କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏଯାଏ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଶୈଳୀ, ମାର୍କ ଡିଷ୍ଟ୍ରିବ୍ୟୁସନ, ପରୀକ୍ଷାର ସଂପୂର୍ଣ୍ଣ ପାଠ୍ୟକ୍ରମ ପ୍ରକାଶ ପାଇନାହିଁ। ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀ ବା ହାଇସ୍କୁଲ ପ୍ରଧାନଶିକ୍ଷକମାନଙ୍କୁ କିଛି ଅବଗତ କରାଯାଇନାହିଁ କିମ୍ବା ବୋର୍ଡ ୱେବ୍ସାଇଟରେ ବି ଛଡାଯାଇନାହିଁ। କିନ୍ତୁ ବଜାରରେ ମାଳ ମାଳ ଟେଷ୍ଟପେପର ବିକ୍ରି ଚାଲିଛି। ଏହାକୁ ନେଇ ହାଇସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ ଦ୍ବନ୍ଦ୍ବରେ ପଡ଼ୁଥିବା ବେଳେ ଶିକ୍ଷକଶିକ୍ଷୟିତ୍ରୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଯେଉଁ ସବୁ ଘରୋଇ ସଂସ୍ଥା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଟେଷ୍ଟପେପର ପ୍ରସ୍ତୁତ କରୁଛନ୍ତି, ସେଗୁଡ଼ିକ ଠିକ୍ କି ନାହିଁ, ଯଦି ଠିକ୍ ତେବେ ପ୍ରଥମେ ସ୍କୁଲକୁ ମାଟ୍ରିକ୍ ପ୍ରଶ୍ନପତ୍ର ଶୈଳୀ, ମାର୍କ ଡିଷ୍ଟ୍ରିବ୍ୟୁସନ ଆସିବା ପୂର୍ବରୁ ସେମାନଙ୍କ ପାଖକୁ ଗଲା କିପରି, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଚଳିତ ଶିକ୍ଷାବର୍ଷ(୨୦୨୩-୨୪)ରେ ହାଇସ୍କୁଲ(ନବମ ଓ ଦଶମ) ପରୀକ୍ଷା ନୂଆ ଢ଼ାଞ୍ଚାରେ କରାଯିବାକୁ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। କରୋନା ସମୟରେ ଉଭୟ ନବମ ଓ ଦଶମରେ ଶ୍ରେଣୀରେ ୪ଟି ଇଣ୍ଟରନାଲ୍ ଆସେସ୍ମେଣ୍ଟ(୪ଟି ଏଫ୍ଏ) ସମେତ ବର୍ଷ ଅଧାରେ ଏସ୍ଏ-୧ ଓ ବର୍ଷ ଶେଷରେ ଏସ୍ଏ-୨ ପରୀକ୍ଷା କରାଯାଉଥିଲା। ମୂଲ୍ୟାୟନ ପ୍ରକ୍ରିୟା ମଧ୍ୟ ୪ଟି ଇଣ୍ଟରନାଲ, ୨ଟି ଏସ୍ଏକୁ ଆଧାର କରି କରାଯାଉଥିଲା। କିନ୍ତୁ ଚଳିତ ଶିକ୍ଷାବର୍ଷରେ ମାଟ୍ରିକ୍ ପରୀକ୍ଷା ବର୍ଷ ଶେଷକୁ ଗୋଟିଏ ପରୀକ୍ଷା ହେବ ଓ ଏହା ୧୦୦ ନମ୍ବର ବିଶିଷ୍ଟ ହେବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ପ୍ରଶ୍ନ(ଅବ୍ଜେକ୍ଟିଭ) ଓ ଅବଶିଷ୍ଟ ୫୦ ଦୀର୍ଘ ଉତ୍ତରମୂଳକ(ସବ୍ଜେକ୍ଟିଭ୍) ପ୍ରଶ୍ନ ଆସିବ ବୋଲି ବୋର୍ଡ ପକ୍ଷରୁ ଘୋଷଣା ହୋଇଛି। କିନ୍ତୁ ଯେଉଁ ୫୦ ନମ୍ବର ସଂକ୍ଷିପ୍ତ ପ୍ରଶ୍ନ ଆସିବ ସେଥିରେ ପ୍ରଶ୍ନପତ୍ରର ଶୈଳୀ କିପରି ରହିବ, ବହୁ ବିକଳ୍ପଉତ୍ତର ମୂଳକ, ଠିକ୍-ଭୁଲ, କ-ସ୍ତମ୍ଭ-ଖ-ସ୍ତମ୍ଭ ମିଳନ କିମ୍ବା ଆଉ କିଛି, ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ଘୋଷଣା କରାଯାଇନାହିଁ। ସେହିପରି ୫୦ ଦୀର୍ଘଉତ୍ତରମୂଳକ ବିଭାଗରେ ମଧ୍ୟ କେତୋଟି ପ୍ରଶ୍ନ ଆସିବ, କେଉଁ ପ୍ରଶ୍ନରେ କେତେ ମାର୍କ ରହିବ, କିଭଳି ପ୍ରଶ୍ନ ଆସିବ, ତାହା ମଧ୍ୟ ବୋର୍ଡ ପକ୍ଷରୁ ଚୂଡାନ୍ତ ହୋଇନାହିଁ। ବୋର୍ଡର ପରୀକ୍ଷା କମିଟି ବୈଠକରେ ବସି ନିଷ୍ପତ୍ତି ନିଆଯିବା ପରେ ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀ, ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଦିଆଯିବା ସହିତ ବୋର୍ଡ ୱେବ୍ସାଇଟ୍ରେ ଛଡାଯିବାକୁ କୁହାଯାଇଛି।
କିନ୍ତୁ ବୋର୍ଡ ପକ୍ଷରୁ କିଛି ଚୂଡାନ୍ତ ହେବା ପୂର୍ବରୁ ୨୦୨୪ ମାଟ୍ରିକ୍ ପରୀକ୍ଷା ପାଇଁ ବଜାରରେ ମାଳ ମାଳ ଟେଷ୍ଟ ପେପର ବିକ୍ରି ହେଲାଣି। ପାଖାପାଖି ୨୦ଦିନ ହେବ ଟେଷ୍ଟ ପେପର ବିକ୍ରି ହେଲାଣି। ଏଥିରେ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ରର ଢ଼ାଞ୍ଚା, ମାର୍କ ଡିଷ୍ଟ୍ରିବ୍ୟୁସନ ଆଦି ସମସ୍ତ ତଥ୍ୟ ରହିଛି। ଏହା ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକଙ୍କୁ ଦ୍ବନ୍ଦ୍ବରେ ପକାଉଛି। ଏ ସଂକ୍ରାନ୍ତରେ ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଯେ, ବୋର୍ଡ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ବିଷୟରେ ସଂପୂର୍ଣ୍ଣ ତଥ୍ୟ ମିଳିନାହିଁ। କିଛି ଘରୋଇ ସଂସ୍ଥା ଲାଭ ଉଦେଶ୍ୟରେ ଏଭଳି କରିଛନ୍ତି ବୋଲି ସାଧାରଣ ସଂପାଦକ ଶ୍ରୀ ଦାଶ କହିଛନ୍ତି।