ଆନନ୍ଦପୁର : ଶିଶୁମାନଙ୍କର ବିକାଶରେ ହିଁ ଭାରତର ସର୍ବଶ୍ରେଷ୍ଠ ବିକାଶ ସମ୍ଭବ। ଆନନ୍ଦପୁର ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲିର ଉଦ୍‌ଯାପନୀ ସମାରୋହ‌େର ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି।

Advertisment

ରାଜ୍ୟପାଳ କହିଥିଲେ ଯେ, ପୃଥିବୀର ଭବିଷ୍ୟତ ସଂରଚନା ଭାରତ ଉପରେ ନିର୍ଭରଶୀଳ। ଭାରତ ଏକ ସୁନାର ଚଢ଼େଇ ସଦୃଶ ବୋଲି ବିଭିନ୍ନ ଦେଶର ଲୋକମାନେ ଏଠାକୁ ବଣିଜ କରିବାରୁ ଆସିଥାନ୍ତି। ଆମେ ବଂଶୀ, ଘୁଙ୍ଗୁରର ମଧୁର ଶବ୍ଦ ଶୁଣାଇପାରୁ, ଆବଶ୍ୟକ ପଡିଲେ ସୁଦର୍ଶନ ଚକ୍ରର ବ୍ୟବହାର ସମ୍ପର୍କରେ ଜଣାଇ ଦେଇଥାଉ। ଫୁଲର ମହକ ଯେଭଳି ଚାରିଆଡ଼କୁ ବ୍ୟାପେ ସେହିଭଳି ସମସ୍ତଙ୍କୁ ଭଲପାଅ ଓ ଆପଣାର କରିବା ଶିଖ। ଫଳରେ ସମାଜରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ହୋଇପାରିବ ବୋଲି ରାଜ୍ୟପାଳ ତ‌ାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଏହି ଅବସରରେ ଆହୁରି ମଧ୍ୟ କହିଥିଲେ, ସେ ରାଜ୍ୟପାଳ ନୁହନ୍ତି ବରଂ ରାଜ୍ୟର ବାଳକ। ରାଜ୍ୟର ବାଳକଙ୍କ ସୁରକ୍ଷା ରାଜ୍ୟବାସୀଙ୍କ ହାତରେ ରହିଥିବାରୁ ତାଙ୍କ ସୁରକ୍ଷାର କୌଣସି ଆବଶ୍ୟକତା ନାହିଁ।

ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଖଣ୍ତପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଭବିଷ୍ୟତକୁ ନୂଆକରି ଗଢ଼ି ତୋଳିବାରେ ଅତୀତର ପ୍ରମୁଖ ଭୂମିକା ରହିଛି। ଯେଉଁ ଶିକ୍ଷାନୁଷ୍ଠାନ ଆପଣଙ୍କ ଭବିଷ୍ୟତକୁ ତିଆରି କରିଛି, ତାର ଜନ୍ମଦିନ ଉତ୍ସବ ଆମେ ଆଜି ପାଳନ କରୁଥିବାରୁ ଏହାର ଋଣ ପରିଶୋଧ କରିବାର ସମୟ ଆସିଛି। ଏହାକୁ ହାତଛଡ଼ା କରିବା ଉଚିତ ନୁହେଁ। ଶିକ୍ଷାନୁଷ୍ଠାନର ଉନ୍ନତି କେବଳ ସରକାରଙ୍କର ବୋଲି କହି ନିଜ ଦାୟିତ୍ବରୁ ଖସିଯିବା ବଦଳରେ ପୁରାତନ ଛାତ୍ରମାନେ ଏହାର ଉନ୍ନତି ପାଇଁ ଆଗେଇ ଆସିବା ଉଚିତ। ନିଜ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମାତ୍ର ୨୭୬ଟଙ୍କା ବିନିମୟରେ ସେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଏମ୍ଏ ପାସ କରିଥିଲେ। ସ୍କୁଲର ବୃତ୍ତି ଟଙ୍କାକୁ ହିସାବ କଲେ ମୁଁ ଆଜି ବିଦ୍ୟାଳୟ ନିକଟରେ ଋଣୀ ହୋଇ ରହିବି। ଋଣ ପରିଶୋଧ କରିବାର ଏହି ସମୟକୁ ପୁରାତନ ଛାତ୍ରମାନେ ହାତଛଡ଼ା କରିବା ଉଚିତ ନୁହେଁ। ଶିକ୍ଷକମାନେ ମଧ୍ୟ ଆନ୍ଦୋଳନରୁ ନିବୃତ୍ତି ରହି ବିଦ୍ୟାଳୟରେ ଶିକ୍ଷାଦାନ ଉପରେ ଗୁରୁତ୍ବ ଦେବାକୁ ସେ ଆହ୍ବାନ ଦେଇଥିଲେ।

ଜୁବୁଲି କମିଟିର ମୁଖ୍ୟ ପୁରୋଧା ପୁରାତନ ଛାତ୍ର ନିରଞ୍ଜନ ପଟ୍ଟନାୟକ ରାଜ୍ୟପାଳଙ୍କ ମହାନତା ଓ ଲୋକପ୍ରିୟତା ଉପରେ ଆଲୋକପାତ କରିବା ସହିତ ଉତ୍ସବରେ ଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଅବନ୍ନତି ହେଉଥିବାରୁ ଶ୍ରୀ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରି ଏଥିରେ ହସ୍ତକ୍ଷେପ କରିବାକୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଦୈତାରୀ-ବାଂଶପାଣି ରେଳପଥକୁ ଶଗଡ଼ପଟାଠାରୁ ଭଦ୍ରକ ପର୍ଯ୍ୟନ୍ତ ସଂଯୋଗ କରାଗଲେ ଆନନ୍ଦପୁରବାସୀ ରେଳଗାଡ଼ିରେ ବସିବାର ସୁଯୋଗ ପାଇପାରନ୍ତେ ବୋଲି ସେ ମତବ୍ୟକ୍ତ କରିଥିଲେ।

ଚଳଚ୍ଚିତ୍ର ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ନିଜର ବିଦ୍ୟାଳୟ ସମୟର ଅନୁଭୂତି ବର୍ଣ୍ଣନା କରିବା ସହ ଆଧୁନିକ ଶିକ୍ଷାବ୍ୟବସ୍ଥା ମଧ୍ୟରେ କିଭଳି ସରକାରୀ ଶିକ୍ଷା ହଜିଯାଇଛି, ଏହାର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ। ଶିକ୍ଷାବ୍ୟବସ୍ଥାକୁ ସଜାଡ଼ିବାରେ ଆମ ସମସ୍ତଙ୍କ ଭୂମିକା ରହିଛି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଜୁବୁଲି କମିଟିର ସଭାପତି ଇଂ ଶ୍ରୀଧର ବେହେରାଙ୍କ ସଭାପତିତ୍ବରେ ପରିଚାଳିତ ଉତ୍ସବରେ କମିଟିର ସମ୍ପାଦକ ମହେଶ୍ବର ସାହୁ ସ୍ବାଗତ ଭାଷଣ ଦେଇଥିଲେ। ସଭା ଆରମ୍ଭ ଓ ଶେଷରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଜୀବ ବାରିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପୁରାତନ ଛାତ୍ରଙ୍କ ଦ୍ବାରା କ୍ଷୁଦ୍ରନାଟକ ମଞ୍ଚସ୍ଥ ହୋଇଥିଲା। ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସଙ୍କ ନେତୃତ୍ବରେ କଟକର ଗୁଞ୍ଜନ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।