ଜରିପଡ଼ା ନିକଟ ନାଳିକୂଳ ଘାଟରେ ଦୋଳଯାତ୍ରା ସାରି ଫେରୁଥିବା ବିମାନ ସହ ଡଙ୍ଗା ବୁଡ଼ିଲା : ଜଣେ ଛାତ୍ର ମୃତ, ୨୯ ଜଣଙ୍କୁ ଉଦ୍ଧାର

ଦୋଳ ମେଲଣରୁ ଫେରୁଥିବା ବେଳେ ଅଘଟଣ
ପହଁରା ଶିଖିଥିବା ଲୋକ ନଦୀକୁ ଡେଇଁ ଉଦ୍ଧାର କଲେ
ବିମାନ ସମସ୍ତ ଜିନିଷ, ପାର୍ଶ୍ବ ଦେବତା ପାଣିରେ ଭାସିଗଲା

ସାଲେପୁର : ଟାଙ୍ଗୀ ବ୍ଲକ୍‌ର ସିଦ୍ଧଗିରି ଦୋଳମେଳଣ ସାରି ଜରିପଡ଼ା ନିକଟ ନାଳିକୂଳ ଘାଟରେ ଡଙ୍ଗା ପାର ହେଉଥିବା ବେଳେ ଦୁଇଟି ଦୋଳ ବିମାନ ସହ ପ୍ରାୟ ୩୦ଜଣ ଶ୍ରଦ୍ଧାଳୁ ନଦୀରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ଭିତରୁ ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ବେ‌ଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାର ନାଉରିଆ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ଡଙ୍ଗାରେ ସାଲେପୁର ବ୍ଲକ୍‌ ନରଦା ଓ ଆଖପାଖ ଗ୍ରାମର ଲୋକ ଥିଲେ ବୋଲି ସୂଚନା ମିଳିଛି।

ପ୍ରକାଶଥାଉ କି, ପ୍ରତିବର୍ଷ ପରି ଟାଙ୍ଗୀବ୍ଲକ୍‌ ଗୋବିନ୍ଦପୁର ପଞ୍ଚାୟତର ସିଦ୍ଧଗିରି ଦୋଳମେଳଣକୁ ସାଲେପୁର ବ୍ଲକ୍‌ର ଲେଖନପୁର ଓ ନରଦା ପଞ୍ଚାୟତରୁ ଠାକୁରଙ୍କ ବିମାନ ଦୋଳମେଳଣରେ ଭାଗନେବାକୁ ଯାଇଥାନ୍ତି। ଚଳିତବର୍ଷ ଏହି ଦୋଳମେଳଣରେ ଠାକୁର ବିମାନ ଯାତ୍ରାରେ ଭାଗ ନେଇ ସେଠାରୁ ଜରିପଡ଼ା ନାଳିକୂଳ ଦେଇ ଆରପଟେ ଥିବା ହରିପୁର ଘାଟକୁ ଡଙ୍ଗାରେ ଆସୁଥିଲେ। ଡଙ୍ଗାରେ ନଦୀ ପାର ହେବା ବେଳେ ହଠାତ୍‌ ଡଙ୍ଗାଟି ହରିପୁର ଘାଟ ନିକଟରେ ଭାରସାମ୍ୟ ହରାଇ ପାଣି ଭିତରେ ଓଲଟି ପଡ଼ିଥିଲା। ଏହି ସମୟରେ ଡଙ୍ଗାରେ ଥିବା ଯାତ୍ରୀମାନେ ଚିତ୍କାର କରିଥିଲେ। ଅପରପକ୍ଷରେ ହରିପୁର ଘାଟରେ ଅପେକ୍ଷା କରିଥିବା ଲୋକମାନେ ଡଙ୍ଗା ବୁଡ଼ି ଯାଉଥିବା ଦେଖି ହୋ-ହାଲ୍ଲା କରିଥିଲେ। ଆଖପାଖର ପହଁରା ଶିଖିଥିବା ଲୋକେ ନଦୀକୁ ଡେଇଁ ବହୁଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ, ଭୀମଦାସପୁର ପଞ୍ଚାୟତ ଗୋଠଦାରକୁଣ୍ତିକୂଳ ଗ୍ରାମର ବିଭୁ ବେହେରାଙ୍କ ପୁତ୍ର ରଶ୍ମିରଂଜନ ବେହେରା(୧୮) ନିଖୋଜ ହୋଇ ଯାଇଥିଲେ। ଓଡ୍ରାଫ ଓ ଅଗ୍ନିଶମ ଟିମ୍‌ ଖୋଜାଖୋଜି କଲା ପରେ ରଶ୍ମିରଂଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରଥମେ ତାଙ୍କୁ ରାମେଶ୍ବର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜଗତପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ତାଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଡଙ୍ଗାରେ ଯାଇଥିବା ଠାକୁର ଓ ବିମାନର ସମସ୍ତ ଜିନିଷପତ୍ର ପାଣିରେ ଭାସି ଯାଇଥିବା ବେଳେ ବହୁ ପାର୍ଶ୍ବଦେବତା ମଧ୍ୟ ପାଣିରୁ ଉଦ୍ଧାର କରାଯାଇ ପାରି ନାହାନ୍ତି। ଏହି ଘଟଣା ନେଇ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ତୁରନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସେହିପରି ମୃତ ଛାତ୍ରଙ୍କ ପରିବାରକୁ ରେଡକ୍ରସ୍‌ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ବୋଲି ଉପ-ଜିଲ୍ଲାପାଳ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ନାଉରିଆ ଫେରାର୍‌ ହୋଇ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର