ପୁଣି ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା! : ନିଜ ସ୍କୁଲ୍‌ରେ ହେବନି ପରୀକ୍ଷା କେନ୍ଦ୍ର

୫ କି.ମି. ଦୂରକୁ ପରୀକ୍ଷା ଦେବାକୁ ଯିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ପୁଣି ବଦଳିବ ମାଟ୍ରିକ୍‌ ପରୀକ୍ଷା ଢାଞ୍ଚା। ନିଜ ବିଦ୍ୟାଳୟରେ ଆଉ ମାଟ୍ରିକ୍‌ ପରୀକ୍ଷା ଦେବେନି ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ଏଥିପାଇଁ ସେମାନଙ୍କୁ ଅନ୍ୟ ବିଦ୍ୟାଳୟକୁ ଯିବାକୁ ପଡ଼ିବ। ପୂର୍ବରୁ ପ୍ରଚଳିତ ଥିବା ଏହି ବ୍ୟବସ୍ଥାକୁ ପୁଣିଥରେ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। କିନ୍ତୁ ପରୀକ୍ଷା କେନ୍ଦ୍ରର ଦୂରତା କମାଇ ଦିଆଯାଇଛି। ଏବେ ବିଦ୍ୟାଳୟଠାରୁ ୫ କି.ମି. ମଧ୍ୟରେ ପିଲାଙ୍କ ଲାଗି ପରୀକ୍ଷା କେନ୍ଦ୍ର ହେବ। ଏନେଇ ଆଜି ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କୁ ନେଇ ପ୍ରାରମ୍ଭିକ ଆଲୋଚନା ସରିଛି। ଆସନ୍ତା ସପ୍ତାହରେ ବିଭାଗୀୟ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଶିକ୍ଷାବିତ୍‌ଙ୍କ ସହ ଆଲୋଚନା କରାଯାଇ ମତାମତ ବି ନିଆଯାଇଛି। ପରୀକ୍ଷାରେ ସ୍ୱଚ୍ଛତା ରଖିବା ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଏହି ପ୍ରକ୍ରିୟା ସହାୟକ ହେବ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି। ଶିକ୍ଷାବିତ୍‌ମାନେ କହିଛନ୍ତି ଯେ ନିଜ ବିଦ୍ୟାଳୟରେ ପରୀକ୍ଷା ହେବା ଦ୍ୱାରା ଛାତ୍ରଛାତ୍ରୀ କପି କରୁଛନ୍ତି। ଯେଉଁଥିପାଇଁ ପାସ୍‌ ହାର ବଢ଼ୁଛି। ଗୋଟିଏ ପଟେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବା ବେଳେ ଅନ୍ୟପଟେ ପାସ୍‌ ହାର ବଢ଼ି ଚାଲିଛି। ପିଲାମାନେ କପି କରିବାର ସୁଯୋଗ ପାଉଛନ୍ତି। ଏପରିକି କେତେକ ବିଦ୍ୟାଳୟ ମଧ୍ୟରେ ଅଦଳବଦଳ ହୋଇ କେନ୍ଦ୍ର ହେବା ଦ୍ୱାରା ପରୀକ୍ଷାର ସ୍ୱଚ୍ଛତା ରହିପାରୁନି। ତେଣୁ ପରୀକ୍ଷା କେନ୍ଦ୍ରରେ ପରିବର୍ତନ କରାଯିବାର ଆବଶ୍ୟକତା ରହିଛି। ନିଜ ବିିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ନ କରି ଅନ୍ୟ ବିଦ୍ୟାଳୟରେ କେନ୍ଦ୍ର ହେବା ଦରକାର ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ଶିକ୍ଷାବିତ୍‌ଙ୍କ ପରାମର୍ଶ ପରେ ପରୀକ୍ଷାରେ ସ୍ୱଚ୍ଛତା ଆଣିବାକୁ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ୨୦୧୮ ମାଟ୍ରିକ୍‌ ପରୀକ୍ଷାରୁ ଏହି ବ୍ୟବସ୍ଥା ପୁଣିଥରେ ପୁରୁଣା ଢାଞ୍ଚା ଲାଗୁ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଏନେଇ ଆସନ୍ତା ୩ରୁ ୫ ଦିନ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ ମନ୍ତ୍ରୀଙ୍କ ସମେତ ବିିଭାଗୀୟ ସଚିବ, ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ ବି ସାମିଲ ହେବେ। ବୈଠକରେ ଏହି ପ୍ରସ୍ତାବକୁ ମୋହର ମରାଯିବା ପରେ ଲାଗୁ ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ନିଜ ବିଦ୍ୟାଳୟରେ ପରୀକ୍ଷା ହେବା ଦ୍ୱାରା ପାସ୍‌ ହାର ବୃଦ୍ଧି ପାଉଛି। ପ୍ରତିବର୍ଷ ପାସ୍‌ ହାର ୨ରୁ ୩ ପ୍ରତିଶତ ବି ବଢ଼ୁଛି। କିନ୍ତୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁ ନାହିଁ। ଯେଉଁ ସ୍କୁଲରେ ପରୀକ୍ଷା କେନ୍ଦ୍ର ହେଉଛି ସେଠାକାର ପିଲା ଭଲ ପ୍ରଦର୍ଶନ କରୁଛନ୍ତି। ଛାତ୍ରଛାତ୍ରୀ ବହୁ ପରିମାଣରେ କପି କରୁଥିବା ନଜରକୁ ଆସୁଛି। ତାହାକୁ ଦୃଷ୍ଟିରେ ରଖି ପୁଣିଥରେ ପରୀକ୍ଷା କେନ୍ଦ୍ର ଢାଞ୍ଚା ପରିବର୍ତନ କରିବାକୁ ଯୋଜନା ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚିହ୍ନଟ ହେବାକୁ ଥିବାରୁ ଏହା ପୂର୍ବରୁ ନିଷ୍ପତ୍ତି ନିଆଯିବ।

ଶିକ୍ଷାବିତ୍‌ ପ୍ରିତୀଶ ଆଚାର୍ଯ୍ୟ କିନ୍ତୁ ଭିନ୍ନ ମତ ପ୍ରକାଶ କରିଛନ୍ତି। ତାଙ୍କ କହିବାନୁଯାୟୀ, ଓଏମ୍‌ଆର ସିଟ୍‌ ହେବା ଦ୍ୱାରା ପିଲାମାନେ କପି କରୁଛନ୍ତି। କେତେକ ସ୍ଥାନରେ ଶିକ୍ଷକମାନେ ଉତ୍ତର ଡାକି ଦେଉଛନ୍ତି। ଯେଉଁଥିପାଇଁ ପାସ୍‌ ହାର ବଢ଼ୁଛି। ମାଟ୍ରିକ୍‌ ପରୀକ୍ଷା ବ୍ୟବସ୍ଥା ଏହାଦ୍ୱାରା ପ୍ରଭାବିତ ହେଉଛି। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନଗୁଡ଼ିକରେ ପିଲାଙ୍କ ଦକ୍ଷତା ମପା ଯାଇପାରିବ। ଅନ୍ୟ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବା ଦ୍ୱାରା କିଛି ମାତ୍ରାରେ ସ୍ୱଚ୍ଛତା ଆସିପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର