ବ୍ରହ୍ମଗିରି: ଯୋଗାଯୋଗ ବ୍ୟବସ୍ଥା ନ ଥିବା ସ୍ଥାନକୁ ସରକାର ଆମ୍ବୁଲାନ୍ସ ବ୍ୟବସ୍ଥା କଲେ। ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଜଳପଥ ଦେଇ ରୋଗୀ କିଭଳି ଆସି ପାରିବେ ସେ ନେଇ ଉଚ୍ଚ କ୍ଷମତା ସମ୍ପନ୍ନ ଆମ୍ବୁଲାନ୍ସର ବ୍ୟବସ୍ଥା କରାଗଲା। କିନ୍ତୁ ଏହି ଆମ୍ବୁଲାନ୍ସ ଏବେ ଖତ ଖାଉଛି।

Advertisment

ଖବର ନେବାରେ ଜଣାପଡ଼ିଛି ଯେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ସ୍ଥଳପଥ ଓ ଜଳପଥ ମଧ୍ୟରେ ରହିଛି। ଏହି ବ୍ଲକ୍‌ର ୧୩ଟି ପଞ୍ଚାୟତ ଚିଲିକା ଆରପାରିରେ ରହିଛି। ଗୋଟିଏ ପଞ୍ଚାୟତ ଚିଲିକା ଭିତରେ ଥିବା ଟାପୁରେ ରହିଛି। ଅନ୍ୟ ୭ ପଞ୍ଚାୟତ ସାତପଡ଼ା ପଟେ ସ୍ଥଳପଥରେ ରହିଛି। ଫଳରେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୧୩ ପଞ୍ଚାୟତର ଲୋକେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଏମ୍‌କେସିଜେ ମେଡିକାଲ କଲେଜ ଉପରେ ନିର୍ଭର କରନ୍ତି। ଗୋଟିଏ ପଞ୍ଚାୟତର ଲୋକମାନଙ୍କୁ ଗଞ୍ଜାମ କିମ୍ବା ପୁରୀ ଯିବା ପାଇଁ ଚିଲିକା ଦେଇ ଆସିବାକୁ ପଡ଼ିଥାଏ। ୧୩ ପଞ୍ଚାୟତର ଲୋକେ ପୁରୀକୁ ରୋଗୀ ଆଣିବା ପାଇଁ ଜଳପଥ ଦେଇ ଆସିବେ ନଚେତ୍‌ ସ୍ଥଳପଥରେ ୨୮୦ କିଲୋମିଟର ଆସିଲେ ଯାଇ ପୁରୀରେ ପହଞ୍ଚିବେ। ଚିଲିକା ଟାପୁରେ ଥିବା ପଞ୍ଚାୟତର ଲୋକମାନଙ୍କୁ ଜଳପଥ ପାରି ହେବାକୁ ହିଁ ପଡ଼ିବ।

ସରକାର ୨୦୦୮ ମସିହାରୁ ଚିଲିକାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୋଟ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ। ଜଳପଥରେ ରୋଗୀ ସେବା ଯୋଗାଇବା ପ‌ାଇଁ ୨ଟି ଇଞ୍ଜିନ୍‌ ବିଶିଷ୍ଟ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବୋଟ୍‌ ଅମ୍ବୁଲାନ୍ସ ଯୋଗାଇ ଦିଆଗଲା। କିନ୍ତୁ ଏହା କିଛିଦିନ ପରେ ଏହା ବନ୍ଦ ହୋଇଗଲା। ୨୦୧୦ରୁ ଏବେ ସୁଦ୍ଧା ଏହା ବନ୍ଦ ହୋଇ ପଡ଼ିଛି। କେବଳ ସ୍ଥାନୀୟ ଲୋକଙ୍କୁ ସେବା ଯୋଗାଇବ ତାହା ନୁହେଁ ପ୍ରତ୍ୟକ ଦିନ ଦେଶବିଦେଶରୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କୁ ଚିଲିକାରେ ସେବା ଯୋଗାଇଦେବା, ଚିଲିକା ଭିତରେ କୌଣସି ଅଘଟଣ ଘଟିଲେ ତୁରନ୍ତ ଆମ୍ବୁଲାନ୍ସ ସେବା ଯୋଗାଇଦେବା ଏହାର ମୂଳଲକ୍ଷ୍ୟ ଥିଲା। କିନ୍ତୁ ଏହା ଏବେ ବନ୍ଦ ହୋଇ ଚିଲିକାର ଲୁଣି ପାଣିରେ ଖତ ଖାଉଛି। କିଛି ଦିନ ଏହି ଆମ୍ବୁଲାନ୍ସ ସାତପଡ଼ା ଜେଟି ପାଖରେ ଖତ ଖାଉଥିଲା। ଏବେ ଏହାକୁ ଡ୍ରୋଜରକୁଦା ନିକଟରେ ରଖାଯାଇଛି। ଲକ୍ଷ ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ଏହି ଆମ୍ବୁଲାନ୍ସ ଲୋକଙ୍କ ସେବାରେ ଆସୁନାହିଁ। ଏହାକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।