ହଳଦିଆ ଫେରିଘାଟରେ ଅଘଟଣ: ବୁଡ଼ିଗଲା ଡଙ୍ଗା, ନାଉରିଆ ନିଖୋଜ; ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତିଲେ

ବାଲେଶ୍ୱର : ବୁଢ଼ାବଳଙ୍ଗ ନଦୀର କଲ୍ୟାଣପୁର ପଞ୍ଚାୟତ ହଳଦିଆ ଫେରିଘାଟରେ ଆଜି ଏକ ଅଘଟଣ ଘଟିଛି। ଯାତ୍ରୀ ପାରି କରୁଥିବା ବେଳେ ଦେଶୀଡଙ୍ଗା ନଦୀ ଭିତରେ ତିଆରି ହୋଇଥିବା ପିଲାର ସହ ଧକ୍କା ହେବା ଯୋଗୁଁ ଓଲଟି ପଡ଼ିଥିଲା। ଫଳରେ ନାଉରିଆ ହେମେନ୍ଦ୍ର ରାଉତ ପାଣିରେ ବୁଡ଼ି ଯାଇଥିବାବେଳେ ତେବେ ଡଙ୍ଗାରେ ବସିଥିବା ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ ବିଭାଗ ଓ ଏନଡିଆରଏଫ୍‌ ଟିମ୍‌ ଦୀର୍ଘ ସମୟ ଖୋଜିବା ପରେ ବି ହେମେନ୍ଦ୍ରଙ୍କ ପତ୍ତା ମିଳିନାହିଁ।

ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ବୁଢ଼ାବଳଙ୍ଗ ନଦୀର ହଳଦିଆ ଘାଟର ଅପର ପାର୍ଶ୍ୱ ମାକନ୍ଦା ପଟକୁ ୩୦ ଜଣ ଯାତ୍ରୀଙ୍କୁ ନେଇ ଏହି ଦେଶୀଡଙ୍ଗା ଯାଉଥିଲା ବେଳେ ଏହି ଅଘଟଣ ଘଟିଥିଲା। ତେବେ ଡଙ୍ଗାରେ ଥିବା ଯାତ୍ରୀମାନେ ରକ୍ଷା ପାଇ ଯାଇଥିଲେ ହେଁ ନାଉରିଆଙ୍କ ନଦୀରେ ବୁଡ଼ି ଯାଇ ନିଖୋଜ ହୋଇଯିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଦୁର୍ଘଟଣା ପାଇଁ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ପୋଲ ତିଆରି କରୁଥିବା ଠିକାଦାରକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଯେଉଁ ଠିକାଦାରଙ୍କୁ ଗତ ୩ ବର୍ଷ ପୂର୍ବରୁ ପୋଲକାମ ପାଇଁ ଦାୟିତ୍ୱ ଦିଆଯାଇଛି ସେ ଆଜି ଯାଏ ଏହାକୁ ସଂପୂର୍ଣ୍ଣ କରିନାହାନ୍ତି। ଯାହା ଫଳରେ ଆଜି ଏଭଳି ଅଘଟଣ ଘଟିଲା। ତେଣୁ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଥାନାରେ ମାମଲା ରୁଜୁ ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର