ମଝି ନଈରେ ଜଳିଲା ଲଞ୍ଚ : ଅଳ୍ପକେ ବର୍ତ୍ତିଲେ ୧୨୦ ଯାତ୍ରୀ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଆନ୍ଧ୍ର ପ୍ରଦେଶର ରାଜମେନ୍ଦ୍ରୀର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାପିକୁଣ୍ଡଲମକୁ ଯାଉଥିବା ଗୋଟିଏ ଯାତ୍ରୀବାହୀ ଲଞ୍ଚ ଗୋଦାବରୀ ନଦୀ ମଝିରେ ଜଳି ଯାଇଛି। ତେବେ ଏହି ଲଞ୍ଚରେ ଯାଉଥିବା ପ୍ରାୟ ୧୨୦ଜଣ ପର୍ଯ୍ୟଟକ ଓ ଲଞ୍ଚ କର୍ମଚାରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ଘଟଣା ଅନୁଯାୟୀ, ସ୍ଥାନୀୟ ପ୍ରସିଦ୍ଧ ପାପିକୁଣ୍ଡଲମ ପର୍ଯ୍ୟଟନସ୍ଥଳୀକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ବର୍ତମାନ ଖରା ଛୁଟି ଚାଲିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ସାମାନ୍ୟ ବଢିଛି। ଏହିକ୍ରମରେ ଗତକାଲି ୧୨୦ଜଣ ଯାତ୍ରୀଙ୍କୁ ନେଇ ଗୋଟିଏ ଲଞ୍ଚ ପର୍ଯ୍ୟଟନ ସ୍ଥଳ ଅଭିମୁଖେ ଯାତ୍ରା କରୁଥିଲା। ତେବେ ମଝି ନଈରେ ହଠାତ୍‌ ଲଞ୍ଚରେ ନିଆଁ ଲାଗି ଯାଇଥିଲା। ଧୂଆ ଯୋଗୁଁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନିଆଁ ଚାରି ଆଡକୁ ବ୍ୟାପିବା ପୂର୍ବରୁ ଚାଳକ ନଦୀ କୂଳକୁ ଳଞ୍ଚ ନେଇ ଆସିଥିଲେ। ଯାତ୍ରୀମାନେ ସୁରକ୍ଷିତ ଭାବେ କୂଳରେ ଓହ୍ଲାଇବା ପରେ ହୁତହୁତ୍‌ ହୋଇ ଲଞ୍ଚ ଜଳି ଯାଇଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଲଞ୍ଚର ସିଲିଣ୍ଡରରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ଘଟଣାର ତଦନ୍ତ ଚାଲିଥିବା ଜଣାପଡିଛି। ପ୍ରଥମ ଥର ଏଭଳି ଘଟଣା ଘଟିଥିବା ବେଳେ ଯାତ୍ରୀମାନେ ଲଞ୍ଚରେ ବସିବାକୁ ଭୟ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର