ଚିଲିକାରେ ବୁଡ଼ିଲା ଡଙ୍ଗା, ୨ ମୃତ

ପହଁରି ପହଁରି କୁଦରେ ପହଞ୍ଚିଲେ ଜଣେ, ୧୧ ଉଦ୍ଧାର, ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛି ୧୦ ଡଙ୍ଗା

ବ୍ରହ୍ମଗିରି : ରବିବାର ସନ୍ଧ୍ୟାରେ ମଝି ଚିଲିକାରେ ଏକ ପର୍ଯ୍ୟଟକ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ଡଙ୍ଗାରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ୨ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣେ ପହଁରି ପହଁରି କୁଦକୁ ଆସିଛନ୍ତି। ଅନ୍ୟ ୧୦ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି।

ସୂଚନା ଅନୁଯାୟୀ ରବିବାର ସକାଳେ ଦୁଇଟି ଡଙ୍ଗାରେ ୩୦ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ କିଛି ଯୁବକ ବ୍ରହ୍ମଗିରି ଥାନା ଗମ୍ଭାରୀ ଗାଁ ନିକଟ କାଳିଜାଈ କୁଦ ନିକଟକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ସାରି ଫେରିବା ବେଳେ ଗୋଟିଏ ଡଙ୍ଗା ଭାରସାମ୍ୟ ହରାଇ କୁଦଠାରୁ କିଛିଦୂରରେ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ମୋଟ୍‌ ୧୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ବ୍ରହ୍ମଗିରି ଥାନା ଟୁଆ ଗାଁ’ର ଉଗ୍ରସେନ ଦାସ ପହଁରି ପହଁରି କୁଦରେ ପହ‌ଞ୍ଚିଛନ୍ତି। କିନ୍ତୁ, ଡଙ୍ଗାରେ ଯାଇଥିବା ପୁରୀର ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀ ଓ ଅଗ୍ନିଶମ ବାହିନୀ ୧୦ଟି ଡଙ୍ଗା ନେଇ ଦୁଇ ନିଖୋଜଙ୍କୁ ଖୋଜାଖୋଜି କରିଥିଲେ। ।ଅନ୍ଧାର ରାତି ହୋଇଥିବାରୁ ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି ପାଇଁ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଜୀବନକୁ ବାଜି ଲଗାଇ ଗମ୍ଭାରୀ ଗାଁର ଲୋକେ ଅନ୍ଧାର ରାତିରେ ଖୋଜାଖୋଜି ଜାରି ରଖିଥିଲେ। ତେବେ ରାତି ପ୍ରାୟ ସାଢ଼େ ୯ଟା ବେଳେ ଉଦ୍ଧାରକାରୀ ଦଳ ଦୁଇ ପର୍ଯ୍ୟଟକଙ୍କ ମୃତଦେହ ଚିଲିକା କୂଳରୁ ୮ କିଲୋମିଟର ଦୂରରୁ ଉଦ୍ଧାର କରିଛନ୍ତି। ମୃତ ଦୁଇ ପର୍ଯ୍ୟଟକଙ୍କ ପରିଚୟ ମିଳିପାରି ନାହିଁ। ସର୍ବଶେ‌ଷ ତଥ୍ୟ ଅନୁଯୟୀ, ଏହି ଦୁଇ ପର୍ଯ୍ୟଟକଙ୍କ ମୃତଦେହ କୂଳକୁ ଅଣାଯାଉଛି। ଖବର ପାଇ ପୁଲିସ ମଧ୍ୟ ଚିଲିକା କୂଳରେ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର