ବ୍ରହ୍ମଗିରି : ମଝି ଚିଲିକାରେ ଦୁଇଟି ଘରୋଇ ଯାତ୍ରୀବାହୀ ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଛି। ଦୁଇଟି ଡଙ୍ଗାରେ ୭୦ରୁ ଅଧିକ ଯାତ୍ରୀ ଥିବାବେଳେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ସେମାନେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ସାତପଡ଼ା ଘାଟରୁ ଏକ ଘରୋଇ ଡଙ୍ଗା ୩୦ ଜଣ ଯାତ୍ରୀ ଓ ୧୫ଟି ବାଇକ୍ ଲଦି ଜହ୍ନିକୁଦା ଘାଟକୁ ଯାଉଥିଲା। ଠିକ୍ ସେତିକିବେଳେ ଜହ୍ନିକୁଦା ଘାଟରୁ ୩୫ ଜଣ ଯାତ୍ରୀଙ୍କ ସହିତ ୧୦ଟି ବାଇକ୍ ଲଦି ଅନ୍ୟ ଏକ ଘରୋଇ ଡଙ୍ଗା ସାତପଡ଼ା ଘାଟକୁ ଆସୁଥିଲା। ମଝି ଚିଲିକାରେ ମହିଷା ଗାଁ ତଳି କୁଦ ପାଖରେ ସାତପଡ଼ା ପଟୁ ଯାଉଥିବା ଡଙ୍ଗା ଜହ୍ନିକୁଦା ପଟୁ ଆସୁଥିବା ଡଙ୍ଗା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏତେ ଜୋର୍ରେ ଡଙ୍ଗା ଦୁଇଟି ଧକ୍କା ଲାଗିଥିଲେ ଯେ ଡଙ୍ଗାରେ ଥିବା ବାଇକ୍ ମଧ୍ୟରୁ ୫ଟି ବାଇକ ଭାଙ୍ଗି ଚୂର୍ମାର୍ ହୋଇଯାଇଛି। ଉଭୟ ଡଙ୍ଗାର ସମ୍ମୁଖପଟେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀ ଖଣ୍ତିଆ ଖାବରା ହେବାସହିତ ସେମାନଙ୍କ ଦେହରେ ଶକ୍ତ ଆଘାତ ଲାଗିଛି।
ଦୁର୍ଘଟଣା ସମୟରେ ପାଣିରେ ୨୦ରୁ ଅଧିକ ଯାତ୍ରୀ ଖସି ପଡ଼ିଥିଲେ। ଚିଲିକାରେ ମାଛ ଧରୁଥିବା ମତ୍ସ୍ୟଜୀବୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଚିଲିକା ନୂଆପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି। ସେହିଭଳି, ଡଙ୍ଗାରେ ଥିବା ଅନ୍ୟ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।