‘ସମ୍ବାଦରେ ଖବର ପ୍ରକାଶ ପାରେ ତ୍ରୁଟି ସୁଧାରିଲା ବୋର୍ଡ, ସଂଶୋଧନ ହେଲା ୨୨ଟି ସ୍କୁଲର ମାଟ୍ରିକ ନମ୍ବର

କିଶନନଗର : ମାଟ୍ରିକ ପରୀକ୍ଷାଫଳ ବିଭ୍ରାଟକୁ ନେଇ ‘ସମ୍ବାଦରେ ଗତକାଲି ପ୍ରକାଶିତ ଖବର ଆଧାରରେ ମାତ୍ର ଗୋଟିଏ ଦିନରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଂଶୋଧିତ ପରୀକ୍ଷାଫଳ ଜାରି କରିଛି। କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ୨୨ଟି ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ନମ୍ବର ୫୦ ପ୍ରତିଶତରୁ କମ୍ ରହିବା ସଂପର୍କିତ ଏହି ଖବର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଆଜି ଅପରାହ୍ନରେ ବୋର୍ଡ ପକ୍ଷରୁ ସଂଶୋଧିତ ଫଳାଫଳ ପ୍ରକାଶ କରାଯାଇଛି।

ଗତକାଲି ୨୯୭ ନମ୍ବର ରଖିଥିବା କିଶୋରନଗର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ରୁଦ୍ର ପ୍ରସାଦ ପ୍ରଧାନଙ୍କ ନମ୍ବର ଆଜି ୫୨୧ ହୋଇଛି। ସେହିପରି ମେଧା ବୃତ୍ତିରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଥିବା ଛାତ୍ରୀ ଅର୍ପିତା ସାମନ୍ତରାୟଙ୍କ ଗତକାଲି ନମ୍ବର ୨୯୪  ପାଇଥିବା ବେଳେ ଆଜି ୫୧୨ ନମ୍ବର ପାଇଛନ୍ତି। ସେହିପରି ଦୀପ୍ତିମୟୀ ସାହୁଙ୍କ ନମ୍ବର  ୨୯୩ ରୁ ୫୧୧ ହୋଇଛି। ଏହି ୨୨ଟି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଗତକାଲି ୫୦ ପ୍ରତିଶତରୁ କମ ରଖିଥିବା ମାର୍କସିଟ ପାଇଥିବା ବେଳେ ଆଜି ନମ୍ବର ସଂଶୋଧନ ପରେ ଏକା କିଶୋରନଗର ସରସ୍ୱତୀ ଶିଶୁ ମନ୍ଦିରର ୧୨ଜଣ ଏ-୨ ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି। ଆଜି ‘ସମ୍ବାଦ’ ରେ ପ୍ରକାଶିତ ଖବରକୁ ନେଇ ଜିଲ୍ଲା ପରିଷଦ ସଭ୍ୟା ସୁଭଦ୍ରା ଦାସ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଟ୍ୱିଟ କରିବା ସହ ତୁରନ୍ତ ଏହି ତ୍ରୁଟି ସଂଶୋଧନ ପାଇଁ ଅନୁରୋଧ କରିଥିଲେ। ମନ୍ତ୍ରୀ ଶ୍ରୀ ଦାସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଶିକ୍ଷା ସଚିବଙ୍କୁ  ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର