ପ୍ରକାଶ ପାଇଲା ବୋର୍ଡ ଅଡିଟ୍‌ ରିପୋର୍ଟ : ଧରାପଡ଼ିଛି ଅନିୟମିତତା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ରେ ଚାଲିଛି ଦିନ ମଜୁରିଆଙ୍କ ରାଜ୍‌। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ଦାୟିତ୍ୱ ଏମାନଙ୍କ ହାତରେ ସମର୍ପି ଦିଆଯାଇଛି। ଖାଲି ସେତିକି ନୁହେଁ ବୋର୍ଡ ଅଧିକାରୀଙ୍କ ଆଖିବୁଜା ସମର୍ଥନ ପାଇଁ ସେମାନେ ନାନା ବେଆଇନ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ବୋର୍ଡ ଭଳି ଏକ ସମ୍ବେଦନଶୀଳ ଅନୁଷ୍ଠାନର ଅନେକ କ୍ଷେତ୍ରରେ ଗୋପନୀୟତା ବଜାୟ ରଖିବା ଜରୁରି। କିନ୍ତୁ ଯେଉଁ ଦାୟିତ୍ୱ ସ୍ଥାୟୀ ତଥା ବରିଷ୍ଠ କର୍ମଚାରୀଙ୍କ ଦ୍ୱାରା ସଂପାଦିତ ହେବା କଥା ତାହା ଏବେ ଦିନ ମଜୁରିଆଙ୍କ ହାତରେ ସଂପାଦିତ ହେଉଛି। ଏପରିକି ବୋର୍ଡ ଅଧିକାରୀଙ୍କ ଅନୁକମ୍ପାରୁ ଏହି କର୍ମଚାରୀମାନେ ରବିବାର ସମେତ ଛୁଟିଦିନରେ ଦରମା ନେଉଛନ୍ତି। ପ୍ରସଙ୍ଗକୁ ନେଇ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଶ୍ରମିକମାନେ ବୋର୍ଡର କିଛି ଅଧିକାରୀଙ୍କ ସଂପର୍କୀୟ ହୋଇଥିବାରୁ ସମସ୍ତେ ନିରବ ରହୁଥିବା ସୂଚନା ମିଳିଛି।

ବୋର୍ଡରେ ବିଭିନ୍ନ ଆର୍ଥିକ ଅନିୟମିତା ସଂକ୍ରାନ୍ତରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଏଥି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଡିଟ୍‌ କରାଯିବାକୁ ନିର୍ଦ୍ଦେଶ ଦିିଆଯାଇଛି। ଗତବର୍ଷ ଅକ୍ଟୋବର ୧୬ତାରିଖରୁ ଅଡିଟ୍‌ ଆରମ୍ଭ ହୋଇଥିବା ବେଳେ ଚଳିତ ମାସରେ ଏହାର ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ୧୯୯୩ ମାର୍ଚ ୧୨ତାରିଖରେ ଦିନ ମଜୁରିଆଙ୍କ ନିଯୁକ୍ତି ବାରଣ ହୋଇଥିବା ସ୍ଥଳେ ୬୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଶ୍ରମିକଙ୍କୁ ରବିବାର ସମେତ ଅନ୍ୟ ଛୁଟିଦିନରେ ଦରମା ଦିଆଯିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ଡିଏଲ୍‌ଆରଙ୍କ ମଧ୍ୟରୁ ପାଖାପାଖି ୬୦ଜଣ ବୋର୍ଡ କର୍ମଚାରୀଙ୍କ ନିକଟ ସଂପର୍କୀୟ। ସେହିପରି ବିନା ଟେଣ୍ଡରରେ ନିର୍ଦ୍ଦିଷ୍ଟ ଫାର୍ମକୁ ବୋର୍ଡ ଗୁପ୍ତ ବିଭାଗ କାର୍ଯ୍ୟ ଦିଆଯାଇଛି। ଏହି ବାବଦକୁ ବୋର୍ଡର ୩୩ କୋଟି ୩୬ହଜାର ୮୮ଟଙ୍କା ଖର୍ଚ କରାଯାଇଥିବା ଅଡିଟ୍‌ରେ ଧରାପଡ଼ିଛି। ବେଆଇନ ଭାବେ କର୍ମଚାରୀଙ୍କ ପେନ୍‌ସନ୍‌ ଫଣ୍ଡରୁ ଏସ୍‌ବିଆଇ ଲାଇଫ୍‌ରେ କୋଟିଏ ଟଙ୍କା ବିନିଯୋଗ ହୋଇଛି। ସେହିପରି ବୋର୍ଡ ପରିସରରେ ସଭାପତିଙ୍କ ପାଇଁ ସ୍ୱତନ୍ତ୍ର ବାସଭବନ ଥିଲେ ମଧ୍ୟ ତିନିଜଣ ପୂର୍ବତନ ସଭାପତିଙ୍କୁ ଲକ୍ଷାଧିକ ଟଙ୍କା ଘରଭଡା ଆକାରରେ ପ୍ରଦାନ କରାଯାଇଥିବା ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି। ଏହି ପରି ଅନେକ ଦୁର୍ନୀତି ଅଡିଟ୍‌୍‌ରୁ ଜଣାପଡ଼ିଛି। ଅଡିଟ୍‌ ରିପୋର୍ଟ ଉଭୟ ଗଣଶିକ୍ଷା ବିଭାଗ ସମେତ ବୋର୍ଡ କାର୍ଯ୍ୟାଳୟରେ ଦାଖଲ ହୋଇଛି।

ସମ୍ବନ୍ଧିତ ଖବର