ଆଜି ଗଣଶିକ୍ଷା ମନ୍ତ୍ରୀଙ୍କୁ ଘେରିବେ ବୋର୍ଡ କର୍ମଚାରୀ

ହାଇସ୍କୁଲ ପାଠ୍ୟପୁସ୍ତକ ଟିବିପିଏମ୍‌କୁ ଦେବା ନିଷ୍ପତ୍ତିର ବିରୋଧ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଅଫିସର୍ସ ଆସୋସିଏସନ୍ ଓ କର୍ମଚାରୀ ସଂଘ ପକ୍ଷରୁ ଆସନ୍ତାକାଲି ସକାଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଭୁବନେଶ୍ବର ଯୁନିଟ୍‌-୪ସ୍ଥିତ ସରକାରୀ ବାସଭବନ ଘେରାଉ କରାଯିବ। ହାଇସ୍କୁଲ ବହି ଛପା ଦାୟିତ୍ବ ଟିବିପିଏମ୍‌କୁ ନ ଦେଇ ବୋର୍ଡକୁ ଫେରାଇ ଦେବା ଦାବିରେ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବା ସହ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମନ୍ତ୍ରୀକୁ ପ୍ରଦାନ କରାଯିବ ବୋଲି କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି।

ଓଡ଼ିଆ ମାଧ୍ୟମ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମର ସିଲାବସ୍ ପ୍ରସ୍ତୁତି, ପାଠ୍ୟପୁସ୍ତକ ପ୍ରସ୍ତୁତି, ସ୍ବୀକୃତିପ୍ରାପ୍ତ ବିକ୍ରେତାଙ୍କ ଦ୍ବାରା ପୁସ୍ତକ ବିକ୍ରୟ, ପରୀକ୍ଷା ପରିଚାଳନା, ଫଳ ପ୍ରକାଶନ, ସାର୍ଟିଫିକେଟ୍ ପ୍ରଦାନ ଆଦି କାର୍ଯ୍ୟ ବୋର୍ଡର। ସରକାରଙ୍କ ଦ୍ବାରା ପ୍ରଣିତ ଆଇନ ଦ୍ବାରା ବୋର୍ଡ ଏସବୁ କାର୍ଯ୍ୟ କରିଆସୁଛି। ପାଠ୍ୟପୁସ୍ତକ ବିକ୍ରୟରୁ ମିଳୁଥିବା ଅର୍ଥ ବୋର୍ଡର ମୁଖ୍ୟ ଆର୍ଥିକ ଉତ୍ସ ହୋଇଥିବାରୁ ଏବେ ବହିଛପାକୁ ବୋର୍ଡ ହାତରୁ କାଢ଼ି ନେଇ ଟିବିପିଏମ୍‌କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ସରକାର ଅଷ୍ଟମ ବହି ଛପା ଦାୟିତ୍ବ ବୋର୍ଡଠୁ କାଢ଼ି ନେଇ ଏହା ବଦଳରେ ବାର୍ଷିକ ୫କୋଟି ଟଙ୍କା ସହାୟତା ଦେଉଛନ୍ତି, ଯାହା ପ୍ରକୃତ ଆୟଠାରୁ ଯଥେଷ୍ଟ କମ୍ ‌ଅଟେ। ଏବେ ନବମ ଓ ଦଶମ ବହି ଛପା ଦାୟିତ୍ବ ନେଇଯିବା ଦ୍ବାରା ବୋର୍ଡ ଆର୍ଥିକ ଦୁର୍ବଳ ହେବା ସହିତ ଏହା ଉପରେ ନିର୍ଭର କରୁଥିବା ବୋର୍ଡର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ୭ଶହ ପରିବାର ଆର୍ଥିକ ସଂକଟର ସମ୍ମୁଖୀନ ହେ‌ବେ ବୋଲି ଉଭୟ ସଂଘକୁ ନେଇ ଗଠିତ ‌ଷ୍ଟିୟରିଂ କମିଟି ସଭାପତି ଧର୍ମେନ୍ଦ୍ର କୁମାର ପାତ୍ର ସୂଚନା ଦେଇଛନ୍ତି। କମିଟି ପକ୍ଷରୁ ଏଭଳି କାର୍ଯ୍ୟର ପ୍ରତିବାଦ କରାଯିବା ସହିତ ‌ବୋର୍ଡ ଦାୟିତ୍ବକୁ ବୋର୍ଡକୁ ଫେରାଇ ‌ଦେବାକୁ କମିଟି ପକ୍ଷରୁ ଦାବି ହୋଇଛି। ଏହି ଦାବି ନେଇ ଆସନ୍ତାକାଲି ‌ବୋର୍ଡର କଟକସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟ ସମେତ ଭୁବନେଶ୍ବର, ଜୟପୁର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ବର ଆଦି ଜୋନ୍‌ର ୧୫୦ରୁ ଅଧିକ କର୍ମଚାରୀ ସକାଳ ସାଢ଼େ ୮ଟାରେ ଭୁବନେଶ୍ବର ଜୋନ କାର୍ଯ୍ୟାଳୟରେ ଏକାଠି ହୋଇ ଶୋଭାଯାତ୍ରାରେ ମନ୍ତ୍ରୀଙ୍କ ବାସଭବନକୁ ଯିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର