ବ୍ରହ୍ମଗିରି: ଚିଲିକା ହ୍ରଦ‌ରେ ପର୍ଯ୍ୟଟକମାନଙ୍କୁ ଡଲଫିନ୍‌ ଦେଖାଉଥିବା ବେଳେ ଯାତ୍ରୀବାହୀ ଡଙ୍ଗାର ଜଣେ ଚାଳକ ନିଖୋଜ ‌ହୋଇଯାଇଛନ୍ତି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡି ଅଧୀନ ଡ୍ରୋଜର କୁଦାଠାରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଖୋଜ ନାବିକ ହେଲେ ବିକ୍ରମ ଜାଲି (୫୫)। ସେ ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡିର ବଳଭଦ୍ରପୁର ନିବାସୀ।

Advertisment

ସୂଚନା ଅନୁସାରେ ପଶ୍ଚିମବଙ୍ଗର ହାଓଡ଼ାରୁ ଚୟନ ହାଜରାଙ୍କ ହେପାଜତରେ ୨ଟି ପରିବାର ଆଜି ଅପରାହ୍‌ଣରେ ସାତପଡ଼ାରେ ପହଞ୍ଚି ଥିଲେ। ଏହି ୨ଟି ପରିବାରରେ ୩ଜଣ ଶିଶୁ, ୨ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଥିଲେ। ଅପରାହ୍‌ଣ ପ୍ରାୟ ୨ଟାରେ ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ ଏକ ଘରୋଇ ଡଙ୍ଗାରେ ଚିଲିକାର ବୃହତ୍‌ ଜଳରାଶି ଭିତରକୁ ପ୍ରବେଶ ଡଲଫିନ୍‌ ଦେଖିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ। ପର୍ଯ୍ୟଟକମାନେ ଡ୍ରୋଜର କୁଦାରେ ପହଞ୍ଚିଲା ପରେ ନାବିକ ବିକ୍ରମ ଜାଲି ଡଙ୍ଗାକୁ ବନ୍ଦ କରିଦେଇଥିଲେ।

publive-image

ଡଲଫିନ୍‌ ଦେଖିସାରିବା ପରେ ପର୍ଯ୍ୟଟକମାନେ ପୁଣି ସ୍ଥଳ ଭାଗକୁ ଫେରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଫଳରେ ଡଙ୍ଗାକୁ ପୁଣି ଥରେ ଚଳାଇବା ପାଇଁ ନାବିକ ବିକ୍ରମ ଉଦ୍ୟମ କରୁଥିଲେ। ଡଙ୍ଗାରେ ଥିବା ମେସିନ ଷ୍ଟାର୍ଟ କରିବା ବେଳେ ସେ ଡଙ୍ଗାରୁ ଛିଟିକି ପଡ଼ିଥିଲେ ଏବଂ ପାଣିରେ ନିଖୋଜ ହୋଇଯାଇଥିଲେ।

ଡଙ୍ଗାର ନାବିକ ନିଖୋଜ ହୋଇଯିବା ପରେ ପର୍ଯ୍ୟଟକମାନେ ଉପାୟ ଶୂନ୍ୟ ହୋଇ ହେଲ୍‌ପଲାଇନ୍‌ ନମ୍ବର ୧୦୦କୁ ଫୋନ୍‌ କରିଥିଲେ। ପୁଲିସର ନିର୍ଦ୍ଦେଶରେ ଘଟଣାସ୍ଥଳରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ଅନ୍ୟ ଡଙ୍ଗା ସହାୟତାରେ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଦମକଳ ବାହିନୀ ଅଧିକାରୀ ପୁଲ‌କ କେଶରୀ ମଙ୍ଗରାଜଙ୍କ ନେତୃତ୍ବରେ ୬ ଜଣିଆ ଟିମ୍‌ ନାବିକ ବିକ୍ରମ ଜାଲିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଥିବା ନେଇ ସାତପଡ଼ା ଫାଣ୍ଡି ଅଧିକାରୀ ଅଶୋକ ଗଚ୍ଛାୟତଙ୍କ ସୂଚନା ଦେଇଛନ୍ତି।