‘ଫନି’ ହଜାଇ ଦେଲା ‘ବିଏନ୍‌ଆର୍‌ ଚାଣକ୍ୟ’ ଐତିହ୍ୟ କାରୁକାର୍ଯ୍ୟ

(ପୁରୀରୁ ବିଶ୍ବଜିତ ଦାଶଙ୍କ ରିପୋର୍ଟ), ଯେଉଁ ବିଏନ୍‌ଆର୍‌ ହୋଟେଲର ବାଲକୋନିର ପଡ଼ିଥିବା ଲମ୍ବା ଚେୟାରରେ ବସି ହିନ୍ଦୀ ସିନେମା ଜଗତର କିମ୍ବଦନ୍ତୀ ନିର୍ମାତା ସତ୍ୟଜିତ ରାୟ ଫିଲ୍ମର ସଂଳାପ, ସଂଗୀତ ଲେଖୁଥିଲେ। ଯେଉଁ ବାଲକୋନିର କାନ୍ଥ ଉପରେ ହାତ ଡେରି ନୀଳ ସମୁଦ୍ରକୁ ଚାହିଁ ଚଳଚ୍ଚିତ୍ରର ବିଭିନ୍ନ ଦୃଶ୍ୟର ପ୍ରତିଛବି ଆଙ୍କୁଥିଲେ, ସେ ବାଲକୋନି ଆଉ ନାହିଁ କି ସେ ଲମ୍ବା ଲମ୍ବା ଚେୟାର ଆଉ ନାହିଁ। ମେ ୩ତାରିଖରେ ପୁରୀରେ ମାଡ଼ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ସବୁକୁ ଧ୍ବଂସ କରିଦେଇଛି।

କେବଳ ସତ୍ୟଜିତ ରାୟ ନୁହେଁ, ପୁରୀ ଆସିଲେ ଏହି ହୋଟେଲରେ ରାତି ବିତାଉଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ସଂଗୀତ ନିର୍ଦ୍ଦେଶକ ଏସ୍‌.ଡି ବର୍ମନ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟଙ୍କ ଭଳି ବ୍ୟକ୍ତିମାନେ। ପୁରୀର ଏହି ଐତିହ୍ୟ ହୋଟେଲକୁ ଏହିଭଳି ବ୍ୟକ୍ତିମାନଙ୍କୁ ଟାଣି ଆଣୁଥିଲା ଏହାର କାରୁକାର୍ଯ୍ୟ, ସୁଦୂର ବର୍ମାରୁ ଆସିଥିବା ଶାଗୁଆନ ଏବଂ ବିଭିନ୍ନ କାଠରେ ନିର୍ମାଣ ହୋଇଥିବା‌ ଆସବାବପତ୍ର, ଏକ ରାଜପ୍ରସାଦରେ ରହିବା ଭଳି ଅନୁଭୂତି, ବିଶେଷକରି ଏଠାରେ ଥିବା କର୍ମଚାରୀଙ୍କ ବେଶଭୂଷା, ବ୍ୟବହାର ଏବଂ ପରସା ଯାଉଥିବା ଖାଦ୍ୟ।

ହେଲେ ପ୍ରଳୟଙ୍କାରୀ ବାତ୍ୟା ୯୭ବର୍ଷ ତଳର ଏହି ହୋଟେଲରେ ଲାଗିଥିବା ବର୍ମା ଶାଗୁଆନର କବାଟ, ଝରକାରୁ ଆରମ୍ଭ କରି ବହୁ ଆସବାବପତ୍ରକୁ ଭାଙ୍ଗିରୁଜି ଚୁରମାର୍ କରିଦେଇଛି। ଏହି ଐତିହ୍ୟ କୋଠାଟି ଦରଭଙ୍ଗା ହୋଇପଡ଼ିଛି। ବାତ୍ୟା ମାଡ଼ ଏହାକୁ ଏମିତି କ୍ଷତାକ୍ତ କରିଛି ଯେମିତି ଏହା ଉପରେ କିଏ ବୋମା ପକାଇ ଉଡ଼ାଇ ଦେବାକୁ ଉଦ୍ୟମ କରିଛି। ସ୍ଥିତି ଏପରି ହୋଇଛି ଯେ, ପୁରୀର ପୁରାତନ ହୋଟେଲ ବେଙ୍ଗଲ ନାଗପୁର ରେଲୱେ (ବିଏନ୍‌ଆର୍‌)ହୋଟେଲର ପୁରୁଣା କାରୁକାର୍ଯ୍ୟ ଏବେ ଆଉ ଦେଖିବାକୁ ମିଳିବନି।

୧୯୨୨ ମସିହାରେ ପୁରୀର ସମୁଦ୍ର କୂଳରେ ଆରମ୍ଭ ହୋଇଥିବା ବିଏନ୍‌ଆର୍‌ ହୋଟେଲର ବିଶେଷତ୍ବ ଥିଲା ଏହାର କୋଠାର କାରୁକାର୍ଯ୍ୟ, ସୁଦୂର ବର୍ମାରୁ ଆସିଥିବା କାଠରେ ନିର୍ମାଣ ହୋଇଥିବା ଖଟ, ଚେୟାର, ଆଲେଣା, ଆଲମିରା। ଏଠାରେ ରହୁଥିବା ଲୋକ ଯେପରି ରାଜପ୍ରସାଦରେ ରହିବାର ଅନୁଭୂତି ପାଇବେ ସେଥିପାଇଁ ଭାରତୀୟ ରେଳ ପକ୍ଷରୁ ଏହାକୁ ଏକ ସ୍ବତନ୍ତ୍ର ରୂପ ଦିଆଯାଇଥିଲା। ପ୍ରାୟ ୧୦୦ ବର୍ଷର ଏହି ହୋଟେଲକୁ ଦୀର୍ଘ ବର୍ଷ ତଳୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଐତିହ୍ୟ ହୋଟେଲର ମାନ୍ୟତା ଦେଇଛି। କିନ୍ତୁ ବାତ୍ୟାର ବିଧ୍ବଂସ ପରେ ଏହି ହୋଟେଲ ଯଦିଓ କିଛି ମାସରେ ନୂ୍ଆ ରୂପରେ ଛିଡ଼ା ହେବ କିନ୍ତୁ ଏହାର ନିଆରା କାରୁକାର୍ଯ୍ୟ ଆକର୍ଷିତ କରୁଥିବା କୀର୍ତ୍ତିରାଜି ଆଉ ଦେଖିବାକୁ ମିଳିବନି।

ଏହି ବିଏନ୍‌ଆର୍‌ ହୋଟେଲ ୨୦୦୭ ମସିହାରୁ ସୁଜାତା ହୋଟେଲସ ପ୍ରାଇଭେଟ ଲିମିଟେଡ ଦ୍ବାରା ପରିଚାଳିତ ହେଉଥିବାବେଳେ ୨୦୨୨ପର୍ଯ୍ୟନ୍ତ ଏହି ଘରୋଇ ସଂସ୍ଥାକୁ ପରିଚାଳନା ଦାୟିତ୍ବ ମିଳିଛି। ହେଲେ ବାତ୍ୟାର ବିଧ୍ବଂସ ପରେ ହୋଟେଲର ପୁନରୁଦ୍ଧାର ଭାରତୀୟ ରେଲୱେ କରିବ ନା ପରିଚାଳନା ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥା କରିବ ସେନେଇ ଏବେ କିଛି ନିଷ୍ପତ୍ତି ହୋଇପାରୁନି। ଫଳରେ ରଥଯାତ୍ରା ପୂର୍ବରୁ ପୁଣି ପୂର୍ବ ଅବସ୍ଥାକୁ ଫେରିବାକୁ ପୁରୀରେ ହୋଟେଲଗୁଡ଼ିକ ପ୍ରସ୍ତୁତି ଚଳାଇଥିବାବେଳେ ଏହି ଐତିହ୍ୟ ହୋଟେଲ ଏବେ ଅଲୋଡ଼ା ହୋଇପଡ଼ିଛି।

ବିଏନ୍‌ଆର୍‌ ଚାଣକ୍ୟ, ପୁରୀର ରେସିଡେଣ୍ଟ ମ୍ୟାନେଜର ‌ଶ୍ରୀକାନ୍ତ ମୈତ୍ର କହିଛନ୍ତି ଯେ, ବାତ୍ୟାରେ ଆମର ୪ରୁ ୫କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବାତ୍ୟାରେ ଆମର ୩୭ଟି ଯାକ ରୁମ୍‌‌େର ବ୍ୟାପକ କ୍ଷୟକ୍ଷତି ହୋଇଛି। ଆମେ ହେରିଟେଜ୍ ହୋଟେଲ ମାନ୍ୟତାକୁ ବଜାୟ ରଖିବା ପାଇଁ ଯାହା ସବୁ କାର୍ଯ୍ୟ କରିଥିଲୁ ତାହା ପ୍ରାୟତଃ ନଷ୍ଟ ହୋଇଯାଇଛି। ବାର୍‌ରୁ ଆରମ୍ଭ କରି ଡାଇନିଂ, ରୁମ୍‌ରୁ ବାଲକୋନି ପର୍ଯ୍ୟନ୍ତ ସବୁ ନଷ୍ଟ ହୋଇଯାଇଛି। ଛାତର ସିଲିଂ ବି ଖସିଯାଇଛି। ପ୍ରାୟ ୧୨୦ରୁ ଅଧିକ କାରିଗର ଦୁଇ ମାସ ଅନବରତ କାର୍ଯ୍ୟ କଲେ ହିଁ ଏହା ପୂର୍ବ ଅବସ୍ଥାକୁ ଫେରିପାଇବ।

ହୋଟେଲ ବ୍ୟବସାୟୀ ଦେବୁ ପଟ୍ଟନାୟକ କହନ୍ତି ଯେ, ୧୯୨୨ ମସିହାରେ ଜଣେ ବିଦେଶୀଙ୍କ ଠାରୁ ବେଙ୍ଗଲ ନାଗପୁର ରେଲୱେ ଏହି କୋଠାଟିକୁ କିଣିବା ପରେ ଏହା ବିଏନ୍‌ଆର୍‌ ହୋଟେଲ ନାମରେ ନାମିତ ହୋଇଥିଲା। ଏଠାରେ ଥିବା କର୍ମଚାରୀଙ୍କ ବ୍ୟବହାର, ପରସା ଯାଉଥିବା ଖାଦ୍ୟ ହିଁ ପ୍ରଥମରୁ ଏହାର ଆକର୍ଷଣ ସାଜିଛି। ଏହି ‌ହୋଟେଲର ପ୍ରମୁଖ ଆକର୍ଷଣ ଥିଲା ଏହାର ବା‌ଲକୋନିରେ ପଡ଼ିଥିବା ଲମ୍ବା ଚେୟାରରେ ଶୋଇକି ନୀଳ ସମୁଦ୍ରର ଦୃଶ୍ୟକୁ ଉପଭୋଗ କରିବା। ଯାହା ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ପୁରୀକୁ ଆସିଲେ ଏଠାରେ ରହିବାକୁ ଆକର୍ଷିତ କରୁଥିଲା। ଯେଉଁଥିପାଇଁ ବିଶିଷ୍ଟ ସିନେ ନିର୍ମାତା, ଲେଖକ, ସଂଗୀତକାର ସତ୍ୟଜିତ ରାୟ ନିୟମିତ ଏଠାକୁ ଆସୁଥିଲେ ଆଉ ଦୀର୍ଘଦିନ ରହି ଏଠାରେ ରହୁଥିଲେ। ବିଏନ୍‌ଆର୍‌ ହୋଟେଲର ଐତିହ୍ୟ କାରୁକାର୍ଯ୍ୟକୁ ପୁନରୁଦ୍ଧାର କାର୍ଯ୍ୟ କୌଣସି ଐତିହ୍ୟ କୀର୍ତ୍ତିରାଜି ସଂରକ୍ଷଣ କରୁଥିବା ସଂସ୍ଥାକୁ ଦିଆଗଲେ ହିଁ ଏହାର ପୂର୍ବ ଖ୍ୟାତି ବଜାୟ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର