଜରୁରି ଥିବାରୁ ମୋ ବସ୍‌ ପଠାଇବାକୁ ବିଏମ୍‌ସି କମିସନର ତଥା କ୍ରୁଟ୍‌ ସିଇଓ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିଲେ। ଗତ ରାତିରେ ତିନିଟି ମୋ ବସ୍‌ ଏହି ଯାତ୍ରୀ ପରିବହନ କାର୍ଯ୍ୟ କରିଥିବା ବେଳେ ଆଜି ସକାଳୁ ବିଏମ୍‌ସି ଟିମ୍‌କୁ ନେଇ ୬ଟି ମୋ ବସ୍‌ ବାହାନଗା ଯାଇଛି। ଭୁବନେଶ୍ବରରେ ରୁଟ୍‌ ନମ୍ବର ୧୦, ୧୧, ୧୨, ୧୩, ୧୭ ଓ ୧୯ରେ ଚାଲୁଥିବା ଏହି ସବୁ ବସ୍‌କୁ ବାତିଲ କରାଯାଇଥିବା କ୍ରୁଟ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର