ବୋର୍ଡ ବିବାଦ ପିଛା ଛାଡ଼ୁନି : ୧୨ ବର୍ଷରେ ୬ଥର ତଦନ୍ତ ନିର୍ଦ୍ଦେଶ, ପ୍ରାଥମିକ ପଦକ୍ଷେପରେ କାର୍ଯ୍ୟାନୁଷ୍ଠାନ ଶେଷ

କଟକ : ପ୍ରଶ୍ନପତ୍ର ପ୍ରଘଟ, ପ୍ରଶ୍ନପତ୍ର ଚୋରି, ମୂଲ୍ୟାୟନରେ ତ୍ରୁଟି ଭଳି ବିବାଦ ଆଉ ବିଭ୍ରାଟ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପିଛା‌ ଛାଡ଼ୁନି। କେତେବେଳେ ରାଜନୈତିକ ବିବାଦ ପାଇଁ ତ କେବେ‌ ପୁଣି ଆଞ୍ଚଳିକ ଲୋକଙ୍କ ପ୍ରଭାବ ପାଇଁ, ଆଉ କେବେ ଆର୍ଥିକ ପ୍ରଲୋଭନ ପାଇଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ପ୍ରଘଟ ‌ହେଉଛି। ଏବେ ମୋବାଇଲ ଫୋନ୍ ପ୍ରଶ୍ନପତ୍ର ପ୍ରଘଟର ମୁଖ୍ୟ ଉପକରଣ ସାଜିଥିବାବେଳେ ଶିକ୍ଷକମାନେ ଏଥିରେ ମୁଖ୍ୟ କାର୍ପଟଦାର ସାଜୁଛନ୍ତି। ୨୦୦୮ରୁ ୨୦୧୯ ମସିହା ୧୨ବର୍ଷ ମଧ୍ୟରେ ୬ ଥର ପରୀକ୍ଷାରେ ବିଭ୍ରାଟ ହେଲାଣି। ଏଭଳି ବିଭ୍ରାଟ ପାଇଁ ‌ବୋର୍ଡ କର୍ତ୍ତୃପକ୍ଷ ଯେକିତି ନିନ୍ଦିତ ହେଉଛନ୍ତି, ତା’ଠାରୁ ଅଧିକ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ପରୀକ୍ଷାର୍ଥୀ ଓ ଅଭିଭାବକ।

୨୦୦୮ରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ହାଇସ୍କୁଲ ପାଠ୍ୟକ୍ରମରେ ଦୁଇଟି ଇଚ୍ଛାଧୀନ ବିଷୟ ପ୍ରଚଳନ କରାଯାଇଥିଲା। ମାଟ୍ରିକରେ ବାଧ୍ୟତାମୂଳକ ବିଷୟ ସମେତ ଇଚ୍ଛାଧୀନ ବିଷୟ ମିଶାଇ ଜ‌ଣେ ପରୀକ୍ଷାର୍ଥୀ ୮ଶହ ନମ୍ବର ପରୀକ୍ଷା ଦେଇଥିଲେ। ସେହିବର୍ଷ ମାଟ୍ରିକ ପରୀକ୍ଷା ଖାତାଦେଖାରେ ଚରମ ବିଭ୍ରାଟ ହେବାରୁ ଅଧିକାଂଶ ପିଲାଙ୍କ ପରୀକ୍ଷାଫଳ ୱିଥହେଲଡ(ସ୍ଥଗିତ) ହୋଇଥିଲା। କିଛିଦିନ ପରେ ବୋର୍ଡ ପକ୍ଷରୁ ସେମାନଙ୍କ ଫଳ ପୁନଃ ପ୍ରକାଶିତ ହୋଇଥିଲା। ଏହି ବିଭ୍ରାଟ ପାଇଁ ୨୦୦୯ରେ ଇଚ୍ଛାଧିନ ବିଷୟ ଉଠିଯାଇଥିଲା। ପୂର୍ବରୁ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରରେ ଗଚ୍ଛିତ ରହୁଥିଲା। ୨୦୧୨ରେ ତତ୍କାଳୀନ ଶିକ୍ଷା ସଚିବ ରାଜେଶ ବର୍ମା ପ୍ରଥମ କରି ନୋଡାଲ ସେଣ୍ଟର ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମ ଭାଷା ପରୀକ୍ଷା ପରେ କାକଟପୁର ଭଗବତୀ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଚୋରି ହୋଇଥିଲା। ରାଜନୈତିକ ବିବାଦ ପାଇଁ ଏହି ଘଟଣା ହୋଇଥିବା ଜଣାପଡ଼ିଥିଲା। ଏଥିପାଇଁ ଓଡ଼ିଆକୁ ଛାଡି ଅନ୍ୟ ସମସ୍ତ ବିଷୟର ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା। ୭ ଦିନ ପରେ ନୂଆ କାର୍ଯ୍ୟସୂଚୀରେ ପରୀକ୍ଷା ହୋଇଥିଲା। ପ୍ରାଥମିକ ଭ‌ାବେ ସ୍କୁଲ ଦାୟିତ୍ବରେ ଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇଥିଲା। କିନ୍ତୁ ଏହି ଘଟଣାର ପ୍ରଚ୍ଛଦପଟ୍ଟରେ ରହିଥିବା ଷଡ଼ଯନ୍ତ୍ର ଏଯାଏ ବି ସ୍ପଷ୍ଟ ହୋଇପାରିନି।

୨୦୧୪ରେ ଦକ୍ଷପ୍ରସାଦ ନନ୍ଦ ସଭାପତି ଥିବାବେଳେ ନୂଆକରି ଓଏମଆର ବ୍ୟବସ୍ଥା ଆରମ୍ଭ ହେଲା। ୨୦୧୪ ମାଟ୍ରିକ ପରୀକ୍ଷାରେ ହିନ୍ଦୀ ଓ ସଂସ୍କୃତ ମୂଲ୍ୟାୟନରେ ତ୍ରୁଟି ପାଇଁ ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବ ହୋଇଥିଲା। ସେହିପରି ୨୦୧୮ରେ ଇଂରାଜୀ, ଗଣିତ ଓ ବିଜ୍ଞାନ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଘଟଣାର ତଦନ୍ତ ପରେ ମଧ୍ୟ ଏହାର କିଛି ସୁଫଳ ମିଳିନଥିଲା।

ଚଳିତବର୍ଷ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ରେ ସବୁଠୁ ବଡ଼ ଘଟଣା ଘଟିଥିଲା। ପ୍ରଥମ ସିଟି ପରୀକ୍ଷା ଚାଲିଥିବାବେଳେ ପ୍ରଥମ ସିଟିଂ ପ୍ରଶ୍ନପତ୍ର ସମେତ ଦ୍ବିତୀୟ ସିଟିଂ ପ୍ରଶ୍ନପତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ଓଟିଇଟି ପରୀକ୍ଷାକୁ ବାତିଲ କରିଛନ୍ତି। ଏବେ ଓଟିଇଟି ପରୀକ୍ଷା ଅନଲାଇନରେ ଓ ଘରୋଇ ସଂସ୍ଥା ସହାୟତାରେ କରାଯିବାକୁ ଯୋଜନା ଚାଲିଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଆରମ୍ଭ ଦିନରୁ ପ୍ରଶ୍ନପତ୍ର ଭାଇରାଲ ହେବା ଛାତ୍ର ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷର କାରଣ ହୋଇଛି। ଗତବର୍ଷ ୩ଟି ବିଷୟ ଭାଇରାଲ ହେବା ପରେ ଅନୁରୂପ ତ୍ରୁଟି ପୁଣି ଚଳିତବର୍ଷ ପ୍ରଥମ ପରୀକ୍ଷାରୁ ଆରମ୍ଭ ହେବା ଘଟଣା ଉଦ୍‌ବେଗର କାରଣ ହୋଇଛି।
ଏ ସଂକ୍ରାନ୍ତରେ ‌ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ବା କୌଣସି ଶିକ୍ଷକ ନ ଚାହିଁଲେ ଅନ୍ୟ ଜଣେ ହଲରେ ପ୍ରବେଶ କରିପାରିବେ ନାହିଁ । ପୂର୍ବତନ ସଂପାଦକ ଡ. ହେମେନ୍ଦ୍ର ନାରାୟଣ ଦାସ କହିଛନ୍ତି, ଏଭଳି ବିଭ୍ରାଟ ବୁଦ୍ଧିଜୀବୀ, ଛାତ୍ର ଓ ଅଭିଭାବକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର