ଚାରିବାଟିଆ ଘାଟରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୨୫ରୁ ଊର୍ଧ୍ବ ଯାତ୍ରୀ

ବାସୁଦେବପୁର : ବାସୁଦେବପୁର ମନ୍ତେଇ ନଈର ଚାରିବାଟିଆ ଘାଟରେ ଆଜି ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ଏଥିରେ ଥିବା ଯାତ୍ରୀମାନେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ଖବର ଅନୁଯାୟୀ ଆଜି ମଧ୍ୟାହ୍ନରେ ଚାନ୍ଦବାଲି ବ୍ଲକ ପିରାହାଟ ସ୍ଥିତ ମନ୍ତେଇ କୂଳରୁ ଏକ ଡଙ୍ଗା ୨୫ରୁ ଊର୍ଧ୍ବ ଯାତ୍ରୀଙ୍କ ସମେତ ୮ଟି ବାଇକ ଓ ୪ଟି ସାଇକେଲ ନେଇ ବାସୁଦେବପୁର ବ୍ଲକ ଚାରିବାଟିଆ କୂଳକୁ ଆସୁଥିଲା। କୂଳରୁ ବାହାରିବା ବେଳେ କୌଣସି କାରଣରୁ ହଠାତ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ଢଳେଇ ପଡ଼ିଥିଲା। ଫଳରେ କେତେକ ଯାତ୍ରୀଙ୍କ ସମେତ ବାଇକ ଓ ସାଇକେଲଗୁଡ଼ିକ ପାଣିରେ ବୁଡ଼ି ଯାଇଥି‌େଲ। ଯାତ୍ରୀମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ବାଇକ ଓ ସାଇକେଲଗୁଡ଼ିକୁ ପାଣିରୁ ବାହାର କରିଥିଲେ। ଉଦ୍ଧାର ଯାତ୍ରୀମାନଙ୍କ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ, ୫-୬ଟି ମୋବାଇଲ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଣିରେ ହଜି ଯାଇଥିବା ଜଣା ଯାଇଛି।

ଏହି ଘଟଣାକୁ ନେଇ ଦିନ ତମାମ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଦୈନିକ ଏହି ଘାଟଦେଇ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକକୁ ଦୁଇଭାଗ କରିଥିବା ମନ୍ତେଇ ନଈ ପାରିହେବା ପାଇଁ ଶହ ଶହ ଲୋକ ଆସୁଛନ୍ତି। ପ୍ରଶାସନର ଦୃଷ୍ଟି ଆଢୁଆଳରେ ଘାଟିଆମାନେ ଯାତ୍ରୀମାନଙ୍କୁ ଅସୁରକ୍ଷିତ ଭାବେ ଘାଟ ପାରି କରୁଛନ୍ତି। ବିଭିନ୍ନ ସମୟରେ ଏପରି ଡଙ୍ଗା ବୁଡ଼ି ଘଟଣା ଘଟୁଥିବା ବେଳେ ଅନେକଙ୍କ ଜୀବନ ମଧ୍ୟ ଯାଉଛି। ପ୍ରଶାସନ ପ୍ରତିବର୍ଷ ରାଜସ୍ବ ଆଦାୟ କରି ଘାଟିଆମାନଙ୍କୁ ନିଲାମ ଦେଇ ଦେଉଛି ହେଲେ ଯାଞ୍ଚ କରୁନି। ଆଉ ଏହି ସୁଯୋଗରେ ଘାଟିଆମାନେ ମନମୁଖି ଭାବେ ଯାତ୍ରୀମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ବର୍ଷ ଯାକ ଏ କୂଳରୁ ସେ କୂଳକୁ ଏକ ଦଉଡ଼ି ଟଣା ଯାଇଛି। ଯାହାର ସାହାରାରେ ଡଙ୍ଗାଟି ଯାତ୍ରୀମାନଙ୍କୁ କୂଳ ପାରି କରୁଛି। ଉକ୍ତ ଡଙ୍ଗାଗୁଡ଼ିକରେ ନା ଅଛି ଲାଇଫ୍‌ ଜାକେଟ, ନା ଜୀବନ ବଞ୍ଚାଇବାର ଅନ୍ୟ କିଛି ସରଞ୍ଜାମ। ସେପଟେ ସ୍ଥାୟୀ ପୋଲ ନିର୍ମାଣ କରିବା ଦୂରର କଥା ସେ ପ୍ରସ୍ତାବକୁ ମଧ୍ୟ ଭୁଲିଗଲେଣି ନେତା ଓ ପ୍ରଶାସନ। ତେବେ ଆଉ କେତେ ଦିନ ନିରୁପାୟ ହୋଇ ଯାତ୍ରୀମାନେ ଏମିତି ବିପଦଜନକ ଭାବେ ଡଙ୍ଗାରେ ନଦୀ ପାରିହେବେ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର