କେନ୍ଦ୍ରାପଡ଼ା : ମହାନଦୀରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବାରୁ ୮ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ,୨ ଜଣ ମହିଳା ଓ ଜଣେ ପୁରୁଷ ଲୋକ ଅନ୍ତର୍ଭୁକ୍ତ। କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ନୂଆବର୍ଷର ବଣଭୋଜି ସାରି କୁଜଙ୍ଗ ଅଭିମୁଖେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗ ନିକଟରୁ ହସିଣା ଗ୍ରାମର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକର ହୁକିଟୋଲାକୁ ଯାଇଥିଲେ। ସ˚ଧୢାରେ ସେମାନେ ‘ଶକ୍ତିମୟୀ ମା’ ମଙ୍ଗଳା’ ନାମକ ବୋଟ୍‌ରେ ଚଉମୁହାଣି ଅଭିମୁଖେ ବାହାରିଥିଲେ। ଡଙ୍ଗାଟି ମହାନଦୀର ଶାଖା ବତିଘର ନଦୀ ବାଟେ ଫେରୁଥିବା ବେଳେ ଏକ ବାଲିକୁଦରେ ଧକ୍କା ଲାଗିଥିଲା । ଫଳରେ, ପ୍ରାୟ ୪୮ ଜଣ ଡଙ୍ଗାର ଗୋଟିଏ ପାଖରେ ରହିଯିବାରୁ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଅନ୍ୟଜଣେ ଯାତ୍ରୀଙ୍କ କହିବା ଅନୁସାରେ ଉକ୍ତ ଡଙ୍ଗାରେ ୫୦ରୁ ୫୫ ଜଣ ଚଢ଼ିବାରୁ ଡଙ୍ଗା ଟଳମଳ ହୋଇଥିଲା। ବୋଟ ଚାଳକଙ୍କ ଅନୁରୋଧ ପରେ ୮ରୁ ୧୦ ଜଣ ଓହ୍ଲାଇ ପଡ଼ିଥିଲେ। ତେବେ ଡଙ୍ଗା ଛାଡ଼ିବା ପୂର୍ବରୁ ଜଣେ ତରତରରେ ଉପରକୁ ଡେଇଁ ପଡ଼ିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏକପାଖିଆ ହୋଇ ଡଙ୍ଗା ବୁଡ଼ିଯିବାରୁ ଅଧିକ ପାଣି ଥିବା ପାର୍ଶ୍ବରେ ମହିଳା ଓ ଶିଶୁମାନେ ବୁଡ଼ି ଯାଇଥିଲେ। ବୁଡ଼ି ଯାଇ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଦ୍ବୟ ‌େ‌ହଲେ, ପ୍ରଭାତୀ ସ୍ବାଇଁ ଓ ଅନୁ ତରାଇ। ୫ ଜଣ ଶିଶୁଙ୍କ ବୟସ ୮ରୁ ୧୭ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଅନ୍ୟଜଣେ ପୁରୁଷ ଲୋକ ବୋଲି ଜଣାପଡ଼ିଛି।

ତେବେ, ରାତି ୮ଟା ସମୟରେ ଦୁର୍ଘଟଣା ଘଟିଥିବା ବେଳେ ମୃତଦେହ ଉଦ୍ଧାର ପାଇଁ ଢେର୍‌ କିଛି ସମୟ ଲାଗିଥିଲା। ପ୍ରବଳ ଶୀତ ଓ ଅନ୍ଧାର ଭିତରେ ସାହାଯ୍ୟ ଓ ଉଦ୍ଧାର କାମରେ ସମସ୍ୟା ଦେଖା ଦେଇଥିଲା। ଫଳରେ, ସମସ୍ତ ମୃତଦେହ ଉଦ୍ଧାର କରିବାକୁ ବେଳକୁ ରାତି ପ୍ରାୟ ଗୋଟାଏ ହୋଇଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ଓଡ୍ରାଫ୍‌ ଟିମ୍‌ ଓ ବନବିଭାଗ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ।

ଅନ୍ୟପକ୍ଷରେ, ପାଣିରେ ବୁଡ଼ିଥିବା ଲୋକଙ୍କୁ ଉଦ୍ଧାର କରି କୂଳକୁ ଅଣାଯାଇଥିଲେ ହେଁ ଅଧିକା˚ଶ ଜାଡ଼ରେ ଥରୁଥିଲେ। ଗୁରୁତର ଅବସ୍ଥାରେ ଥିବା ଲୋକମାନଙ୍କୁ ନିଆଁ ଜଳାଇ ସେକ ଦିଆଯାଉଥିବା ଦେଖିବାକୁ ମିଳିଥିଲା।

ଏହି ଦୁଃଖଦ ଘଟଣା ପରେ ପାଣିଆ ଗାଁ ମୁଣ୍ତ କାନ୍ଦବୋବାଳିରେ ଫାଟି ପଡ଼ୁଛି। ଗାଁ ଲୋକମାନେ କେତେକ ଅସୁସ୍ଥ ଲୋକଙ୍କୁ ନେଇ ଘରୋଇ ଚିକିତ୍ସା କରୁଛନ୍ତି।

ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ହୁକିଟୋଲାରେ ଡଙ୍ଗା ବୁଡ଼ି ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲା ପ୍ରଶାସନ ଓ ଓଡ୍ରାଫ୍ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।