ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଥିବା ଏକ ଆବାସିକ ବିଦ୍ୟାଳୟର ଜନୈକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର କମିସନ୍(ଏନ୍ଏଚ୍ଆର୍ସି)। ଘଟଣା ଉପରେ ଆକ୍ସନ୍ ଟେକନ୍ ରିପୋର୍ଟ(ଏଟିଆର୍) ଦାଖଲ କରିବାକୁ ଏଚ୍ଏଚ୍ଆର୍ସି ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଗତ ଡିସେମ୍ବର ୧୮ତାରିଖରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା।
ମୃତକ ଜଣକ ହେଲେ, ଛତ୍ରପୁର ଥାନା ତରେଇପାଟପୁର ଗ୍ରାମର କୈଳାସ ଚନ୍ଦ୍ର ବେହେରାଙ୍କ ଝିଅ ରୋଜା ବେହେରା। ୧୭ତାରିଖ ରାତିରେ ରୋଜା ରାତ୍ରିଭୋଜନ ଖାଇବା ପରେ ଶୋଇ ପଡ଼ିଥିଲେ। ୧୮ତାରିଖ ଭୋର୍ରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବା ସହ ପ୍ରବଳ ବାନ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ୱାର୍ଡ଼େନ୍ କିଛି ଔଷଧ ଦେଇଥିଲେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସକାଳ ସାଢ଼େ ୬ଟାରେ ରୋଜାଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ରୋଜାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରୋଜାଙ୍କ ମୃତ୍ୟୁ ପାଇଁ ପରିବାରବର୍ଗ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଥିଲେ। ଡାକ୍ତରଖାନାକୁ ନେବାରେ ବିଳମ୍ବ ହେବା ଯୋଗୁଁ ଝିଅର ମୃତ୍ୟୁ ଘଟିଥିବା ନେଇ ପରିବାରବର୍ଗ ଅଭିଯୋଗ ଆଣିଥିଲେ।
ଏହି ଘଟଣାକୁ ନେଇ ବ୍ରହ୍ମପୁରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଏନ୍ଏଚ୍ଆର୍ସିରେ ପିଟିସନ୍ ରୁଜୁ କରିଥିଲେ। ଏନ୍ଏଚ୍ଆର୍ସି ଏହି ପିଟିସନ୍ ଗ୍ରହଣ କରି ଘଟଣା ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୪ସପ୍ତାହ ମଧ୍ୟରେ ଏଟିଆର୍ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।