ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ତଲେଇସର ଗାଁ ନିକଟ ରେଙ୍ଗାଳି ଜଳଭଣ୍ଡାରରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଳଭଣ୍ଡାରରେ ଡଙ୍ଗା ବୁଡ଼ିଯିବାରୁ ଗୋଟିଏ ପରିବାରର ଦୁଇ ଶିଶୁପୁତ୍ରଙ୍କ ସହ ମା’ର ମୃତ୍ୟୁ ଘଟିଛି। ଡଙ୍ଗାରେ ଆହୁଲା ମାରୁଥିବା ବାପା ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୃତକ ହେଲେ ଜ୍ୟୋତ୍ସ୍ନା ପେଣ୍ଠେଇ ଏବଂ ତାଙ୍କ ଦୁଇ ପୁଅ ଆୟୁଷ (୬) ଓ ରିଭେନ୍ସ ପେଣ୍ଠେଇ (୪)। 

Advertisment

ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ପୁଡ଼ାଡିହି ଗାଁର ବୁଲୁ ପେଣ୍ଠେଇ ନିଜ ସ୍ତ୍ରୀ ଓ ଦୁଇ ଶିଶୁପୁତ୍ରଙ୍କୁ ଧରି ମାଛ ମାରିବାକୁ ନିଜ ଘରଠାରୁ ୮ କିମି ଦୂରରେ ଥିବା ରେଙ୍ଗାଳି ଡ୍ୟାମ୍‌କୁ ଯାଇଥିଲେ। ତେବେ ରାତି ହୋଇଯିବାରୁ ଉକ୍ତ ସ୍ଥାନରେ ପୂର୍ବରୁ ତିଆରି କରିଥିବା କୁଡ଼ିଆରେ ରହିଯାଇଥିଲେ। ସକାଳେ ଘରକୁ ଫେରିଥାନ୍ତେ। କିନ୍ତୁ ରାତି ୧୧ଟାରେ ଉକ୍ତ ସ୍ଥାନରେ ହାତୀଙ୍କ ଚିତ୍କାର ଶୁଭିଥିଲା। ଜୀବନ ପ୍ରତି ବିପଦ ଆଶଙ୍କା କରି ରାତି ଅନ୍ଧାରରେ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଡଙ୍ଗାରେ ବାହାରିଥି‌ଲେ। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ବୁଲୁ ଡଙ୍ଗାର ଆହୁଲା ମାରୁଥିବା ବେଳେ ହଠାତ୍‌ ସେଥିରୁ ଏକ ପଟା ଖସି ଯାଇଥିଲା। ଫଳରେ ଡଙ୍ଗାରେ ପାଣି ଭର୍ତ୍ତି ହୋଇ ଯାଇଥିଲା। ଡଙ୍ଗାଟି ବୁଡ଼ିଯିବାରୁ ସ୍ତ୍ରୀ ଜ୍ୟୋତ୍ସ୍ନା ଓ ଦୁଇ ପୁଅ ପାଣିରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ।

ସ୍ଥାନୀୟ ଲୋକଙ୍କୁ ଡାକ ପକାଇ ବୁଲୁ ରାତି ସାରା ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ସନ୍ଧାନ ପାଇ ପାରିନଥିଲେ। ଗୁରୁବାର ସକାଳେ ଦୁଇ ଶିଶୁଙ୍କ ଶବ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା। ପରେ ଅଗ୍ନିଶମ କର୍ମଚାରୀ ଦିନ ୧୦ଟାରେ ଜ୍ୟୋତ୍ସ୍ନାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଦେବଗଡ଼ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ତହସିଲଦାର ବିଜୟଲକ୍ଷ୍ମୀ ନାୟକ, ଅତିରିକ୍ତ ତହସିଲଦାର ପ୍ରେମ ପ୍ରକାଶ ହରୋ, କୁଣ୍ଢେଇଗୋଳା ଥାନା ଅଧିକାରୀ ଜନ୍‌ କୁଜୁର ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଖିଲେଇ ସରପଞ୍ଚ ଦୋଳଗୋବିନ୍ଦ ପ୍ରଧାନ ପହଞ୍ଚି ବୁଲୁଙ୍କୁ ସମବେଦନା ଜଣାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।