ବୋର୍ଡର ନୀତିଗତ ମଂଜୁରି: ବରଗଡ଼- ନୂଆପଡ଼ା ରେଳ ଲାଇନ୍‌ ଆଶା ଉଜ୍ବଳ

ବରଗଡ଼: ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ନିର୍ମାଣ ଆଶା ଉଜ୍ବଳ ହୋଇଛି। ପ୍ରତିବର୍ଷ ବରଗଡ଼ବାସୀଙ୍କୁ ରେଳ ବଜେଟ୍‌ରେ ନିରାଶାର ସାମ୍‌ନା କରିବାକୁ ପଡ଼ିଛି। ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ପୂର୍ବରୁ ଅନିଶ୍ଚିତତା ଘେରରେ ଥିଲା। କିନ୍ତୁ କେନ୍ଦ୍ର ରେଲୱେ ବୋର୍ଡର ସଦ୍ୟ ନିଷ୍ପତ୍ତି ଏହି ପ୍ରକଳ୍ପ ପାଇଁ ବାଟ ଫିଟାଇବ ବୋଲି କହାଯାଉଛି। ଏହି ୧୪୨ କିଲୋମିଟର୍‌ ରେଳ ଲାଇନ୍‌ ପାଇଁ ବୋର୍ଡ ନୀତିଗତ ମଂଜୁରି ପ୍ରଦାନ କରିଛି। ତେଣୁ ପ୍ରକଳ୍ପ ପାଇଁ ପୁନର୍ବାର ଚୂଡ଼ାନ୍ତ ସର୍ଭେ ଏବଂ ଆଗାମୀ ବଜେଟ୍‌ରେ ଅର୍ଥ ମଂଜୁର ନେଇ ସମ୍ଭାବନା ସୃଷ୍ଟି କରିଛି।

ଏହି ପ୍ରକଳ୍ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ରାଜ୍ୟ ସରକାର ବୁଝିବେ ବୋଲି ବୋର୍ଡ ଦର୍ଶାଇଛି। ତେଣୁ ଆଗାମୀ ରେଳ ବଜେଟ୍‌ରେ ବରଗଡ଼-ନୂଆପଡ଼ା ରେଳଲାଇନ୍‌ ପାଇଁ ପ୍ରଥମ ଥର କିଛି ଅର୍ଥ ମଂଜୁର ହେବ ବୋଲି ଆକଳନ କରାଯାଉଛି। ପୂର୍ବରୁ ବରଗଡ଼-ରାୟପୁର ବ୍ରଡ୍‌ଗଜ୍‌ ରେଳ ଲାଇନ୍‌ (ଭାୟା ନୂଆପଡ଼ା, ପଦ୍ମପୁର) ପାଇଁ ୨୦୦୩ ମସିହାରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ସର୍ଭେ ହୋଇଥିଲା। ସେତିକି ବେଳେ ଏହି ପ୍ରକଳ୍ପ ପାଇଁ ୪୧୫.୮୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। କିନ୍ତୁ ଗତ ଗୋଟିଏ ଦଶନ୍ଧି ଧରି ଏହି ପ୍ରକଳ୍ପର ନାଁ ଗନ୍ଧ ଉଠୁନଥିଲା।

୨୦୧୮ଏପ୍ରିଲ ମାସରେ ପୂର୍ବତଟ ରେଳବାଇ ଉପମୁଖ୍ୟ ପ୍ରବନ୍ଧକ (ପରିଚାଳନା) ଉଭୟ ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ପ୍ରସ୍ତାବିତ ରେଳ ଲାଇନ୍‌ର ଟ୍ରାଫିକ୍‌ ସଂପର୍କିତ ତଥ୍ୟ ଦାଖଲ କରିବାକୁ ଅନୁରୋଧ କରିଥିଲେ। ରିପୋର୍ଟ ରେଲୱେ ବୋର୍ଡ ପାଖରେ ବି ପହଂଚି ସାରିଛି।

କିନ୍ତୁ ସେତିକିରେ ହିଁ ଏହି ପ୍ରକଳ୍ପ ଠପ୍‌ ହୋଇପଡ଼ିଥିଲା। ସଦ୍ୟ ଭାବେ ୨୦୧୮-୨୦୧୯ ମସିହ‌ାରେ ମଧ୍ୟ ସର୍ଭେ ସଂପାଦିତ ହୋଇଥିଲା। ହେଲେ ଏହି ପ୍ରସ୍ତାବିତ ରେଳ ପ୍ରକଳ୍ପ କାମ ଆଗକୁ ବଢ଼ି ପାରିନଥିଲା। କିନ୍ତୁ ଏହି ପ୍ରକଳ୍ପକୁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ପରି‌ଷଦ (ଓଆର୍‌ଆଇଡିଏଲ୍‌) ଚିହ୍ନଟ କରିଥିଲା। ଓଡ଼ିଶା ସରକାରଙ୍କ ୫୧ ପ୍ରତିଶତ ଓ ରେଳ ମନ୍ତ୍ରଣାଳୟର ୪୯ ପ୍ରତିଶତ ଅଂଶୀଦାରିରେ ଏହି ପ୍ରକଳ୍ପ ଆଗକୁ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ପୂର୍ବରୁ ଓଡ଼ିଶା ସରକାର ଜମି ଅଧିଗ୍ରହଣ ପାଇଁ ସହମତି ପ୍ରଦାନ କରିଛନ୍ତି। ତେଣୁ ଆଗାମୀ ରେଳ ବଜେଟ୍‌ରେ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଭାଗ୍ୟ କୁଆଡ଼େ ଯିବ, ତାହା ସ୍ପଷ୍ଟ ଜଣାପଡ଼ିବ।

ସମ୍ବନ୍ଧିତ ଖବର