ମଝି ଚିଲିକାରେ ଅଟକିଲା ଡଙ୍ଗା ଘଣ୍ଟାଏ ପରେ ୭୦ ଯାତ୍ରୀ ଉଦ୍ଧାର

ବ୍ରହ୍ମଗିରି: ଚିଲିକାରେ ବାରମ୍ବାର ଡଙ୍ଗା ବୁଡ଼ି ସତ୍ତ୍ୱେ ପ୍ରଶାସନର ଚେତା ପଶୁନି କି ବିପଜ୍ଜନକ ଭାବେ ଯାତ୍ରୀ ପରିବହନ ବନ୍ଦ ହେଉନି। ଆଜି ପୁଣିଥରେ ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳଛି। ମଝି ନଈରେ ଅଟକି ରହିଥିବା ଏକ ଡଙ୍ଗାରୁ ଘଣ୍ଟାକ ପରେ ୭୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଆଜି ଅପରାହ୍ନରେ ସାତପଡ଼ାରୁ ୭୦ ଜଣ ଯାତ୍ରୀଙ୍କ ସହିତ ୩୦ଟି ବାଇକ୍‌ ନେଇ ଯନ୍ତ୍ରଚାଳିତ ଏହି ଡଙ୍ଗାଟି ଜହ୍ନିକୁଦା ଘାଟକୁ ଯାଉଥିଲା। ମଝି ଚିଲିକାର ମହିଁଷା ଗାଁ ତଳି ନାଳିରେ ଡଙ୍ଗାର ଇଞ୍ଜିନ୍‌ ଖରାପ ହୋଇ ଯାଇଥିଲା। ଡଙ୍ଗା ଚାଳକ ତ୍ରୁଟି ସଜାଡ଼ି ପାରିନଥିଲେ। ଫଳରେ ଦୀର୍ଘ ସମୟ ଧରି ଯାତ୍ରୀଙ୍କ ସହିତ ଡଙ୍ଗାଟି ମଝି ଚିଲିକାରେ ଅଟକି ରହିଥିଲା। ପ୍ରାୟ ଘଣ୍ଟାଏ ଧରି ମଝି ଚିଲିକାରେ ଡଙ୍ଗାଟି ଫସି ରହିଥିବା ବେଳେ ଖବର ପାଇ ସାତପଡ଼ାରୁ ଦୁଇଟି ଡଙ୍ଗା ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରି ଜହ୍ନିକୁଦା ଘାଟରେ ପହଞ୍ଚାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଡଙ୍ଗାଟି ଲାଗିଥିବା ସ୍ଥାନରେ କମ୍‌ ପାଣି ଥିବାରୁ ଏହା ଅଟକି ରହିଥିଲା। ଚିଲିକାରେ ବାରମ୍ବାର ଡଙ୍ଗା ଦୁର୍ଘଟଣାର ଶିକାର ହୋଇ ଜୀବନ ଯାଉଥିବା ବେଳେ ସରକାର କିମ୍ବା ପ୍ରଶାସନର ଚେତା ପଶୁ ନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ଅଳ୍କକେ ବର୍ତ୍ତିଗଲେ ୭୬ ଜଣ
ବୁଡ଼ିଗଲା ମାଛଧରା ବୋଟ୍‌, ଜଣେ ଧୀବର ନିଖୋଜ, ୬ ଉଦ୍ଧାର

ଭଦ୍ରକ/ଚାନ୍ଦବାଲି/ଧାମରା,: ଧାମରା ନିକଟସ୍ଥ ଅବଦୁଲ କଲାମ ଦ୍ୱୀପର ୫ କିମି ପୂର୍ବକୁ ଥିବା ତେନ୍ତୁଳିଆ ଚଢ଼ାଠାରେ ଆଜି ସାମୁଦ୍ରିକ ଜୁଆର ମାଡ଼ରେ ଗୋଟିଏ ମାଛଧରା ବୋଟ ବୁଡ଼ିଯାଇଛି। ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ବାଲେଶ୍ୱର କଷାଫଳ ମୁହାଣର ତପନ ମଣ୍ଡଳଙ୍କ ବୋଟ୍‌ ମା’ ମନୀଷା (ଆଇଏନ୍‌ଡି ଓଆର୍‌ ଏମ୍‌ଏମ୍‌ ୧୧୮୭) ବୋଟ୍‌ଟି ଦୀର୍ଘ ୮ ଦିନ ହେବ ଧାମରା ଚନ୍ଦନୀପାାଳଠାରେ ରହି ମାଛ ମାରୁଥିଲା। ଆଜି ଭୋର ୪ଟା ସମୟରେ ଉକ୍ତ ବୋଟ୍‌ଟି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା। ତେବେ ସକାଳ ପ୍ରାୟ ୮ଟା ବେଳେ କଲାମ ଦ୍ୱୀପ( ତେନ୍ତୁଳିଆ ଚଢ଼ା)ଠାରେ ମାଛ ମାରୁଥିବା ସମୟରେ ସମୁଦ୍ର ଲହଡ଼ିିରେ ବୋଟ୍‌ଟି ଓଲଟି ପଡ଼ିିଥିଲା। ଫଳରେ ସମୁଦ୍ର ଲହଡ଼ିିର ପ୍ରଭାବରେ ବହୁଥର ପଲଟି ଯାଇ ସମୁଦ୍ର ମଧ୍ୟକୁ ଚାଲିଯାଇଥିଲା। ଏହି ବୋଟ୍‌ରେ ଥିବା ଷ୍ଟାଫ୍‌ମାନଙ୍କ ମଧ୍ୟରୁ ଅବନ୍ତୀ ମାଇତିଙ୍କ ପୁଅ ବିଶ୍ୱନାଥ, ପଚୁ ଜେନାଙ୍କ ପୁଅ ଭଲୁ, ଗଦାଧର ମଣ୍ଡଳଙ୍କ ପୁଅ ଗୋପାଳ, ଅଜାମ୍ବର ମାଇତିଙ୍କ ପୁଅ ଲାଲ୍‌ଟୁ, ସୁଧୀର ପଡ଼ିଆଙ୍କ ପୁଅ ଭାକୁ, ମଣ୍ଟୁ ଗିରିଙ୍କ ପୁଅ ଟେମ୍ପୋଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ଅବନ୍ତୀ ମାଇତିଙ୍କ ପୁଅ ଝାଡ଼େଶ୍ୱର(୩୦) ନିଖୋଜ ଥିବା ଜଣାଯାଇଛି। ଏହି ସମସ୍ତ ମତ୍ସ୍ୟଜୀବୀଙ୍କ ଘର ବାଲେଶ୍ୱର ଜିଲ୍ଲା କଷାଫଳ ମୁହାଣ ନିକଟସ୍ଥ ସିଂଲା ଥାନା ଅର୍ନ୍ତଗତ ଚକାସାହି ପଞ୍ଚାୟତ ଖୁଦଖାଣ୍ଟିଆ ଗ୍ରାମରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର