ସିବିଏସ୍‌ଇର ପାଠ୍ୟଖସଡ଼ା କାଣ୍ଟଛାଣ୍ଟ ପରେ ବି ବୋର୍ଡର ନିଦ ଭାଙ୍ଗୁନି

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଚଳିତ ଶିକ୍ଷାବର୍ଷ ପାଇଁ ନିର୍ଦ୍ଧାରିତ ପାଠ୍ୟ ଖସଡ଼ାରୁ ୩୦ ଭାଗ କମାଇ ଦେଇଛନ୍ତି। ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି। ମାତ୍ର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେଇ ନିରବରେ ବସି ରହିଥିବାରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଏହାକୁ ତୀବ୍ର ନିନ୍ଦା କରିଛି। ଏଥିସହ ତୁରନ୍ତ ନୂତନ ପାଠ୍ୟଖସଡ଼ା ପ୍ରକାଶ କରିବା ପାଇଁ ଦାବି ହୋଇଛି।

କୋଭିଡ଼୍‌-୧୯ର ଭୟାବହତା ପାଇଁ ଚଳିତ ୨୦୨୦-୨୧ ଶିକ୍ଷାବର୍ଷ ଅଦ୍ୟାବଧି ଆରମ୍ଭ ହୋଇପାରିଲା ନାହିଁ। ଗତ ଏପ୍ରିଲ ୧ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସ୍ଥଳେ ଏପର୍ଯ୍ୟନ୍ତ ପିଲାମାନେ ସ୍କୁଲକୁ ଆସିଲେ ନାହିଁ। ଅଗଷ୍ଟ ୩୧ ସୁଦ୍ଧା ସ୍କୁଲ କଲେଜ ଖୋଲିବ ନାହିଁ ବୋଲି ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ସରକାର, ଶିକ୍ଷାବିତ୍‌, ଶିକ୍ଷକ ଓ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଅନ୍‌ଲାଇନ ପାଠପଢ଼ା ନିମନ୍ତେ ଗୁରୁତ୍ୱ ଦିଆଯାଉଛି। ମାତ୍ର ୪ ମାସ ଧରି ପିଲାମାନେ ପାଠ ପଢ଼ି ନଥିବାରୁ ସଂପୂର୍ଣ୍ଣ ବର୍ଷକର ପାଠ୍ୟଖସଡ଼ା ଅବଶିଷ୍ଟ ସ୍ୱଳ୍ପ ସମୟ ଭିତରେ ପଢ଼ାଗଲେ ପିଲାମାନଙ୍କ ଉପରେ ଏହା ଅଧିକ ଚାପ ସୃଷ୍ଟି କରିବ ନାହିଁ କି ବୋଲି ପ୍ରଶ୍ନ କରାଯାଇଛି। ଦ୍ୱିତୀୟ କଥା ହେଉଛି, ପାଠ୍ୟଖସଡ଼ା ନିର୍ଦ୍ଧାରଣ ନ କରି ଅନ୍‌ଲାଇନ ପାଠପଢ଼ା ଆରମ୍ଭ କଲେ ଓ ଭବିଷ୍ୟତରେ ପାଠ୍ୟକ୍ରମକୁ କାଣ୍ଟଛାଣ୍ଟ କଲେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ଅନ୍‌ଲାଇନ ପାଠପଢ଼ାର ମୂଲ୍ୟବାନ ସମୟ ଅପଚୟ ହେବ ନାହିଁ ତ? ଏହି ସମସ୍ତ କଥାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଚଳିତ ଶିକ୍ଷାବର୍ଷ ପାଇଁ ଉଦ୍ଦିଷ୍ଟ ସିଲାବସ୍‌ରୁ ୩୦ ଶତକଡ଼ା ସିଲାବସ୍ କମାଇ ଯାହା ଯାହା ପଢ଼ାଯିବ, ସେ ସଂପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିସାରିଲେଣି। ଅଥଚ ଆମ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଛାତ୍ରଛାତ୍ରୀମାନଙ୍କର ଚଳିତ ବର୍ଷର ଶିକ୍ଷାକୁ ଦୃଷ୍ଟିରେ ରଖି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନ ନେବାକୁ ସାଧାରଣରେ ଗ୍ରହଣୀୟ ହେଉ ନାହିଁ। ଆମ ରାଜ୍ୟରେ ଗୋଟିଏ ଶିକ୍ଷାବର୍ଷରେ ଅନ୍ୟାନ୍ୟ ଛୁଟି ଓ ରବିବାର ଛୁଟିକୁ ବାଦ୍ ଦେଲେ ୨୧୦ ରୁ ୨୨୦ ଦିନ ଶିକ୍ଷାଦାନ ଦିବସ ଥାଏ। ଏଥି ମଧ୍ୟରୁ କରୋନା ସମୟର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପାଇଁ ଅଗଷ୍ଟ ଶେଷ ସୁଦ୍ଧା ପ୍ରାୟ ୮୦ଦିନରୁ ଊର୍ଦ୍ଧ୍ୱ ସମୟ ବିନା ଶିକ୍ଷାଦାନରେ ଚାଲିଗଲାଣି। ଯଦି ବାସ୍ତବରେ ସେପ୍ଟେମ୍ବର ପହିଲାରୁ ସ୍କୁଲ ଖୋଲେ ଆଉ ମାତ୍ର ୧୨୦ ରୁ ୧୨୫ ଦିନ ସମୟ ଶିକ୍ଷାଦାନ ପାଇଁ ରହିବ। ଏଥିମଧ୍ୟରୁ ପରୀକ୍ଷା ପାଇଁ ୧୫ ଦିନରୁ ଅଧିକ ସମୟ ନିଆଯିବ। ଏତେ ଅଳ୍ପ ସମୟ ଶିକ୍ଷାଦାନ ପାଇଁ ରହୁଥିବା ବେଳେ ତୁରନ୍ତ ପାଠ୍ୟଖସଡ଼ା ନିର୍ଦ୍ଧାରଣ ନ କଲେ ପିଲାମାନଙ୍କ କ୍ଷେତ୍ରରେ ପ୍ରସ୍ତୁତି ପାଇଁ କଷ୍ଟସାଧ୍ୟ ହେବ।

ଓଷ୍ଟା ପକ୍ଷରୁ ରାଜ୍ୟ ସରକାର ଓ ବୋର୍ଡକୁ ତୁରନ୍ତ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଓଷ୍ଟା ନେତୃମଣ୍ଡଳୀ ବିନୋଦ ବିହାରୀ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ମହାନ୍ତି, ଭିକାରୀ ଚରଣ ସାହୁ, ରଂଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବିନାୟକ ପରିଡ଼ା, ନୀଳମଣି ପୁରୋହିତ, ନିର୍ମଳ ଜେନା, ଅତୁଲ ବିକ୍ରମ ପ୍ରଧାନ, ମଧୁସୂଦନ ଦେ, କାହ୍ନୁଚରଣ ସାମଲ, ବିଜୟ କୁମାର ଛତ୍ର, ରମାକାନ୍ତ ମହାପାତ୍ର ଓ ସୁରଜିତା ନାୟକ ପ୍ରମୁଖ ସରକାରଙ୍କ ପାଖରେ ଦାବି ରଖିଛନ୍ତି।

ସମ୍ବନ୍ଧିତ ଖବର