ବ୍ରହ୍ମଗିରି : ଆଜି ସକାଳୁ ୩୦ ଯାତ୍ରୀଙ୍କୁ ନେଇ ଚିଲିକା ପାର ହେଉଥିବା ଏକ ଡଙ୍ଗା ମଝି ଚିଲିକାରେ ଦୁଇ ଘଣ୍ଟା ଫସି ରହିଥିଲା। ଘନ କୁହୁଡ଼ି ଯୋଗୁଁ ନାଉରିଆ ଦିଗ ଜାଣି ନ ପାରିବାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ଆଜି ସକାଳୁ କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ସାତପଡ଼ା ଘାଟରୁ ଏହି ଡଙ୍ଗାଟି ସକାଳ ୭ଟା୧୫ ମିନିଟ୍ରେ ଜହ୍ନିକୁଦା ଘାଟ ଅଭିମୁଖେ ଛାଡ଼ିଥିଲା। ଡଙ୍ଗାଟିରେ ୩୦ ଜଣ ଯାତ୍ରୀ ଥିଲେ। ୧୦ଟି ବାଇକ୍ ମଧ୍ୟ ଏଥିରେ ବୋଝେଇ ହୋଇଥିଲା। ଯାତ୍ରୀଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୨ ଜଣ ଶିଶୁ ରହିଥିଲେ। ଆଜି ସକାଳୁ ଦୀର୍ଘ ସମୟ ଧରି ଘନ କୁହୁଡ଼ି ଲାଗି ରହିଥିଲା। ଫଳରେ ମଝି ଚିଲିକାରେ ଡଙ୍ଗାଟି ଦିଗହରା ହୋଇଯାଇଥିଲା। ବାଧ୍ୟ ହୋଇ ନାଉରିଆ ପାଣି କମ୍ ଥିବା ସ୍ଥାନରେ ଡଙ୍ଗାଟିକୁ ଅଟକାଇ ରଖିଥିଲେ। ଦୀର୍ଘ ୨ ଘଣ୍ଟା ଧରି ୩୦ଜଣ ଯାତ୍ରୀ ସେହିଭଳି ବିପଜ୍ଜନକ ଭାବେ ଡଙ୍ଗାରେ ବସି ରହିଥିଲେ। ତେବେ ବିଡ଼ମ୍ବନାର ବିଷୟ ଯେ ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ନଥିବାରୁ ଏହି ସମୟରେ ଯାତ୍ରୀମାନଙ୍କୁ ତାହା ଦିଆ ଯାଇ ପାରି ନ ଥିଲା। କୁହୁଡି ଛାଡିବା ପରେ ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଜହ୍ନିକୁଦା ଘାଟରେ ପହଞ୍ଚି ଥିଲା।
ତେବେ ଆଜିର ଏହି ଘଟଣା ଚିଲିକାରେ ନୌକା ପରିବହନ କ୍ଷେତ୍ରରେ ନିରାପତ୍ତା ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିପଦସଙ୍କୁଳ ଅବସ୍ଥାରେ ବିନା ଲାଇଫ୍ ଜ୍ୟାକେଟ୍ରେ ଜଳଯାତ୍ରାକୁ ପ୍ରଶାସନ ନଜରଅନ୍ଦାଜ କରି ଦେଉଥିବା ସ୍ପଷ୍ଟ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ଯାତାୟାତରେ ବାଧା ଉପୁଜୁଥିବାବେଳେ ଲାଇଫ୍ ଜ୍ୟାକେଟ ବିନା ଡଙ୍ଗା ଚଳାଚଳ କରୁଛି। ଏହା ବିପଦକୁ ଡାକି ଆଣୁଛି ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ବାରମ୍ବାର ଚିଲିକାରେ ଡଙ୍ଗାବୁଡ଼ି ଯାତ୍ରୀଙ୍କ ଜୀବନ ଯାଉଥିବାବେଳେ ବିନା ଲାଇଫ୍ ଜ୍ୟାକେଟ୍ରେ ପୁଣି ଘନ କୁହୁଡ଼ିରେ ଯାତ୍ରୀ ନେଇ ୫ କିଲୋମିଟର ପାରି ହେବା ସାଧାରଣ ଯାତ୍ରୀଙ୍କ ଜୀବନ ସହିତ ଖେଳ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।