ଖୋର୍ଦ୍ଧା/ବାଲୁଗାଁ : ୧୬ ଜୁନ୍ ୨୦୧୮ ତାରିଖରେ ଚିଲିକା ଡଙ୍ଗାବୁଡ଼ି ଘଟଣାରେ ୬ଜଣ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର ୨ ବର୍ଷ ପରେ ପୁଣି ଆଜି ଚିଲିକାରେ ଏକ ଅଘଟଣ ଘଟିଛି। ଏକ ହସ୍ତଚାଳିତ ମାଛଧରା ଡଙ୍ଗା ଚିଲିକାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ଦୈବାତ୍ ନିକଟରେ ଅନ୍ୟ ମାଛଧରା ଡଙ୍ଗା ଥିବାରୁ ଡୁବିଯାଉଥିବା ୧୭ଜଣ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇପାରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୨ଜଣଙ୍କୁ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଡଙ୍ଗା ଚାଳକ ଓ ତାଙ୍କ ସହଯୋଗୀଙ୍କୁ ବାଲୁଗାଁ ଥାନା ପୁଲିସ ଅଟକ ରଖିଛି।

Advertisment

ଆଜି ସକାଳେ ବାଲୁଗାଁ ଥାନା ବଡ଼କୂଳ, ଚନ୍ଦ୍ରାପୁଟ ଓ ଆଙ୍କୁଲା ଗ୍ରାମର ୪୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ କାଳିଜାଈଙ୍କ ପୀଠକୁ ଦର୍ଶନ ଓ ବଣଭୋଜି ପାଇଁ ଯାଇଥିଲେ। ସେଠାରେ ଭୋଜି ସାରି ଡଙ୍ଗାରେ ୧୮ ଜଣ ଯାତ୍ରୀ ଫେରୁଥିଲେ। ସନ୍ଧ୍ୟା ସାଢ଼େ ୫ଟା ସମୟରେ ଡଙ୍ଗା କାଳିଜାଈ ପୀଠ ଠାରୁ ୪ କିଲୋମିଟର ଓ ବଡ଼କୂଳ ଠାରୁ ୧୨ କିଲୋମିଟର ଦୂରରେ ଥିବା ଗଣ୍ଡ ମଧ୍ୟରେ ଆସୁଥିବାବେଳେ ହଠାତ୍‌ ପବନ ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଖସିପଡ଼ିଥିଲେ। ଯାତ୍ରୀମାନଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା କେତେକ ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗା ଧରି ଘଟଣାସ୍ଥଳରେ ପହଞ୍ଚିବା ସହିତ ୭ ଜଣ ମହିଳା ଓ ୨ ଜଣ ପୁରୁଷଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାକୁ ଆଣିଥିଲେ। ପରେ ଦମକଳବାହିନୀ ଅନ୍ୟ ୯ ଜଣଙ୍କୁ ଉଦ୍ଧାର କରିଥିଲେ।

ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ତୋଟାପଡ଼ାର ଭାନୁମତୀ ବିଷୋୟୀ(୫୦ ବର୍ଷ), ମଞ୍ଜୁଲତା ବିଷୋୟୀ(୪୮ ବର୍ଷ), ସୁନୀତା ବିଷୋୟୀ(୨୭ ବର୍ଷ), ବୁରିଆ ସାହିର ସତ୍ୟଭାମା ବିଶ୍ବାଳ(୫୨ ବର୍ଷ), ଚନ୍ଦ୍ରାପୁଟର ଲୀନା ଜାଲି(୩୭), ବଡ଼କୂଳର ଇଛା ଦେଇ(୬୫), ଆଙ୍କୁଲାର ଅଗାଡ଼ି ଦଳେଇ(୬୦ ), ବବଡ଼କୂଳର ବିଜୟ ବେହେରା(୪୦) ଓ ସରସ ବେହେରା(୪୫)ଙ୍କୁ ବାଲୁଗାଁ ‌ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଗାଡ଼ି ଦଳେଇଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା ଜରୁରୀକାଳୀନ ଅଧିକାରୀ ସଂଧ୍ୟାରାଣୀ ଗୁରୁ ଏନେଇ କହିଛନ୍ତି ଯେ ଡୁବିଯାଇଥିବା ୧୭ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ଓ ଅନ୍ୟ ୨ ଜଣଙ୍କୁ ମଧ୍ୟ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ଜଣାଯାଇଛି।