ମଝି ନଈରେ ଫସିଲା ନୌକା, ବର୍ତିଲେ ୩୦ ଯାତ୍ରୀ

ଓଲମରା: ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଲଗାଣ ବର୍ଷାରେ ଫୁଲିଛି। ପ୍ରଖର ସ୍ରୋତ ଯୋଗୁଁ ଏହା କରାଳ ରୂପ ଧାରଣ କରିଛି। ଏପରି ସମୟରେ ମଧ୍ୟ ଅଧିକ ରୋଜଗାର ଆଶା ନେଇ ନଦୀରେ ବିପଦସଂକୁଳ ଭାବେ ଯାତ୍ରୀବାହୀ ‌ନୌକା ଚଳାଚଳ କରୁଛି। ତେବେ ଆଜି ଏକ ନୌକା ଆସନ୍ନ ଦୁର୍ଘଟଣାରୁ ବର୍ତିବା ସହ ସୌଭାଗ୍ୟବଶତଃ ଅନେକ ଯାତ୍ରୀଙ୍କ ଜୀବନ ବଂଚିଯାଇଛି। ସୂଚନା ଅନୁସାରେ; ଗତ ୮ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବା ସହ ସ୍ରୋତ ପ୍ରଖର ହୋଇଛି। ଏପରି ସମୟରେ ଆଜି ସକାଳେ ଏକ ନୌକା ମାକିଡ଼ିଆ ଫେରିଘାଟରୁ ଆରପଟକୁ ୩୦ ଜଣ ଯାତ୍ରୀ ଓ କିଛି ବାଇକ୍‌ ନେଇଯାଉଥିଲା। ତେବେ ମଝି ନଈରେ ନୌକାଟି ଦଳରେ ଛନ୍ଦି ହୋଇଯାଇଥିଲା। ଫଳରେ ମେସିନ୍‌ ଚାଳିତ ଡଙ୍ଗାଟି ଆଉ ଆଗକୁ ଯାଇ ନପାରିଲା ଫସିରହିଥିଲା। ନାଉରିଆ ଲଙ୍ଗର ପକାଇ ନୌକାଟିକୁ ଅଟକାଇବା ପ‌ାଇଁ ଚେଷ୍ଟା କ‌ରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନଦୀ ସୁଅରେ ଏହା ପାଖାପାଖି ୧ କିମି ଭାସିଗଲା ପରେ ଏକ ଚଡ଼ରେ ଲାଗିଥିଲା। ଫଳରେ ଲୋ‌କମାନେ ଜୀବନବିକଳରେ ନୌକାରୁ ଓହ୍ଲାଇ ଯିବା ସହ ଜୀବନ ବଂଚାଇଥିଲେ।

ସମ୍ବନ୍ଧିତ ଖବର