ସଙ୍କଟରେ ଓଡ଼ିଶାର ରାଜସ୍ୱ ରେକର୍ଡ: ଧରିଲେ ଚିରିଯାଉଛି କାଗଜପତ୍ର

ରାଜସ୍ୱ ପର୍ଷଦ ରେକର୍ଡ ରୁମ୍‌ରେ ରହିଛି ୧୮୬୦ ମସିହାର ନଥିପତ୍ର
କାମରେ ଲାଗିଛନ୍ତି ଅଣକୁଶଳୀ ଶ୍ରମିକ

କଟକ : ପୁରୁଣା ରାଜସ୍ବ ରେକର୍ଡ ଏବେ ନଷ୍ଟ ହେବାକୁ ବସିଛି। ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ଜମିଜମା କାଗଜପତ୍ର ବା ରେକର୍ଡ ବୋର୍ଡ ଅଫ୍ ରେଭିନ୍ୟୁ (ରାଜସ୍ବ ପର୍ଷଦ) ରେକର୍ଡ ରୁମ୍‌ରେ ଗଚ୍ଛିତ ଥିବାବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଗୁଡ଼ିକ ନଷ୍ଟ ହେବାକୁ ଯାଉଛି। ଏବେ ରେକର୍ଡ ରୁମ୍‌ ସ୍ଥାନାନ୍ତର ପାଇଁ ଉଦ୍ୟମ କରାଯାଉଛି। ଶ୍ରମିକମାନେ ଏବେ ରେକର୍ଡ ରୁମ ସଫା କାମରେ ଲାଗିଛନ୍ତି। ବ୍ରସ ମାରି ରେକର୍ଡ ରୁମ୍‌ ସଫା କରୁଛନ୍ତି। କିନ୍ତୁ ଠିକ୍‌ ଢଙ୍ଗରେ ସଂରକ୍ଷଣ ହୋଇନଥିବାରୁ ଅଧିକାଂଶ ରେକର୍ଡ ଏବେ ଧରୁ ଧରୁ ଚିରିଯାଉଛି। ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଥିପାଇଁ ସ୍ବତନ୍ତ୍ର ବଜେଟ କରାଯାଇ, ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ରେକର୍ଡ ଗୁଡିକର ସଂରକ୍ଷଣ କରା ନଗଲେ, ଓଡ଼ିଶାର ଜମିଜମା ରେକର୍ଡ ସହିତ ବହୁ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ନଷ୍ଟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।

ରାଜ୍ୟର ଜମିଜମା ସମ୍ବନ୍ଧୀୟ ପୁରୁଣା ରେକର୍ଡ ବା ପୁରୁଣା ସେଟେଲ୍‌ମେଣ୍ଟ ରେକର୍ଡ ଆବଶ୍ୟକ ହେଲେ, ଜମିଜମାକୁ ନେଇ କୌଣସି ମାମଲା ହେଲେ ରେକର୍ଡ ରୁମରୁ ପୁରୁଣା ରେକର୍ଡ ମଗାଯାଇଥାଏ। ସେହି ରେକର୍ଡ ହିଁ ଆବେଦନକାରୀ ଓ ପ୍ରତିପକ୍ଷଙ୍କ ଭାଗ୍ୟ ନିର୍ଧାରଣ କରିଥାଏ। ତେଣୁ ‌ରାଜସ୍ବ ପର୍ଷଦର ରେକର୍ଡ ରୁମ୍‌ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ମାତ୍ର ଏହାକୁ ଉପଯୁକ୍ତ ଯତ୍ନ ନିଆଯାଇନାହିଁ। ‌୧୮୬୦ ମସିହାରୁ ରାଜ୍ୟର ଜମିଜମା ସମ୍ବନ୍ଧୀୟ ସମସ୍ତ ତଥା ବିରଳ ରେକର୍ଡ ଏହି ରେକର୍ଡ ରୁମରେ ମହଜୁଦ ରହିଛି। ମାତ୍ର ଏହି ରେକର୍ଡ ଗୁଡିକର ରକ୍ଷଣାବେକ୍ଷଣ କଥା କେବେ ଚିନ୍ତା କରାଯାଇନାହିଁ। ତେବେ ବିଳମ୍ବ‌ରେ ହେଲେ ବି ବୋର୍ଡ ଅଫ୍ ରେଭିନ୍ୟୁ ପକ୍ଷରୁ ରେକର୍ଡ ସୁରକ୍ଷା ପାଇଁ ଆଂଶିକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୦୦ ମସିହାରୁ ୨୦୨୦ ପର୍ଯ୍ୟନ୍ତ ଅର୍ଥାତ ମାତ୍ର ୨୦ବର୍ଷର ରେକର୍ଡ ଗୁଡିକୁ ଉଦ୍ଧାର କରାଯାଇଛି। ଆଧୁନିକ ଜ୍ଞାନକୌଶଳ ସହାୟତାରେ ପ୍ରାୟ ୭୦ଟି କମ୍ପାକ୍ଟ ମେସିନ( ଆଲମିରା ଭଳି ନିରାପଦ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ) କିଣାଯାଇ ଏହାର ରକ୍ଷଣାବେକ୍ଷଣ କରାଯାଇଛି। ତେବେ ୧୮୬୦ରୁ ୨୦୦୦ ମସିହା ଅର୍ଥାତ ପୁରୁଣା ୧୪୦ ବର୍ଷର ଲକ୍ଷ ଲକ୍ଷ ରେକର୍ଡ ଏବେ ବି ବିକ୍ଷିପ୍ତ ହୋଇ ପଡିରହିଛି। ପୁରୁଣା କୋଠା‌ରେ ଥିବା ଏହି ରେକର୍ଡ ଗୁଡିକର ସଂରକ୍ଷଣ ଅପରିହାର୍ଯ୍ୟ ହୋଇପଡିଛି। ରେକର୍ଡ ରୁମ୍‌ କୋଠାରେ ଏବେ ଆଡ୍‌ଭୋକେଟ୍‌ ଜେନେରାଲ ଅଫିସ ଚାଲୁଥିବାରୁ ଏହି କୋଠାକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି। ମାତ୍ର ଲକ୍ଷ ଲକ୍ଷ ରେକର୍ଡ ସବୁକୁ କେମିତି ସାଇତ‌ା ଯିବ ତାକୁ ନେଇ ଯୋଜନା ପ୍ରସ୍ତୁତ ‌ହୋଇନାହିଁ। ଏବେ ଆଉ ୨୦ଟି କମ୍ପାକ୍ଟ ମେସିନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଲକ୍ଷ ଲକ୍ଷ ରେକର୍ଡ ସବୁକୁ ମହଜୁଦ ରଖିବା ପାଇଁ ସ୍ବତନ୍ତ୍ର କୋଠା ନିର୍ମାଣ କରିବା ସହିତ ଅତିକମରେ ୧ହଜାରରୁ ଅଧିକ କମ୍ପାକ୍ଟ ମେସିନର ଆବଶ୍ୟକତା ରହିଛି।

ଏ ନେଇ ଜଣେ ଅଧିକାରୀଙ୍କ କହିବା କଥା ଯେ ରେକର୍ଡ ଗୁଡିକର ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରେକର୍ଡ ଗୁଡିକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ରେକର୍ଡ ଗୁଡିକୁ ଚିହ୍ନଟ କରାଯିବ। ସେଥିରୁ କିଛି ଅଦରକାରୀ ରେକର୍ଡ ନଷ୍ଟ କରି ଦିଆଯିବ। ପରେ ଆଉ କିଛି ବିରଳ ରେକର୍ଡକୁ ଷ୍ଟେଟ୍ ଆରକାଇଭକୁ ପଠାଇ ଦିଆଯିବ। ଅବଶିଷ୍ଟ ରେକର୍ଡ ସଂରକ୍ଷିତ ରଖାଯିବ ବୋଲି ସେ କହିଛନ୍ତି। ରାଜ୍ୟର ଜମିଜମା ସମ୍ବନ୍ଧୀୟ ବହୁ ଗୁରୁତ୍ବପୂର୍ଣ୍ଣ ‌ରେକର୍ଡ ଥିବା ବୋର୍ଡ ଅଫ୍ ରେଭିନ୍ୟୁର ରେକର୍ଡ ରୁମକୁ ଆଧୁନିକ ଶୈଳୀରେ ନିର୍ମାଣ କରିବ‌ା, ସମସ୍ତ ରେକର୍ଡର ଡିଜିଟାଇଜେସନ କରି ଏହାକୁ ବ୍ୟବସ୍ଥିତ ଭାବ‌େ ସଂରକ୍ଷଣ କରିବା ଓ ଏଥିପାଇଁ ରେକର୍ଡ ସଂରକ୍ଷଣ ପାଇଁ କାମ କରୁଥିବା ଇନ୍‌ଟାକର ସହଯୋଗ ନେବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର