ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ଭଅଁରପୁର ପଞ୍ଚାୟତ ରୋହି ଗ୍ରାମର ବୈକୁଣ୍ଠ ଦେହୁରୀଙ୍କ ଘରୁ ବନ ବିଭାଗ ଏକ କିଲୋ ବାର୍‌ହା ମାଂସ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେହିପରି ୧୮ ତାରିଖ ରାତିରେ ବନ ବିଭାଗ ଗ୍ରାମର ବିଚିତ୍ରାନନ୍ଦ ମହାନ୍ତଙ୍କ ବାଡ଼ିରୁ ୧୨ କିଲୋ ଓଜନର ଆଉ ଏକ ମୃତ ବାର୍‌ହା ଜବତ କରିଛି। କିନ୍ତୁ ଏହି ଘଟଣାରେ ବନ ବିଭାଗ ଶ୍ରୀ ମହାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment

ହରିଚନ୍ଦନପୁର ବନପାଳ ଡମ୍ବରୁଧର ମହାନ୍ତଙ୍କ ସୂଚନା ଅନୁଯାୟୀ, ୧୭ ତାରିଖ ରାତିରେ ଗ୍ରାମରେ ବାର୍‌ହା ମରାଯାଇଥିବା ନେଇ ଖବର ମିଳିଥିଲା। ବନ ବିଭାଗ ଚଢ଼ଉ କରି ଶ୍ରୀ ଦେହୁରୀଙ୍କ ଘରୁ ଏକ କିଲୋ ମାଂସ ଜବତ କରିଥିଲା। କେସ୍‌ ନମ୍ବର ୧୦୦ ଡି/୨୨ରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ୧୮ ତାରିଖ ରାତିରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ବନ ବିଭାଗ ଚଢ଼ଉ କରି ଶ୍ରୀ ମହାନ୍ତଙ୍କ ବାଡ଼ିରୁ ୧୨ କିଲୋ ଓଜନର ଏକ ମୃତ ବାର୍‌ହା ଜବତ କରାଯାଇଛି। ହରିଚନ୍ଦନପୁର ପ୍ରାଣୀ ଚିକିତ୍ସାଳୟରେ ବାର୍‌ହାର ମତଦେହ ବ୍ୟବଚ୍ଛେଦ କରାଯାଇ ପୋତା ଯାଇଛି। ଘଟଣାର ତଦନ୍ତ ଚାଲିଛି। ଶ୍ରୀ ମହାନ୍ତଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯିବ ବୋଲି ବନପାଳ କହିଛନ୍ତି।